Categories: ଖେଳ

ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା ପରେ ତାଙ୍କୁ ମଧ୍ୟ ଦଳର ଖେଳାଳିମାନେ ମଧ୍ୟ ଉପହାର ଦେଇଥିଲେ। କିନ୍ତୁ ଏହି ଉପହାର ଏପରି ଥିଲା ଯେ ଷ୍ଟ୍ରସ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦ ଅଗଷ୍ଟ ୨୦୧୨ ରେ ଷ୍ଟ୍ରସ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ସହ ଶେଷ ଟେଷ୍ଟ ମ୍ୟାଚ୍‌ ଥିଲା। ଏହାପରେ ସେ ଅବସର ନେଇ ଘୋଷଣା କରିଥିଲେ। ହେଲେ ସେତେବେଳେ ସାଥୀ କ୍ରିକେଟରମାନେ ଯାହା କରିଥିଲେ ସେ ତାହା ଆଜି ବି ଭୁଲି ନାହାନ୍ତି। ଶନିବାର ଇଂଲଣ୍ଡର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଉଥିବା ଷ୍ଟ୍ରସଙ୍କ ଜନ୍ମଦିନ। ସେ ମାର୍ଚ୍ଚ ୨, ୧୯୭୭ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଉପହାର ସମ୍ପର୍କରେ…

ଷ୍ଟ୍ରସ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଯିଏକି ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିଲେ ମଧ୍ୟ ଇଂଲଣ୍ଡ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। କେଭିନ ପିଟରସେନ୍‌ ମଧ୍ୟ ସମାନ ଖେଳାଳି ହୋଇଥିଲେ। ଷ୍ଟ୍ରସ୍‌ଙ୍କ ପରେ ଆଲାଷ୍ଟାୟର୍‌ କୁକ୍‌ ଦଳର ଅଧିନାୟକ ହୋଇଥିଲେ। ସମାନ ଗ୍ରାଉଣ୍ଡରେ ଷ୍ଟ୍ରସ ତାଙ୍କର ପ୍ରଥମ ଏବଂ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହାକୁ ମକ୍କା ଅଫ କ୍ରିକେଟ୍‌ ଅର୍ଥାତ୍‌ ଲର୍ଡସ କୁହାଯାଏ।

ଷ୍ଟ୍ରସ ଅବସର ଘୋଷଣା କରିବା ମାତ୍ରେ ତାଙ୍କ ଦଳର ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ସେ ତାଙ୍କ ଅଧିନାୟକଙ୍କ ବିଦାୟକୁ ସ୍ମରଣୀୟ କରିବାକୁ ସ୍ଥିର କରିଥିଲେ। ଏଥିପାଇଁ ଖେଳାଳିମାନେ ତାଙ୍କୁ ୧୦୦ ମଦ ବୋତଲ ଉପହାର ଦେଇଥିଲେ। ୧୦୦ ନମ୍ବର ଥିଲା ତାଙ୍କ ଟେଷ୍ଟ ମ୍ୟାଚ୍‌ ସଂଖ୍ୟା, ତେଣୁ ବୋତଲ ସଂଖ୍ୟା ମଧ୍ୟ ୧୦୦ ରଖାଯାଇଥିଲା। ଏହା ପରେ ଷ୍ଟ୍ରସ କହିଥିଲେ ଯେ ଏହା ସହିତ ସେ ଏକ ଭଲ ଅବସର ନେଇପାରିବେ।

ଷ୍ଟ୍ରସ କ୍ୟାରିୟରର ଶେଷ ପାଞ୍ଚ ବର୍ଷରେ ଦଳର ଅଧିନାୟକ ହୋଇଥିଲେ। ତାଙ୍କ ଅଧିନାୟକତ୍ୱରେ ସେ ଦଳକୁ ଅନେକ ସଫଳତା ଭେଟି ଦେଇଥିଲେ, ସେଥିରୁ ଗୋଟିଏ ଥିଲା ଆଶେସ୍‌ ଜିତିବା । ଷ୍ଟ୍ରସ୍‌ଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ୨୦୦୯ରେ ଆଶେସ ଜିତିଥିଲା।

Share