Categories: ଖେଳ

ଖରାପ ରେକର୍ଡ ହାସଲ କଲା ଇଂଲଣ୍ଡ

ମେଲବୋର୍ନ,୨୬।୧୨: ଇଂଲଣ୍ଡ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ସେଠାରେ ୫ ମ୍ୟାଚ ଆଶେସ ସିରିଜ ଖେଳାଯାଉଛି। ତୃତୀୟ ଟେଷ୍ଟ ରବିବାର ଠାରୁ ଆରମ୍ଭ ହୋଇଛି। ଆୟୋଜକ ଅଷ୍ଟ୍ରେଲିଆ ଦଳ ଏବେ ସିରିଜରେ ୨-୦ ଆଗରେ ଅଛି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂରାଜୀ ଦଳ ପୁଣି ଥରେ ଭଲ ପ୍ରଦର୍ଶନ କରିପାରି ନ ଥିଲା। ଦଳ ୨୦୦ ରନ ମାର୍କକୁ ଛୁଇଁ ପାରିଲା ନାହିଁ ଏବଂ ୧୮୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ପୁଣି ଥରେ ମ୍ୟାଚରେ ମଜଭୁତ ହୋଇଛି।
ଇଂଲଣ୍ଡର ଓପନର୍‌ ବ୍ୟାଟ୍ସମ୍ୟାନ ହସିବ ହମିଦ (୦) ଖାତା ଖୋଲିପାରି ନ ଥିଲେ। ଏହା ସହ ଇଂଲଣ୍ଡ ଦଳ ନିଜ ନାମରେ ଏକ ଖରାପ ରେକର୍ଡ ସୃଷ୍ଟି କରିଛି। ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୧ରେ ‘ଶୂନ’ରେ ୫୦ ଥର ଆଉଟ୍‌ ହୋଇଛନ୍ତି। ଚଳିତ ବର୍ଷ ଅନ୍ୟ କୌଣସି ଦଳ ଏହି ସଂଖ୍ୟାରେ ପହଞ୍ଚି ନାହାଁନ୍ତି। ଏହାପୂର୍ବରୁ ୧୯୯୮ରେ, ଇଂଲଣ୍ଡ ଖେଳାଳିମାନେ ସର୍ବାଧିକ ୫୪ ଥର ପାଇଁ ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ଦ୍ୱିତୀୟ ଇନିଂସ ବାକି ଅଛି।
ଇଂଲଣ୍ଡର ଇନିଂସ ବିଷୟରେ କହିବାକୁ ଗଲେ ଅଧିନାୟକ ଜୋ ରୁଟ ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ ୮୨ ବଲରୁ ୫୦ ରନ୍‌ର ଏକ ଇନିଂସ ଖେଳିଥିଲେ। ସେ ଏକମାତ୍ର ଖେଳାଳି ଯିଏକି ଦଳ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ଜନି ବେୟାରଷ୍ଟୋ ୩୫ ଏବଂ ବେନ ଷ୍ଟୋକ୍ସ ୨୫ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ପାଇଁ ଦ୍ରୁତ ବୋଲର ତଥା ଅଧିନାୟକ ପ୍ୟାଟ କମିନ୍ସ ସର୍ବାଧିକ ୩ ଉଇକେଟ ନେଇଥିଲେ। ଏହା ବ୍ୟତୀତ ଅଫ ସ୍ପିନର ନାଥାନ ଲିଅନ ମଧ୍ୟ ତିନିଟି ଉଇକେଟ ନେଇଥିଲେ।

Share