ସିବିଆଇ ହାତରେ ଧରାପଡ଼ିଲେ ଇଓଡ୍‌ବ୍ଲ୍ୟୁ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଆସି ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡ୍‌ବ୍ଲ୍ୟୁ )ର କନ୍‌ଷ୍ଟେବଳ ଅମିତ୍‌ ଲାହୁଚା ରବିବାର ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଭୁବନେଶ୍ୱରରେ ଏକ ଗଣମାଧ୍ୟମ ସଂସ୍ଥା ଫେକ୍‌ ଆକାଉଣ୍ଟ ଖୋଲି ବିଭିନ୍ନ ଉପାୟରେ ଟଙ୍କା ଆଦାୟ କରୁଥିଲା। ଏହି ଖବର ଜଣାପଡ଼ିବା ପରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖାରେ ଏକ ଅଭିଯୋଗ ହୋଇଥିଲା। ପରେ ଅଭିଯୋଗକୁ ଭିତ୍ତିକରି ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଇଓଡ୍‌ବ୍ଲ୍ୟୁ ଭୁବନେଶ୍ୱର ପିଏମ୍‌ଜି ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ତାଙ୍କ ସହଯୋଗୀ ଉଦୟନାଥ ସାହୁଙ୍କୁ ସାକ୍ଷୀ କରାଯାଇଥିଲା। ବିନା କାରଣରେ ତାଙ୍କୁ ସାକ୍ଷୀ କରାଯାଇଥିବା ଉଦୟନାଥ ଅଭିଯୋଗ କରିଥିଲେ।

ଉଦୟନାଥଙ୍କ ନାମ ସାକ୍ଷୀରୁ ହଟାଇବା ପାଇଁ କନ୍‌ଷ୍ଟେବଳ ଅମିତ୍‌ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏପରି କି ଉଦୟନାଥଙ୍କୁ ଧମକ ମଧ୍ୟ ଦେଉଥିଲେ। ଏ ନେଇ ଉଦୟନାଥ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ, ଉଦୟନାଥ ସାଢ଼େ ୪ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ। ପରେ କନଷ୍ଟେବଳ ଅମିତ୍‌ ଟଙ୍କା ନେବାକୁ ଭୁବନେଶ୍ୱର ଆସିଥିଲେ। ଅମିତ୍‌ ଲାଞ୍ଚ ଟଙ୍କା ନେଉଥିବା ବେଳେ ୭ ଜଣିଆ ସିବିଆଇ ଟିମ୍‌ ତାଙ୍କୁ କାବୁ କରିନେଇଥିଲା। ଅଧିକାରୀମାନେ ଅମିତ୍‌ଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଅନ୍ୟପକ୍ଷେ ଏହି ଘଟଣାରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖାର ଜଣେ ଇନ୍ସପେକ୍ଟରଙ୍କ ଦିଲ୍ଲୀସ୍ଥିତ ଘରେ ସିବିଆଇ ଚଢ଼ାଉ କରି ଘଟଣାର ଅଧିକ ଖୋଳତାଡ଼ ଚଳାଇଛି।