ପରିବେଶ ପ୍ରଦୂଷିତ ଅଭିଯୋଗ: ମା’ ତାରିଣୀ ପଥର କ୍ରଶର ୟୁନିଟକୁ ସିଲ୍ କଲା ପ୍ରଶାସନ                     

ଦିଗପହଣ୍ଡି,୧୫|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଡ଼ଙ୍କାରି ମୌଜା ରେ ଥିବା ମା ‘ ତାରିଣୀ ପଥର କ୍ରଶର ୟୁନିଟ କୁ ଶୁକ୍ରବାର ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସିଲ୍ କରାଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ କ୍ରଶର ୟୁନିଟ ଯୋଗୁଁ ଆଖପାଖ ରେ ଥିବା ଅନୁସୂଚିତ ଜନଜାତି ବହୁଳ ଗାଁ ବଡ଼ ବୁରୁଡ଼ା,ଚଢେୟା ଗରଦ,ସାନ ବୁରୁଡା ସମେତ ନିକଟରେ ଥିବା ଜକରା ପଲ୍ଲୀ,ଡଙ୍କାରି ପ୍ରଭୃତି ଗ୍ରାମ ଇଲାକାରେ ପରିବେଶ ପ୍ରଦୂଷିତ ହେଉଛି। କ୍ରଶର ୟୁନିଟ ପକ୍ଷରୁ ବହୁଳ ପରିଣାମରେ ନିୟୋଜିତ ଭାରୀଯାନ ଚଳାଚଳ ଯୋଗୁଁ ଗ୍ରାମ୍ୟ ରାସ୍ତା ଗୁଡ଼ିକ ନଷ୍ଟ ହେବାରେ ଲାଗିଛି।ରାସ୍ତାକଡ ଚାଷଜମି ରେ କ୍ରଶର ରୁ ବାହାରୁଥିବା ପଥର ଗୁଣ୍ଡ ଓ ଅନ୍ୟାନ୍ୟ ଆବର୍ଜନା ପକାଯାଉଥିବାରୁ  ଜମି ର ଫସଲ କ୍ଷତି ହେଉଛି। ବେଲଘାଇ ସେଚ ପ୍ରକଳ୍ପ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ କ୍ରଶର ୟୁନିଟ ବ୍ୟବହାର କରୁଥିବାରୁ ଚାଷୀ ମାନଙ୍କ ଚଳାଚଳ ରେ ବାଧା ଉପୁଜୁଛି। ମାତ୍ର ୧୦ ଟନ୍ ଓଜନ କ୍ଷମତା ସହିବା ଭଳି ଡଙ୍କାରି, ଜକରା ପଲ୍ଲୀ ସମେତ ଆଖପାଖ ରାସ୍ତା ଗୁଡ଼ିକ ନିର୍ମାଣ ହୋଇଥିବା ବେଳେ ପ୍ରତ୍ୟହ  ୨୦ ରୁ ୩୦ ଟନ ପଥର ବୋଝେଇ ଟ୍ରକ୍ ଉକ୍ତ ରାସ୍ତାରେ ୫୦ ରୁ ଉର୍ଦ୍ଧ୍ବ ଥର ଚଳାଚଳ କରୁଥିବାରୁ ରାସ୍ତା ଗୁଡ଼ିକ ନଷ୍ଟ  ହୋଇଗଲାଣି। ପଥର କ୍ରଶର ୟୁନିଟ ଯୋଗୁଁ ଗ୍ରାମ୍ୟ ପରିବେଶ ଦିନକୁ ଦିନ ନଷ୍ଟ ହେଉଛି। ଅଭିଯୋଗ କଲେ ପୋଲିସ ଲଗାଇ ଗ୍ରାମବାସୀ ଙ୍କୁ ଭୟଭୀତ କରାଯାଉଛି। ଏନେଇ ଗୁରୁବାର ଅଖିଳ ଭାରତ କିଶାନ ମଜଦୂର ସଭା ପକ୍ଷରୁ ୫ ଖଣ୍ଡ ଗ୍ରାମର ବହୁସଂଖ୍ୟକ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ଏବଂ ଏସ.ପି ଡ଼. ଶ୍ରବଣା ବିବେକ ଏମ ଙ୍କୁ ସାକ୍ଷାତ କରି ଉକ୍ତ କ୍ରଶର ୟୁନିଟ କୁ ବନ୍ଦ କରିବା ନିମନ୍ତେ ସ୍ମାରକପତ୍ର ପ୍ରଦାନ କରିଥିଲେ। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲାପାଳ ଦିଗପହଣ୍ଡି ତହସିଲଦାର  ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଶୁକ୍ରବାର ତହସିଲଦାର କ୍ରଶର ୟୁନିଟ କାର୍ଯ୍ୟାଳୟରେ ପହଞ୍ଚି ମାଲିକ ଡ଼ା. ବି. ରମେଶ  ଙ୍କ ସହ ଆଲୋଚନା କରିବା ସହ କ୍ରଶର ୟୁନିଟ ପରିଚାଳନା ପାଇଁ ଆନୁଷଙ୍ଗିକ ସମସ୍ତ ଅନୁମତିପତ୍ର, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ନୋ ଅବଜେକ୍ସନ ସାର୍ଟିଫିକେଟ ପ୍ରଭୃତି  ଦସ୍ତାବିଜ ତନଖି କରିଥିଲେ।ପରେ ପରିବେଶଗତ ପ୍ରଦୂଷିତ, ଖାତା ନଂ.୨୯୩ ଗ୍ରାମ୍ୟ ଗୋ ଦାଣ୍ଡ କୁ ଅନଧିକାର ଭାବେ ଦଖଲ କରାଯାଇଥିବା,ଅନଲାଇନ୍ ମାଧ୍ୟମରେ ଆଇ ୪ ଏମଏସ ଫର୍ମ ଦାଖଲ କରାଯାଇନଥିବା।ପୂର୍ବରୁ ଗତ ୨୦୨୫ ସେପ୍ଟେମ୍ବର ୯ ତାରିଖରେ କ୍ରଶର ୟୁନିଟ ମାଲିକ ଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସପ୍ତାହକ ମଧ୍ୟରେ ନୋଟିସ ର ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତ୍ବେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିବା କାରଣରୁ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ , ପରିବେଶ ନିୟନ୍ତ୍ରଣ ବୋର୍ଡ ର ବୈଜ୍ଞାନିକ, ବ୍ରହ୍ମପୁର ଖଣି ବିଭାଗ ଅଧିକାରୀ,ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ରାଜସ୍ବ ବିଭାଗ ଅଧିକାରୀ ବୃନ୍ଦଙ୍କ ଉପସ୍ଥିତି ରେ କ୍ରଶର ୟୁନିଟ କୁ ସିଲ୍ କରିଥିବା କହିଛନ୍ତି।ଅନ୍ୟପକ୍ଷରେ କ୍ରଶର ୟୁନିଟ ମାଲିକ ପ୍ରଶାସନ ଏବଂ ଗ୍ରାମବାସୀ ଙ୍କ ପକ୍ଷରୁ ଅଣାଯାଇଥିବା ସମସ୍ତ ଅଭିଯୋଗ କୁ ଅସ୍ବୀକାର କରିଛନ୍ତି। ସେ ସରକାରଙ୍କ ଅନୁମତି କ୍ରମେ କ୍ରସର ୟୁନିଟ ସ୍ଥାପନ କରିଛନ୍ତି।ପରିବେଶଗତ ମଞ୍ଜୁରୀ ସହ ନିୟମିତ ଭାବେ ସରକାରଙ୍କୁ ପ୍ରତିମାସରେ ନିର୍ଦ୍ଧାରିତ ଲକ୍ଷାଧିକ ଟଙ୍କା ରାଜସ୍ବ ପ୍ରଦାନ କରୁଛନ୍ତି। କୌଣସି ପ୍ରକାର ବେନିୟମ କାର୍ଯ୍ୟ ସେ କରିନାହାନ୍ତି।ତାଙ୍କ କ୍ରଶର ୟୁନିଟ ରେ ଜକରାପଲ୍ଲୀ ଗ୍ରାମର ଜଣେ ଯୁବକ ପ୍ରଦୀପ ସାହୁ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି।ତାଙ୍କ ସହ ଗ୍ରାମର କିଛି ଯୁବକ ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ବଚସା ହେବାରୁ ସମ୍ପୃକ୍ତ ଯୁବକ ମାନେ ସଂଘବଦ୍ଧ ହୋଇ ଗ୍ରାମବାସୀ ଙ୍କୁ ମତାଇ କ୍ରଶର ୟୁନିଟ କୁ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିବା କହିଛନ୍ତି।

 

ଗ୍ରାମ ସଂଲଗ୍ନ କୌଣସି କେନାଲ କିମ୍ବା ରାସ୍ତା କୁ ସେ ଅବରୋଧ କରିନାହାନ୍ତି।ଏପରିକି ରାସ୍ତା ଖରାପ ହେଲେ ସେ ପୂର୍ବରୁ ଅନେକ ଥର ରାସ୍ତା ମରାମତି କରିଥିବା ଉଲ୍ଲେଖ କରିଛନ୍ତି। କିଛି ବ୍ୟକ୍ତି ଙ୍କ ବିରୋଧ ସହ ଅନ୍ୟାନ୍ୟ  କାରଣରୁ ଗତ ପ୍ରାୟ ୫ ବର୍ଷ ହେଲା କ୍ରଶର ୟୁନିଟ ବନ୍ଦ ଥିଲା।୨୦୨୫ ରୁ ପୁଣି କ୍ରଶର ୟୁନିଟ କାର୍ଯ୍ୟକ୍ଷମ ହୋଇଥିଲା।କିଛି ବ୍ୟକ୍ତି ସେମାନଙ୍କ ଉଦ୍ଦେଶ୍ୟ ଚରିତାର୍ଥ ନହେବା କାରଣରୁ କ୍ରଶର ୟୁନିଟ କୁ ବନ୍ଦ କରିବା ପାଇଁ ମସୁଧା ଚଳାଇଛନ୍ତି ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।

Dharitri – Odisha’s No.1 Odia Daily

Share