Categories: ଖେଳ

୩୦ ବର୍ଷ ପରେ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ

ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ମେଗା ଫାଇନାଲ ଖେଳାଯିବ। ରେକର୍ଡ ଅନୁସାରେ ୩୦ ବର୍ଷ ପରେ ଉଭୟ ଦଳ କୌଣସି ଏକ ବିଶ୍ୱକପ ଫାଇନାଲରେ ପରସ୍ପରକୁ ଭେଟିବେ। ଶେଷଥର ପାଇଁ ୧୯୯୨ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଉଭୟ ଦଳ ଫାଇନାଲ ଖେଳିଥିଲେ। ଏଥିରେ ଇଂଲଣ୍ଡକୁ ୨୨ ରନରେ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ସଂଯୋଗବଶତଃ ସେତେବେଳେ ମଧ୍ୟ ପାକିସ୍ତାନ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ଏବଂ ଫାଇନାଲ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।
ବିଶ୍ୱକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ଏହା ପୂର୍ବରୁ ପରସ୍ପରକୁ ୨ ଥର ଭେଟିଛନ୍ତି। ୨ ଥରଯାକ ଇଂଲଣ୍ଡ ବିଜୟୀ ହୋଇଛି। ୨୦୧୦ରେ ୬ ଉଇକେଟରେ ଏବଂ ୨୦୦୯ରେ ୪୮ ରନରେ ପାକିସ୍ତାନକୁ ହରାଇଥିଲା ଇଂଲଣ୍ଡ।
ବିଶ୍ୱକପ୍‌ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୧୦ଟି ମ୍ୟାଚ ଖେଳାଯାଇଛି। ଏଥିରୁ ପାକିସ୍ତାନ ୫ଟି ଓ ଇଂଲଣ୍ଡ ୪ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏରୁ ଫଳାଫଳ ମିଳିନାହିଁ।
ଟି୨୦ ବିଶ୍ୱକପ୍‌ ଫାଇନାଲ ପ୍ରବେଶ ପଥରେ ଉଭୟ ଇଂଲଣ୍ଡ ଓ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସୁପର-୧୨ ପର୍ଯ୍ୟାୟରେ ଜିମ୍ବାଓ୍ବେଠାରୁ ପାକିସ୍ତାନ ଏବଂ ଆୟର୍ଲାଣ୍ଡଠାରୁ ଇଂଲଣ୍ଡ ପରାଜିତ ହୋଇଥିଲା।
ଫର୍ମାଟରେ ଇଂଲଣ୍ଡ ଓ ପାକିସ୍ତାନ ପରସ୍ପରକୁ ମୋଟ ୨୮ଥର ଭେଟିଛନ୍ତି। ଏଥିରୁ ଇଂଲଣ୍ଡ ୧୮ଟିରେ ବିଜୟୀ ହୋଇଥିବାବେଳେ ପାକିସ୍ତାନ ୯ ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ ଫଳାଫଳବିହୀନ ରହିଛି। ତେବେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଉଭୟ ଦଳ ଗୋଟିଏ ହେଲେ ଟି୨୦ ମ୍ୟାଚ ଖେଳିନାହାନ୍ତି। ନିରପେକ୍ଷ ଭେନ୍ୟୁରେ ଇଂଲଣ୍ଡ ୭ଟି ଓ ପାକିସ୍ତାନ ୨ଟି ମ୍ୟାଚ ଜିତିଛି।
ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ସର୍ବାଧିକ ସ୍କୋର ୨୩୨ ଓ ସର୍ବନିମ୍ନ ୮୯। ସେହିପରି ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ସର୍ବାଧିକ ସ୍କୋର ୨୨୧ ଓ ସର୍ବନିମ୍ନ ୧୩୫।
ଓପନିଂ ଯୋଡ଼ି ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ଓପନିଂ ଯୋଡ଼ିରେ ୫୧ ଇନିଂସରୁ ସର୍ବାଧିକ ୨୫୦୯ ରନ ସଂଗ୍ରହ କରିଛନ୍ତି। ଭାରତର ଲୋକେଶ ରାହୁଲ ଓ ରୋହିତ ଶର୍ମା ଯୋଡ଼ି ୪୨ ଇନିଂସରୁ ୧୮୯୭ ରନକରି ଦ୍ୱିତୀୟରେ ରହିଛନ୍ତି।

Share