Categories: ଜାତୀୟ

ମଇଁଷି ଚରାଇବାକୁ ଗଲେ ଶକ୍ତି ମନ୍ତ୍ରୀ!

ଭୋପାଳ,୧୨।୧୦: ଦେଶର ଅନ୍ୟ ରାଜ୍ୟଗୁଡିକ ପରି ମଧ୍ୟପ୍ରଦେଶରେ ଆଜିକାଲି ବିଦ୍ୟୁତ୍‌ ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି। ବିଦ୍ୟୁତ୍‌ ସଙ୍କଟ ପାଇଁ ଲୋକମାନେ ପୂର୍ବରୁ ଚିନ୍ତିତ ଅଛନ୍ତି । ସେପଟେ ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ରାଜ୍ୟରେ ବିଦ୍ୟୁତ ସଙ୍କଟ ଚିନ୍ତା ନ କରି ସେ ଭିଡିଓରେ ମଇଁଷି ଚରାଉଥିବାର ନଜର ଆସିଛନ୍ତି। ଏହି ସମୟରେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କ ସହ ଅଛନ୍ତି। ସେମାନେ ଗ୍ବାଲିଅର୍‌ ରାସ୍ତାରେ ମଇଁଷି ଚରାଉଥିବାର ଦେଖାଯାଉଛି। ମନ୍ତ୍ରୀ ମଇଁଷି ବେକରେ ଲାଗିଥିବା ଦଉଡ଼ି ଧରିଛନ୍ତି। ମଇଁଷି ଚରାଇବା ସମୟରେ ସେମାନେ ଥଟ୍ଟା କରୁଥିବା ମଧ୍ୟ ଦେଖାଯାଇଛି।ଏହି ୩୦ ସେକେଣ୍ଡ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଏହି ଭିଡିଓ ଗତ ସୋମବାରଠାରୁ ହୋଇଛି। ସେହି ଦିନ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗ୍ବାଲିଅରରୁ ଫେରିଥିଲେ। ସେ ସକାଳେ ବାହାଦପୁରର ବିଦ୍ୟୁତ କେନ୍ଦ୍ରକୁ ମଧ୍ୟ ଯାଞ୍ଚ କରିଥିଲେ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ଶକ୍ତି ମନ୍ତ୍ରୀଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଶକ୍ତି ମନ୍ତ୍ରୀଙ୍କ ଏହି ଭିଡିଓ ନୂଆ ନୁହେଁ। ଅତୀତରେ ତାଙ୍କର ଏହିପରି ଅନେକ ଭିଡିଓ ଭାଇରାଲ ହୋଇଥିଲା। ସେ ସର୍ବଦା ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ଜଣାଶୁଣା। ପ୍ରଦ୍ୟୁମ୍ନ ସିଂ ତୋମାରଙ୍କ ଆବର୍ଜନା ସଫା କରିବା, ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର ସଫା କରିବା, ଶବଦାହରେ ଯୋଗ ଦେବା ଭଳି ଭିଡିଓ ମଧ୍ୟ ଅତୀତରେ ଭାଇରାଲ ହୋଇଛି।

Share