ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ତିନି ଜଣ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଜରଡା ଥାନା ଭାରପ୍ରାପ୍ତ ଅଧିକାରୀ ମିନାକ୍ଷୀ ଦଳବେହେରା କୌଣସି ଗୁପ୍ତ ସୂଚନା ପାଇ ଆଙ୍କୁଲି ପଞ୍ଚାୟତର ପାହାଡ଼ ଅଞ୍ଚଳରେ ଥିବା ଧାନବାଡ ନିକଟକୁ ପୋଲିସ ଟିମ୍ ସହ ଯାଇ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଚାରିଜଣ ବ୍ୟକ୍ତି ଜଙ୍ଗଲ ଦିଗକୁ ପଳାଇବାକୁ ଚେଷ୍ଟା କରିଥିଲେ।
ପୋଲିସ ସେମାନଙ୍କୁ ପିଛା କରିବାବେଳେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ଦେଖାଇ ପୋଲିସକୁ ଧମକ ଦେଇଥିଲେ। ତଥାପି କୌଶଳପୂର୍ବକ ପୋଲିସ ତିନିଜଣଙ୍କୁ ଧରିବାରେ ସଫଳ ହୋଇଥିଲା, ଯେତେବେଳେ ଜଣେ ବନ୍ଧୁକଧାରୀ ଅଭିଯୁକ୍ତ ଜଙ୍ଗଲ ଭିତରକୁ ପଳାଇଯାଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରୁ ପୋଲିସ ଗୋଟିଏ ଚିତା ବାଘ ଛାଲ, ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ଛଡ ଓ ଗୋଟିଏ ଛୁରୀ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଗୋବିନ୍ଦ ଚନ୍ଦ୍ର ନାୟକ (୪୭), ଗୁଞ୍ଜୁ ରଇତ (୭୦) ଓ ରିତୁନ ବଡମୁଣ୍ଡି (୨୫)।
ଏହି ଘଟଣାରେ ଜରଡା ଥାନାରେ କେସ୍ ନଂ ୧୬୫/୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ରାଜ୍ୟ ଭିତରେ ଓ ବାହାରେ ଚିତା ବାଘ ଛାଲର ଅବୈଧ ବ୍ୟବସାୟ ଓ ପରିବହନରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ବ୍ରହ୍ମପୁର ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ମିଳିଛି।