କଲର୍ଭଟରେ ପିଟି ହେଲା ଯନ୍ତ୍ରୀଙ୍କ କାର: ୪ ଗୁରୁତର

କୋରାପୁଟ,୪ା୪(ଅମିତାଭ ବେହେରା): କୋରାପୁଟ ସହରର ଓଏମ୍‌ପି ନିକଟସ୍ଥ ଏକ କଲର୍ଭଟରେ ଭାରସାମ୍ୟ ହରାଇ ଏକ କାର ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ପ୍ରକଳ୍ପ ଯନ୍ତ୍ରୀ ସବ୍ୟସାଚୀ ସାହୁ, ମାନୁଆଲ ଟାକ୍ରି, ବାଦଲ ଚୌଧୁରୀ ଓ ରାଜକୁମାର ନାୟକ। ଦୁର୍ଘଟଣା ପରେ କାର ସମ୍ମୁଖ ଭାଗ ଜଳିଯାଇଛି ।

କାରଟି କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ସୁନାବେଡା ଆଡୁ ନବରଙ୍ଗପୁର ଅଞ୍ଚଳକୁ ଦ୍ରୁତ ଗତିରେ ଯାଉଥିଲା। ହେଲେ କାରଟି ଭାରସାମ୍ୟ ହରାଇ ଓଡିଆଗୁଡା ଛକଠାରେ ଥିବା ଏକ କଲର୍ଭଟକୁ ଧକ୍କା ଦେଇଥିଲା ା ଫଳରେ ଗାଡିରେ ଥିବା ଉପରୋକ୍ତ ୪ବ୍ୟକ୍ତି ଗୁରୁତର ହୋଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଓ ନିକଟରେ ଥିବା ଓଏସ୍‌ଏପି ତୃତୀୟ ବାଟାଲିୟନର ମହେନ୍ଦ୍ର କୁମାରଙ୍କ ସହ ଅନ୍ୟ ସିପାହୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲକୁ ପଠାଇଥିଲେ। ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।