Categories: ଜାତୀୟ

୫ ହଜାରରେ ଭାରତରେ ପ୍ରବେଶ-୧୫ ଶହରେ ଆଧାର କାର୍ଡ…

ରାୟପୁର,୬।୫ : ୬୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛତିଶଗଡ ପୋଲିସ ୨ ବାଂଲାଦେଶୀଙ୍କୁ ଗିରଫ କରିଛି। ପୋଲିସ ପଚରାଉଚରା ବେଳେ ସୀମା ତାର କାଟି ସେମାନେ ଭାରତରେ ଅନୁପ୍ରବେଶ କରିଥିବା ସ୍ବୀକାର କରିଛନ୍ତି। ଏହା ପରେ ସେମାନେ ପଶ୍ଚିମବଙ୍ଗରେ ୧୫ ଶହ ଟଙ୍କାରେ ଆଧାର କାର୍ଡ ତିଆରି କରି ଭାରତରେ ବାସ କରି ବିଭିନ୍ନ ସ୍ଥାନରେ ଚୋରି କରୁଥିବା କହିଛନ୍ତି।

ଏପ୍ରିଲ ୬ ରେ ଛତିଶଗଡର ଦୁର୍ଗ ଜିଲାରେ ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ଅନୁସନ୍ଧାନ ବେଳେ ପୋଲିସ ପଶ୍ଚିମବଙ୍ଗରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ମହମ୍ମଦ ହସମତ ଖଲିଫା ଏବଂ ଅଲତାଫ ହୁସେନ ବୋଲି ଜଣାପଡିଛି। ପୋଲିସର ପଚରାଉଚରା ସମୟରେ ଅଭିଯୁକ୍ତ ହସମତ ଖଲିଫା କହିଛନ୍ତି, ସେ ୪ ମାସ ପୂର୍ବରୁ ପ୍ରଥମ ଥର ପାଇଁ ଭାରତ ଆସିଥିଲେ।

ସୀମାରୁ ଭାରତରେ ଅନୁପ୍ରବେଶ କରିବାକୁ ଦଲାଲଙ୍କୁ ୫ ହଜାର ଟଙ୍କା ଦେବାକୁ ପଡିଥାଏ। ଏହା ପରେ ଦଲାଲ ସୀମା ତାର କାଟନ୍ତି ଏବଂ ସେମାନେ ଏହା ତଳେ ପଶି ଭାରତକୁ ପ୍ରବେଶ କରିଥିଲେ। ତା’ପରେ ପଶ୍ଚିମବଙ୍ଗରେ ଭାରତୀୟ ଆଧାର କାର୍ଡ ୧୫ ଶହ ଟଙ୍କାରେ ସେମାନେ ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତମାନେ ଫେରିବାଲା ଭାବରେ କାମ କରିବା ବାହାନାରେ ରେକି କରନ୍ତି ବୋଲି ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏହା ପରେ, ସୁଯୋଗ ପାଇବା ମାତ୍ରେ ସେମାନେ ଚୋରି କରିବା ପରେ ପଳାୟନ କରିଥାନ୍ତି। ତାଙ୍କ ଗ୍ୟାଙ୍ଗରେ ୧୨ ଜଣ ଅଛନ୍ତି ଏବଂ ସେମାନେ ଗତ ୧୫ ବର୍ଷ ଧରି ଚୋରି କରୁଛନ୍ତି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ଗୋକୁଲ ନିଶାଦ ନାମକ ଜଣେ ବ୍ୟକ୍ତି। ଅଭିଯୁକ୍ତମାନେ ତାଙ୍କ ନିର୍ଦ୍ଦେଶରେ ଚୋରି କରିଥାନ୍ତି।

Share