Categories: ଜାତୀୟ

ଅପେକ୍ଷାର ଅନ୍ତ: ପାକିସ୍ତାନରୁ ଭାରତ ଆସିଲେ ଦୁଇ ବୋହୂ

ବାଡମେର,୯।୩: ପାକିସ୍ତାନରେ ରହୁଥିବା ଦୁଇ ନବବିବାହିତା ଭାରତ ଫେରିଛନ୍ତି। ଦୁଇ ବର୍ଷ ପୂର୍ବେ ବିବାହ ସତ୍ତ୍ୱେ ଭିସା ନ ପାଇ ପାକିସ୍ତାନରୁ ଭାରତ ଆସିପାରି ନ ଥିଲେ। ବାଡମେର ଏବଂ ଜୈସଲମେରର ଦୁଇ ବ୍ୟକ୍ତି ବିବାହ ପରେ ପାକିସ୍ତାନରେ ସ୍ତ୍ରୀଙ୍କୁ ଛାଡି ଭାରତ ଫେରିବାକୁ ପଡିଥିଲା। ବିବାହର ଦୁଇ ବର୍ଷର ପରେ, ଅନ୍ତର୍ଜାତୀୟ ମହିଳା ଦିବସରେ ଫେରିଥିବା ଏହି ଦୁଇ ମହିଳାଙ୍କ ସମ୍ପର୍କୀୟମାନେ ସେମାନଙ୍କୁ ପାରମ୍ପରିକ ଢଙ୍ଗରେ ଅଟ୍ଟାରୀ-ୱାଘା ସୀମାରେ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ଜୈସଲମେର ଜିଲାର ବଇୟା ଗାଁର ନେପାଳ ସିଂଙ୍କ ବିବାହ ପାକିସ୍ତାନର ସିନ୍ଧ ପ୍ରଦେଶରେ ହୋଇଥିଲା। ସେ ଦୁଇ ବର୍ଷ ପୂର୍ବେ ଥର ଏକ୍ସପ୍ରେସରେ ବରଯାତ୍ରୀ ଦଳ ଧରି ପାକିସ୍ତାନ ଯାଇଥିଲେ। ନେପାଳ ସିଂ ଜାନୁଆରୀ ୨୬, ୨୦୧୯ରେ ବିବାହ କରିଥିଲେ। ସେହିଭଳି ବାଡମେର ଜିଲାର ଗିରାବ ଅଞ୍ଚଳର ମହେନ୍ଦ୍ର ସିଂ ଏପ୍ରିଲ ୧୬ ୨୦୧୯ରେ ପାକିସ୍ତାନରେ ବିବାହ କରିଥିଲେ। ଉଭୟ ବିବାହ ପରେ କନ୍ୟାକୁ ନେଇ ପାକିସ୍ତାନରୁ ଭାରତ ଆସିବାକୁ ଚାହୁଁଥିଲେ। କିନ୍ତୁ ଭିସା ନ ମିଳିବାରୁ ନେପାଳ ଏବଂ ମହେନ୍ଦ୍ରଙ୍କୁ ସ୍ତ୍ରୀଙ୍କୁ ଛାଡି ଭାରତ ଆସିବାକୁ ପଡିଥିଲା। ଦୀର୍ଘ ଦୁଇ ବର୍ଷ ପରେ ଭିସା ମିଳିବାରୁ ସେମାନେ ଭାରତ ଫେରିଛନ୍ତି।

Share