କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏ ନେଇ ପୋଲିସ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଛୁଟି ଥିଲା। ଏହାର ସୁଯୋଗ ନେଇ ୪ ଜଣ ଅଭିଯୁକ୍ତ ବ୍ୟାଙ୍କର ୩ଟି ସ୍କାଏଲାଇଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ବ୍ୟାଙ୍କ ଭିତରେ ଥିବା ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିବା ସହ ସିସିଟିଭି କ୍ୟାମେରା ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି।
୧୬ ତାରିଖରେ ବ୍ୟାଙ୍କ ଖୋଲିବା ପରେ ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା ହୋଇଥିବା ଦେଖି ଶାଖା ପରିଚାଳକ ପୀୟୂଷ କୁମାର ମେହେର ସେହିଦିନ ସନ୍ଧ୍ୟା ସମୟରେ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ କେସିଙ୍ଗା ଏସ୍ଡିପିଓ ସନ୍ଦୀପ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ସନ୍ଧାନୀ କୁକୁର ସହ ଗିଗିନା ଗ୍ରାମରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି।
ଗିରଫ ଅଭିଯୁକ୍ତମାନେ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ ସିନାଗ ଗ୍ରାମର ରାଜ କୁମାର ମାଝୀ (୨୬), ବାଳକୃଷ୍ଣ ମାଝୀ (୨୨), ତ୍ରିଲୋଚନ ମାଝୀ (୨୨) ଓ ଦିତିକୃଷ୍ଣ ନାଗ (୨୬)। ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ବ୍ୟାଙ୍କ ଲଗାତାର ୫ ଦିନ ବନ୍ଦ ଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ସ୍କାଏଲାଇଟ୍ ଭାଙ୍ଗି ଭିତରକୁ ପଶିଥିଲେ। ସେମାନେ ସିସିଟିଭି କ୍ୟାମେରା ଭଙ୍ଗାରୁଜା କରିବା ସହ ଗୋଟିଏ ଟାବଲେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ତେବେ ବ୍ୟାଙ୍କରେ ଥିବା ଟଙ୍କା ଓ ସୁନା ଭଳି ମୂଲ୍ୟବାନ ସମ୍ପତ୍ତି ସୁରକ୍ଷିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ କେସିଙ୍ଗା ଥାନାରେ କେସ୍ ନଂ. ୨୮୭/୧୬/୨୬ ରୁଜୁ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।