Categories: ରାଜ୍ୟ

ଓଡ଼ିଶାରେ ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶାରେ ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମକୁ ଏଭଳି ପୂର୍ବାନୁମାନ କରିଛନ୍ତି। ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ସେ ଶୁଣିଥିବା କହିଛନ୍ତି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପଦ୍ମପୁର ଉପନିର୍ବାଚନ ଫଳାଫଳର ପ୍ରଭାବ ପଡ଼ିବ କି ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ନିର୍ବାଚନକୁ ଅନେକ ଦିନ ରହିଛି। ବହୁତ ପ୍ରସଙ୍ଗ ଉଠିବ। ଗଣତନ୍ତ୍ରରେ ରାଜନୈତିକ ଦଳଗୁଡିକ ନିଜର ଏଜେଣ୍ଡା ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା କରିଥାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଆମେ ଲଢ଼ିଥିଲୁ। ଏବେ ଆମେ ରାଜ୍ୟରେ ବୃହତ୍‌ ବିରୋଧୀ ଦଳ। ଆମେ ଆମର ସମସ୍ତ ଦାୟିତ୍ୱସମ୍ପନ୍ନ ଏଜେଣ୍ଡାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥାଉ। ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଆମେ ଯାହା ଭାବୁଥିଲୁ, ତାହା ହେଲାନାହିଁ। ଜନମତକୁ ଆମେ ସ୍ବୀକାର କରୁଛୁ। କିନ୍ତୁ ଯିଏ ଜିତେ ସେ ବଢ଼ିଚଢ଼ି କହିବା ସ୍ବାଭାବିକ। ମହିଳାଙ୍କୁ ଅପମାନ ସମ୍ପର୍କରେ ଯିଏ ଭିଡିଓ ବାର୍ତ୍ତା ଦେଇଛନ୍ତି, ସେ ଜାଣି ରଖିବା ଉଚିତ ଭାଜପା ୭୮ ହଜାର ଭୋଟ ପାଇଛି, ଯେଉଁଥିରେ ମହିଳା ଭୋଟ ମଧ୍ୟ ରହିଛି। ଧର୍ମେନ୍ଦ୍ରଙ୍କ ମତ ଉପରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଆଗୁଆ ନିର୍ବାଚନ କରିବା କଥା କେନ୍ଦ୍ରମନ୍ତ୍ରୀ ବୋଧେ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କହୁଛନ୍ତି। ପଦ୍ମପୁର ଉପନିର୍ବାଚନ ହାରିବା ପରେ ଦଳୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ହୁଏତ କେନ୍ଦ୍ରମନ୍ତ୍ରୀ ଏଭଳି କହିଥାଇପାରନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି।