ନୂଆଦିଲ୍ଲୀ,୧୫ା୧: ଆରାବଳୀ ପର୍ୱତମାଳା କେବଳ ପଥର ପାହାଡ଼ ନୁହେଁ, ଏହା ବହୁ କୋଟି ଲୋକଙ୍କ ପାଇଁ ଜଳଉତ୍ସ ଏବଂ ବାୟୁ ପ୍ରଦୂଷଣ ରୋକିବାରେ ପ୍ରାକୃତିକ ପାଚେରି ସଦୃଶ, ଯାହା ଏବେ ଗମ୍ଭୀର ବିପଦର ସମ୍ମୁଖୀନ ହୋଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏକ ଘରୋଇ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ‘ଇକୋ-ରେଷ୍ଟୋରେଶନ ଅଫ୍ ଆରାବଳୀ ଲ୍ୟାଣ୍ଡସ୍କେପ୍’କୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୁଧବାର ଉନ୍ମୋଚନ କରିଛନ୍ତି। ଏଥିରେ ବେଆଇନ ଖଣି ଖନନ ଏବଂ ଜବରଦଖଲ ଯୋଗୁ ଏହି ପ୍ରାଚୀନ ପର୍ୱତମାଳାର ପରିବେଶ କ୍ରମାଗତ ଭାବେ ନଷ୍ଟ ହେବାରେ ଲାଗିଥିବା ଉଲ୍ଲେଖ ରହିଛି। ବିଶେଷକରି ଜଙ୍ଗଲ କ୍ଷୟ, ଜଳ ସଙ୍କଟ, ତାପମାତ୍ରା ବୃଦ୍ଧି ଆଦି କିଭଳି ବଡ଼ ବିପଦ ହୋଇ ଛିଡ଼ାହୋଇଛି ତାହା ଉକ୍ତ ଅଧ୍ୟୟନରେ ଦର୍ଶାଯାଇଛି। ଏଠାରେ ପ୍ରକାଶ କରାଯାଇପାରେ ଯେ, କେନ୍ଦ୍ର ସରକାରଙ୍କ ସୁପାରିସକୁ ଗ୍ରହଣ କରି ସୁପ୍ରିମ୍କୋର୍ଟ ଗତ ନଭେମ୍ୱରରେ କହିଥିଲେ ଯେ, କେବଳ ସେହି ଭୂଭାଗକୁ ‘ଆରାବଳୀ ପାହାଡ଼’ କୁହାଯିବ, ଯାହାର ଉଚ୍ଚତା ସମତଳ ଭୂମିଠାରୁ ଅତିକମ୍ରେ ୧୦୦ ମିଟର ଅଧିକ। ଏଥିଯୋଗୁ ଆରାବଳୀର ପ୍ରାୟ ୯୦% ଅଂଶରେ ଖଣି ଖନନ ଏବଂ ନିର୍ମାଣ ପାଇଁ ବାଟ ଫିଟିଯାଇଥିଲା। ଏନେଇ ଜନସାଧାରଣ ଏବଂ ପରିବେଶବିତ୍ଙ୍କ ପ୍ରବଳ ବିରୋଧ ପରେ ଗତ ୨୯ ଡିସେମ୍ୱରରେ ସୁପ୍ରିମକୋର୍ଟ ନିଜର ପୂର୍ୱ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରି କହିଥିଲେ ଯେ, ଏହି ୧୦୦ ମିଟର ସଂଜ୍ଞା ଦ୍ୱାରା ପରିବେଶର ଅପୂରଣୀୟ କ୍ଷତି ହୋଇପାରେ।
ଆରାବଳୀ ପର୍ୱତମାଳାରେ ଜବରଦଖଲ, ଗଛକଟା, ବେଆଇନ ଖଣି ଖନନ ଏବଂ ସହରୀ ଭିତ୍ତିଭୂମିର ଦ୍ରୁତ ସମ୍ପ୍ରସାରଣ ଏହାର ଭୂତଳ ଜଳର ଭରଣା, ଜୈବ ବିବିଧତା, ବାୟୁ ଗୁଣବତ୍ତା ଏବଂ ଜଳବାୟୁ ନିୟମିତତାକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି, ୮୦ ଦଶକ ପୂର୍ୱରୁ ସାରିସ୍କା ଏବଂ ବାର୍ଡୋଡ୍ ବନ୍ୟପ୍ରାଣୀ ଅଭୟାରଣ୍ୟ ଆଖପାଖ ଅଞ୍ଚଳ ସମେତ ଜଙ୍ଗଲ ଜମିର ଉପଯୋଗରେ ବ୍ୟାପକ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବନାଞ୍ଚଳ ଦ୍ରୁତ ହ୍ରାସ ଘଟୁଛି। ଫଳରେ ଗୁରୁତ୍ୱପୂର୍ଣ୍ଣ ବନ୍ୟାପ୍ରାଣୀ ବାସସ୍ଥଳ ଏବଂ ଅବବାହିକା ଅଞ୍ଚଳ ବିଖଣ୍ଡିତ ହେଉଛି।
ଭାରତରେ ଥିବା ଡେନ୍ମାର୍କ ଦୂତାବାସ ଏବଂ ହରିୟାଣା ରାଜ୍ୟ ବନବିଭାଗ ସହାୟତାରେ ସଙ୍କଳା ଫାଉଣ୍ଡେଶନ ଉକ୍ତ ଗବେଷଣା କରିଛି, ଯାହାର ନାମ ଦିଆଯାଇଛି ଇକୋ-ରିଷ୍ଟୋରେଶନ ଅଫ୍ ଦି ଆରାବଳୀ ଲ୍ୟାଣ୍ଡସ୍କେପ୍। ଜୈବ ବିବିଧତା ସଂରକ୍ଷଣ, ଜଳବାୟୁ ସହଣି, ଜୀବିକା ସୁରକ୍ଷା ଏବଂ ମାନବାଧିକାର ସହ ସମ୍ପୃକ୍ତ ପରିବେଶୀୟ ଅବନତିର ଆକଳନ କରିବା ପାଇଁ ସେମାନେ ଏକ ସମନ୍ୱିତ ଆଭିମୁଖ୍ୟ ଆପଣାଇଥିଲେ। ବିଶ୍ୱର ଅନ୍ୟତମ ସର୍ୱପୁରାତନ ପାର୍ୱତ୍ୟାଞ୍ଚଳ ଆରାବଳୀ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଅବରୋଧକ ଭାବେ କାର୍ଯ୍ୟ କରିବା ସହ ଜୀବନ ସହାୟକ ପରିବେଶ ଦେଇଆସୁଛି। ତେବେ ୫୦ ନିୟୁତରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନ ଦେଇଥିବା ଏବଂ ୪ ରାଜ୍ୟ ଓ ୨୯ ଜିଲାକୁ ବ୍ୟାପିଥିବା ଏହି ପର୍ୱତମାଳା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇଥିବା ଅଧ୍ୟୟନରେ କୁହାଯାଇଛି। ଜଙ୍ଗଲରୁ ବ୍ୟାପକ ଗଛ କଟା, ଜମିର ଅସ୍ଥିର ବ୍ୟବହାର, ଦ୍ରୁତ ସହରୀକରଣ. ଜମିର ବ୍ୟାପକ ଅବନତି ଓ ମରୁଭୂମୀକରଣ ଆରାବଳୀ ପର୍ୱତମାଳା ଉପରେ ଅତ୍ୟଧିକ ଚାପ ପକାଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୁଧବାର ଉକ୍ତ ରିପୋର୍ଟ ଉନ୍ମୋଚନ କରିଛନ୍ତି।

