ଡେରାଡୁନ୍,୭ା୧: ହରିଦ୍ୱାରରେ ଥିବା ୧୦୫ଟି ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ସେହିପରି ହରିଦ୍ୱାର ଓ ଋଷିକେଶକୁ ପବିତ୍ର ସହର ରୂପେ ଘୋଷଣା କରିବା ନେଇ ମଧ୍ୟ ସରକାରଙ୍କ ଯୋଜନା ରହିଛି। ହର-କି-ପୌରି ଘାଟର ଦେଖାଶୁଣା କରୁଥିବା କେତେଜଣ ଧାର୍ମିକ ନେତା ଓ ଏକ ସଙ୍ଗଠନ ପକ୍ଷରୁ ଏପରି ଦାବି କରାଯିବା ପରେ ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏପରି କଟକଣା ଜାରି ପାଇଁ ଉଦ୍ଦିଷ୍ଟ ୧୯୧୬ ମସିହାର ଏକ ଚୁକ୍ତି ଉପରେ ମଧ୍ୟ ରାଜ୍ୟ ସରକାର ସମୀକ୍ଷା କରୁଥିବା ଜଣାପଡ଼ିଛି। ୨୦୨୭ରେ ପଡ଼ୁଥିବା ଅର୍ଦ୍ଧକୁମ୍ଭ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ।
୧୨୦ ବର୍ଗ କି.ମି. ବିସ୍ତୃତ ଅଞ୍ଚଳରେ ଥିବା ୧୦୫ ଘାଟକୁ ଅଣହିନ୍ଦୁଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିବା ପାଇଁ କେତେଜଣ ସାଧୁସନ୍ଥ ଦାବି କରିଛନ୍ତି। ହର-କି-ପୌରି ଘାଟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଗଙ୍ଗା ସଭା ସଙ୍ଗଠନ ମଧ୍ୟ ଅନୁରୂପ ଦାବି କରିଛି। ଏହା ପରେ ଉତ୍ତରାଖଣ୍ଡର ଭାଜପା ସରକାର ହରିଦ୍ୱାର ଓ ଋଷିକେଶକୁ ‘ସନାତନ ପବିତ୍ର ସହର’ ରୂପେ ଘୋଷଣା କରିବାକୁ ଯୋଜନା ଚଳାଇଛନ୍ତି। ୨୦୨୭ ଜାନୁଆରୀ ୧୪ ମକର ସଂକ୍ରାନ୍ତିରେ ଆରମ୍ଭ ହେବାକୁ ଥିବା ଅର୍ଦ୍ଧକୁମ୍ଭ ମେଳାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୧୯୧୬ରେ ଭାରତରନତ୍ ପଣ୍ଡିତ ମଦନ ମୋହନ ମାଲବ୍ୟ ଓ ବ୍ରିଟିଶ ସରକାର ମଧ୍ୟରେ ସମ୍ପାଦନ ହୋଇଥିବା ଏ ସଂକ୍ରାନ୍ତ ଚୁକ୍ତିନାମାର ବିବରଣୀକୁ ମଧ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। ମାଲବ୍ୟ ଗଙ୍ଗାସଭାର ପ୍ରଥମ ଅଧ୍ୟକ୍ଷ ଥିଲେ। ଗଙ୍ଗାନଦୀର ପ୍ରବାହରେ ଯେପରି ବାଧା ନ ଉପୁଜେ ତାହା ସୁନିଶ୍ଚିତ କରି ହରିଦ୍ୱାରର ପବିତ୍ରତାକୁ ବଜାୟ ରଖିବା ପାଇଁ ଉକ୍ତ ଚୁକ୍ତିନାମାରେ ସହମତି ପ୍ରକାଶ ପାଇଥିଲା। ସେହିପରି ହରିଦ୍ୱାର ସହରକୁ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇବା ନେଇ ସର୍ତ୍ତ ରଖାଯାଇଥିଲା। ଋଷିକେଶ ଓ ହରିଦ୍ୱାରରେ ଅଣହିନ୍ଦୁମାନେ ସ୍ଥାୟୀ ବାସିନ୍ଦା ହୋଇପାରିବେ ନାହିଁ ଏବଂ ସେମାନେ କେବଳ କାର୍ଯ୍ୟ ପାଇଁ ସେଠାକୁ ଯାଇପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାର ଗମ୍ଭୀରତାର ସହ ମୂଳ ଚୁକ୍ତିନାମାର ନିୟମଗୁଡ଼ିକୁ ଫେରାଇ ଆଣିବା ପାଇଁ ଚିନ୍ତା କରୁଛନ୍ତି।
ପୁସ୍କର ସିଂ ଧାମି ଏନେଇ କହିଛନ୍ତି, ଦେବଭୂମିର ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ସରକାର ସବୁ ଜରୁରୀ ପଦକ୍ଷେପ ନେବେ। ସନାତନ ବିଶ୍ୱାସୀଙ୍କ ପାଇଁ ଉତ୍ତରାଖଣ୍ଡ ହେଉଛି ଆସ୍ଥାର କେନ୍ଦ୍ରସ୍ଥଳ। ହରିଦ୍ୱାର ଓ ଋଷିକେଶକୁ ସନାତନ ସହର ରୂପେ ଘୋଷଣା କରିବା ପାଇଁ ବିଚାର ଚାଲିଛି।


