ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ ଶିକ୍ଷା। ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗନାଲ୍‌ ମିଳିସାରିଛି। ତେବେ କେମିତି ଓ କେଉଁ ରୂପରେଖ ନେଇ ଓଡ଼ିଆରେ ପଢ଼ାହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ନିକଟରେ ଏଆଇସିଟିଇ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନୀଲ ସହଶ୍ରବୁଦ୍ଧେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଇବାକୁ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିଲାଗି ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯିବ। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା(ଆଇଓଏସ୍‌ଆର୍‌)ର ତତ୍ତ୍ୱାବଧାନରେ ପାଠ୍ୟ ପୁସ୍ତକ ପ୍ରସ୍ତୁତି ହେବ। ଏ ନେଇ ଖୁବ୍‌ଶୀଘ୍ର ସଂସ୍ଥା ଏକ କମିଟି ଗଠନ କରି ଅନୁବାଦ କାମ ଆରମ୍ଭ କରିବ। ତେବେ ଇଞ୍ଜିନିୟରିଂ ଟର୍ମ ଗୁଡ଼ିକରେ ବିଶେଷ ପରିବର୍ତ୍ତନ ନ ହୋଇ କେବଳ ସରଳ ଭାଷାରେ ଅନୁବାଦ ହେବ। ପଛୁଆ ଅଞ୍ଚଳର ପିଲାଙ୍କ ଇଞ୍ଜିନିୟର ହେବା ସ୍ବପ୍ନରେ ଯେପରି ଇଂରାଜୀ ଭାଷା ବାଧକ ହେବ ନାଇଁ ସେଥିପାଇଁ ଏଭଳି ଏକ ଯୋଜନା କରାଯାଇଛି।