ଚଳିତବର୍ଷରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏପିଏଚ୍‌ଡିରେ ନାମଲେଖା

ଭୁବନେଶ୍ୱର,୪ା୭(ଅନୁରାଧା ମହାରଣା): ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ୨୦୨୩-୨୪ ଶିକ୍ଷାବର୍ଷଠାରୁ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏପିଏଚ୍‌ଡିରେ ନାମଲେଖା ଅନୁଷ୍ଠିତ ହେବ। ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଏବଂ ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ଆଦି ୩ଟି ବିଷୟରେ ଏହି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିରେ ନାମଲେଖାଇବା ପାଇଁ ଅଗଷ୍ଟ ୧୩ରେ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଜୁଲାଇ ୮ରୁ ୧୫ ତାରିଖ ଯାଏ ଆବେଦନ ଚାଲିବ। ଆବେଦନକାରୀଙ୍କ ତଥ୍ୟ ୧୮ ଜୁଲାଇରେ ରାଜ୍ୟ ଚୟନ ବୋର୍ଡ(ଏସ୍‌ଏସ୍‌ବି)କୁ ପଠାଯିବ। ଅଗଷ୍ଟ ୭ରେ https://ssbodisha.ac.inରେ ଲଗଇନ୍‌ କରି ଏସ୍‌ଏସ୍‌ବି ଓ୍ବେବସାଇଟ୍‌ କିମ୍ବା ସାମ୍‌ସ ଓ୍ବେବ୍‌ସାଇଟ୍‌ରୁ ଆବେଦନକାରୀ ଆଡମିଟ୍‌ କାର୍ଡ ବା ହଲ ଟିକେଟ୍‌ ଡାଉନ୍‌ଲୋଡ କରିପାରିବେ। ଅଗଷ୍ଟ ୧୩ରେ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ଆଦି ୪ଟି ଜୋନ୍‌ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏସ୍‌ଏସ୍‌ବି ଅଗଷ୍ଟ ୧୮ରେ ପରୀକ୍ଷା ଫଳ ଓକାକକୁ ହସ୍ତାନ୍ତର କରିବେ। ଅଗଷ୍ଟ ୨୩ ଅପରାହ୍ନ ୨ଟାରେ ବିଷୟ ଆଧାରରେ ମେଧା ତାଲିକା ପ୍ରକାଶ ପାଇବ। ୨୬ରେ ସିଟ୍‌ ଆବଣ୍ଟନ ନେଇ ପ୍ରୋଭିଜନାଲ ତାଲିକା ପ୍ରକାଶ ପାଇବ। ୨୮ ତାରିଖରେ ନାମଲେଖା ଅନୁଷ୍ଠିତ ହେବା ପରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଇ-ସ୍ପେସରେ ଦାଖଲ କରାଯିବ। ତେବେ ପରୀକ୍ଷା ସମ୍ବନ୍ଧୀୟ କୌଣସି ସୂଚନା ପାଇବା ପାଇଁ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନଂ.୧୫୫୩୩୫ ଓ ୧୮୦୦-୩୪୫-୬୭୭୦ ଜାରି କରାଯାଇଛି।