ଭଲପାଇବା ଆଗରେ ହାର ମାନିଲା ଶତ୍ରୁତା: ଚକିତ କଲା ନିବିଡ଼ ବନ୍ଧୁତାର ଦୃଶ୍ୟ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):ସାଧାରଣଭାବେ କୁକୁରକୁ ଦେଖିଲେ ମାଙ୍କଡ଼ ଗଛ ଉପରକୁ ପଳାଏ। ଅନୁରୂପ ଭାବେ ମାଙ୍କଡ଼କୁ ଦେଖିଲେ କୁକୁର ଭୁକିବାକୁ ଲାଗେ। କିନ୍ତୁ ଏହି ପାରମ୍ପରିକ ଶତ୍ରୁତାକୁ ଭୁଲି ଏକ କୁକୁର ଓ ମାଙ୍କଡ଼ ମଧ୍ୟରେ ଥିବା ନିବିଡ଼ ବନ୍ଧୁତାର ଦୃଶ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି। ଏହି ଦୃଶ୍ୟଟି କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡାଘାଟ ଛକ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଏକ କୁକୁର ପିଠି ଉପରେ ଗୋଟିଏ ମାଙ୍କଡ଼ ଛୁଆ ଆରାମରେ ବସି ବୁଲୁଛି। କୁକୁରଟି ମଧ୍ୟ ବିନା ଦ୍ୱିଧାରେ ମାଙ୍କଡ଼ ଛୁଆକୁ ପିଠିରେ ବସାଇ ସହରରେ ବୁଲାଉଛି। ମାଙ୍କଡ଼ଟି କୁକୁର ବେକକୁ କୁଣ୍ଢାଇ ଧରି ବସିଥିବାବେଳେ କୁକୁରଟି ତାକୁ ନିଜର ଛୁଆ ଭଳି ସ୍ନେହ କରୁଥିବା ଦେଖାଯାଉଛି। ରାତିରେ କୁକୁରଟି ଭବାନୀପାଟଣା ସହରର ଏକ ସିନେମା ହଲ୍‌ ନିକଟ ଅଞ୍ଚଳରେ ଶୋଇ ରହୁଥିବାବେଳେ ମାଙ୍କଡ଼ ଛୁଆ ପାଖରେ ଥିବା ଦେଖିବାକୁ ମିଳିଛି। ସକାଳ ହେଲେ ମାଙ୍କଡ଼ ଛୁଆ କୁକୁର ପିଠିରେ ବସି ବୁଲୁଛି। ସ୍ଥାନୀୟ ଲୋକେ କୁକୁର ସହ ମାଙ୍କଡ଼ ଛୁଆକୁ ଖାଇବାକୁ ଦେଉଥିବା ଜଣାପଡ଼ିଛି। ଲୋକେ ଏହି ବିରଳ ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରୁଛନ୍ତି। କିଛିଦିନ ହେଲା କୁକୁରଟି ତା’ ପିଠିରେ ମାଙ୍କଡ଼କୁ ବସାଇ ଏପରି ବୁଲାଉଥିବା ସ୍ଥାନୀୟ ଲୋକମାନଙ୍କଠାରୁ ଜଣାପଡିଛି। ଏହି ଦୃଶ୍ୟଟି ଦେଖଣାହାରିଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏକ ବଡ଼ ଶିକ୍ଷା ଦେଇଛି। ପଶୁମାନଙ୍କ ମଧ୍ୟରେ ଥିବା ଏହି ଅନାବିଳ ପ୍ରେମ ଓ ବିଶ୍ୱାସ ମଣିଷସମାଜ ପାଇଁ ଉଦାହରଣ ସଦୃଶ ହୋଇଛି। କେହି କେହି ଏହାକୁ ‘ସଚ୍ଚା ବନ୍ଧୁତା’ ବୋଲି କହୁଥିବା ବେଳେ ଆଉ କେହି ଭଲପାଇବା ଆଗରେ ଶତ୍ରୁତା ମଧ୍ୟ ହାର୍‌ ମାନିଯାଏ ବୋଲି କହୁଛନ୍ତି।

 

Dharitri – Odisha’s No.1 Odia Daily

 

Share