ଯୁଦ୍ଧ ଶେଷ, ଆହ୍ବାନ ଆରମ୍ଭ

କାବୁଲ/ଓ୍ବାଶିଂଟନ,୧।୯: ଆଧୁନିକ ବିଶ୍ୱର ଅନ୍ୟତମ ଲମ୍ବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ। ଜୀବନର ୨ ଦଶନ୍ଧି ବିତାଇବା ପରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆମେରିକୀୟ ସୈନ୍ୟ। ଆଫଗାନିସ୍ତାନ ମାଟିରେ ଛାଡ଼ି ଯାଇଛନ୍ତି ଅନେକ ସନ୍ତକ, ଅଭୁଲା ଅତୀତ। ଯେଉଁ ତାଲିବାନ୍‌ଠୁ ଆରମ୍ଭ ହୋଇଥିଲା କାହାଣୀ ସେଇ ତାଲିବାନ୍‌ ହାତରେ ଆଜି ଇସ୍‌ଲାମିକ୍‌ ଏମିରେଟ୍ସେ ଅଫ୍‌ ଆଫଗାନିସ୍ତାନର ଶାସନ। ଏଥର ତାଲିବାନ ଆସିଛି ନେଇ ନୂଆ ଚେହେରା ନୂତନ ସଂସ୍କରଣ ସହ। ସବୁଠି ଚର୍ଚ୍ଚାରେ ଆତଙ୍କବାଦୀ ସଙ୍ଗଠନର ମିଥ୍ୟା ଅହିଂସା ଘୋଷଣା ଓ ତଦ୍‌ଜନିତ ଭଦ୍ର ଅଭିନୟ। ୟା’ ଭିତରେ ଛିଡ଼ା ହୋଇଛି ଗୋଟିଏ ପ୍ରଶ୍ନ: ଆମେରିକା ବିରୋଧରେ ଯୁଦ୍ଧ ଶେଷ ହୋଇଗଲା ସିନା; ଦାରିଦ୍ର୍ୟ, ଦୁର୍ନୀତି, ଆତଙ୍କ, ଅସ୍ଥିରତା ବିରୋଧରେ ଚ୍ୟାଲେଞ୍ଜକୁ କିପରି ସାମ୍ନା କରିବ ଆଫଗାନିସ୍ତାନ।

ଆମେରିକାର ଶେଷ ୬,୦୦୦ ସୈନ୍ୟ ସ୍ବଦେଶକୁ ଫେରିଯିବା ପରେ ମଙ୍ଗଳବାର ଆଫଗାନିସ୍ତାନରେ ଉଇଁଛି ନୂଆ ସୂର୍ଯ୍ୟ। ରାଜଧାନୀ କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସୂର୍ଯ୍ୟାଲୋକ ଛୁଇଁବା ପୂର୍ବରୁ ଦଖଲ କରିଛି ତାଲିବାନ୍‌। ସଶସ୍ତ୍ର ଫାଇଟର୍‌ମାନେ ଏୟାରପୋର୍ଟକୁ ମାଡ଼ିଆସିଥିବାବେଳେ ତାଲିବାନ୍‌ ନେତାମାନେ ରନ୍‌ଓ୍ବେ’ରେ ପ୍ରତୀକାମତ୍କ ଭାବେ ଚାଲି ଚାଲି କରିଛନ୍ତି ବିଜୟ ଘୋଷଣା। ସେମାନେ ଗୁଳି ଫୁଟାଇ ମନାଇଛନ୍ତି ଉତ୍ସବ। ଆତଙ୍କବାଦୀ ସଙ୍ଗଠନ ଏହାକୁ ମହାଶକ୍ତି ଆମେରିକାର ପରାଜୟ ଭାବେ ଅଭିହିତ କରି ନିଜକୁ ବିଜେତା ଘୋଷଣା କରିଛି। ନିଜର ପ୍ରଥମ ପାଳି ଶାସନ (୧୯୯୬-୨୦୦୧) ତୁଳନାରେ ଆଫଗାନିସ୍ତାନବାସୀ ଏଥର ଏକ ସହିଷ୍ଣୁ ଓ ଶାନ୍ତ ତାଲିବାନ୍‌କୁ ଦେଖିବେ ବୋଲି ସଙ୍ଗଠନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ଯୁଦ୍ଧରେ ଛିନ୍‌ଛତ୍ର ଆଫଗାନିସ୍ତାନରେ ଦୁଇ ଦଶନ୍ଧି ପରେ ପୁଣି କ୍ଷମତାକୁ ଫେରିଛି ଆତଙ୍କବାଦୀ ସଙ୍ଗଠନ। ତାଲିବାନୀ ଲଢ଼ୁଆମାନେ କାବୁଲ ଏୟାରପୋର୍ଟରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ କହିଛନ୍ତି, ଆମେରିକାର ପରାଜୟ ଅନ୍ୟ ଆକ୍ରମଣକାରୀମାନଙ୍କ ପାଇଁ ଏକ ଶିକ୍ଷା। ଆମେରିକା ସମେତ ବିଶ୍ୱ ସମୁଦାୟ ସହ ଆମେ ସୁସମ୍ପର୍କ ଚାହୁଁ। ସେମାନଙ୍କ ସହିତ କୂଟନୈତିକ ସମ୍ପର୍କକୁ ଆମେ ସ୍ବାଗତ କରୁଛୁ। ଅନ୍ୟପକ୍ଷେ ପୂର୍ବ ଶାସନ ବେଳ ନ୍ୟାୟିକ ବ୍ୟବସ୍ଥାର ବର୍ବରତାକୁ ସ୍ମରଣ କରି ଶିହରି ଉଠୁଛନ୍ତି ଆଫଗାନ୍‌। ସ୍କୁଲରେ ଝିଅଙ୍କ ପାଠପଢ଼ା ଓ ମହିଳାଙ୍କ ସ୍ବାଧୀନତା ଏବେ ବିପଦରେ। ତାଲିବାନ୍‌ ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ହାତକୁ ନେବା ପରେ ଆଫଗାନିସ୍ତାନକୁ କିପରି ଚଳାଇବ ତା’ ଉପରେ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ତାଲିବାନ୍‌ ଅନ୍ୟ ବିଦେଶୀମାନଙ୍କୁ ଦେଶକୁ ଆସିବାକୁ ଓ ଆଫଗାନ୍‌ମାନଙ୍କୁ ଦେଶଛାଡ଼ି ଚାଲିଯିବାକୁ ଅନୁମତି ଦେବ କି ନାହିଁ ତାହା ଜାଣିବା ପାଇଁ ଉତ୍ସୁକତା ଲାଗିରହିଛି। ଏବେ ଆଫଗାନିସ୍ତାନରେ ଆମେରିକାର ୨୦୦ରୁ କମ୍‌ ନାଗରିକ ଅଛନ୍ତି। ସେମାନେ ମଧ୍ୟ ଫେରିଆସିବେ ବୋଲି ବାଇଡେନ୍‌ଙ୍କ ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟେନି ବ୍ଲିଙ୍କେନ୍‌ କହିଛନ୍ତି। କାବୁଲରେ ଆମେରିକା ନିଜର ସବୁ କୂଟନୈତିକ ଉପସ୍ଥିତି ଶେଷ କରିଛି ଏବଂ କାତାରକୁ ଅପରେଶନ ସ୍ଥାନାନ୍ତର କରିଛି। ଏଥିସହ ଆମେରିକା-ଆଫଗାନିସ୍ତାନ ସମ୍ପର୍କର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପୂର୍ବରୁ ଆମେରିକା ସମର୍ଥିତ ସରକାରକୁ ସମର୍ଥନ କରିଥିବା ଆଫଗାନ୍‌ମାନେ ମଧ୍ୟ ଆତଙ୍କରେ ଅଛନ୍ତି। ସେମାନେ ବି ଦେଶ ଛାଡ଼ିଯିବା ପାଇଁ ଅପେକ୍ଷାରତ। ଏବେ ତାଲିବାନ୍‌ କାବୁଲ ଏୟାରପୋର୍ଟକୁ କିପରି ପରିଚାଳନା କରିବ ତାହା ମଧ୍ୟ ଏକ ବଡ଼ ଚିନ୍ତା। ଏନେଇ ତାଲିବାନ୍‌ ପକ୍ଷରୁ ତୁର୍କୀକୁ ଅନୁରୋଧ କରାଯାଇଥିଲେ ହେଁ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ତାକୁ ଗ୍ରହଣ କରିନାହାନ୍ତି। ସେହିପରି କାବୁଲ ବିମାନବନ୍ଦରରୁ କେଉଁ ଏୟାରଲାଇନ୍‌ର ବିମାନ ଚଳାଚଳ କରିବ ତାହା ମଧ୍ୟ ସ୍ଥିର ହୋଇନାହିଁ। ଇତିମଧ୍ୟରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟର ଏୟାରଲିଫ୍ଟ ଅପରେଶନରେ ୧,୨୩,୦୦୦ରୁ ଊର୍ଦ୍ଧ୍ୱ ଜଣ କାବୁଲ ଏୟାରପୋର୍ଟରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ହୋଇଛନ୍ତି। ଅଗଷ୍ଟ ୧୫ରେ ତାଲିବାନ୍‌ର କାବୁଲ ଦଖଲ ପରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆମେରିକାର ରିପବ୍ଲିକାନ୍‌ ସିନେଟର ରିକ୍‌ ସ୍କଟ କହିଛନ୍ତି, ଆମେ ଅସରନ୍ତି ଯୁଦ୍ଧ ଲଢ଼ିପାରିବା ନାହିଁ। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଫଳତା ଆମେରିକୀୟଙ୍କ ପାଇଁ ଲଜ୍ଜା ଆଣିଦେଇଛି।

ହେଲିକପ୍ଟରରୁ ଝୁଲାଇ ଦେଲେ

କାନ୍ଦାହାର ପ୍ରଦେଶରେ ଆତଙ୍କବାଦୀଙ୍କ ଅକାଶମାର୍ଗରୁ ପାଟ୍ରୋଲିଂ। ଜଣେ ବ୍ୟକ୍ତିଙ୍କୁ ଦଉଡ଼ିରେ ବାନ୍ଧି ହେଲିକପ୍ଟରରୁ ଝୁଲାଇ ଦିଆଯାଇଛି। ହେଲିକପ୍ଟର ଉଡ଼ୁଛି ଓ ବ୍ୟକ୍ତି ଜଣକ ତଳକୁ ଝୁଲି ରହିଛନ୍ତି। କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଆମେରିକୀୟ ସୈନ୍ୟ ଫେରିଯିବା ପରେ ସେମାନେ ଛାଡ଼ିଯାଇଥିବା ବ୍ଲାକ୍‌ ହକ୍‌ ହେଲିକପ୍ଟରକୁ ବ୍ୟବହାର କରି ଲୋକଙ୍କୁ ଏମିତି ଶାସ୍ତି ଦେଉଛି ତାଲିବାନ୍‌। ଏହି ହୃଦୟ ବିଦାରକ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ଯେଉଁମାନେ ଆମେରିକୀୟ ସୈନ୍ୟଙ୍କୁ ସହଯୋଗ କରୁଥିଲେ ସେମାନଙ୍କ ଜୀବନ ପ୍ରତି ଏଭଳି ବିପଦ ଦେଖାଦେଇଛି। ସଶସ୍ତ୍ର ତାଲିବାନୀ ଘରେ ଘରେ ପଶି ଯାଞ୍ଚ କରୁଛନ୍ତି।

ତାଲିବାନ୍‌ ପାଇଁ ପାକିସ୍ତାନର ଓକିଲାତି

 

 

ବିଶ୍ୱ ସମୁଦାୟ ଆଫଗାନିସ୍ତାନକୁ ଛାଡ଼ି ଦେଇପାରିବ ନାହିଁ। ଅତୀତର ଭୁଲ୍‌କୁ ଦୋହରାଇଲେ ଯୁଦ୍ଧ ପ୍ରଭାବିତ ପଡ଼ୋଶୀ ଦେଶରେ ସଙ୍କଟ ଆହୁରି ଜଟିଳ ହୋଇଯିବ ବୋଲି ପାକିସ୍ତାନ ଚେତାଇ ଦେଇଛି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ ମଙ୍ଗଳବାର ତାଙ୍କ ଜର୍ମାନ ପ୍ରତିପକ୍ଷ ହେଇକୋ ମାସ୍‌ଙ୍କ ସହ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆଫଗାନିସ୍ତାନ ଇତିହାସରେ ଏହା ଏକ ଘଡ଼ିସନ୍ଧି ମୁହୂର୍ତ୍ତ। ମାନବିକତା ଦୃଷ୍ଟିରୁ ଅନ୍ତର୍ଜାତୀୟ ସମୁଦାୟ ତାଲିବାନ୍‌ ସହ ଆଲୋଚନା କରୁ। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ଏହା ଅପରିହାର୍ଯ୍ୟ ବୋଲି କ୍ୟୁରେଶୀ ମତ ଦେଇଛନ୍ତି।

ଏହା ଦୁଃସ୍ବପ୍ନ ହୋଇଥା’ନ୍ତା କି

ଆମକୁ ଘରୁ ବାହାରିବାକୁ ଦିଆଯିବନି, କାମକୁ ଯାଇପାରିିବୁନି। ବନ୍ଦୀ ଜୀବନ କାଟିବୁ। ଏହା ଏକ ଦୁଃସ୍ବପ୍ନ ହୋଇଥାନ୍ତା କି। କାବୁଲରେ ବଞ୍ଚିବା ଏବେ କଷ୍ଟକର। ନିଜ ଭିୟର୍ସଙ୍କଠାରୁ ଦୂରେଇ ଯିବା ପୂର୍ବରୁ ଏହା ମୋର ଶେଷ ଭିଡିଓ। କାବୁଲ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜୀବନ ହରାଇବା ପୂର୍ବରୁ ଏହା ଥିଲା ଜଣେ ଆଫଗାନ୍‌ ମହିଳାଙ୍କ ଶେଷ ୟୁଟ୍ୟୁବ୍‌ ଭିଡିଓ। ଯେଉଁଥିରେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦର୍ଶକଙ୍କୁ ନିବେଦନ କରିଥିଲେ ୨୦ ବର୍ଷୀୟା ନଜ୍‌ମା ସାଦ୍‌କି।
ସାମ୍ବଦିକତାର ଶେଷ ବର୍ଷର ଛାତ୍ରୀ ଥିଲେ। ନିକଟରେ ସେ ଆଫଗାନ୍‌ ଇନ୍‌ସାଇଡର ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିଲେ। ଏଥିରେ ସେ ସାଙ୍ଗମାନଙ୍କ ସହ କାବୁଲ ଭ୍ରମଣ, ରୋଷେଇ, ଆଧୁନିକ ପୋଷାକ ପିନ୍ଧି ସଙ୍ଗୀତ, ନୃତ୍ୟ ଆଦି ଭିଡିଓ ଅପ୍‌ଲୋଡ୍‌ କରିଥାନ୍ତି। ତାଙ୍କ ଭିଡିଓକୁ ୨ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଭିୟୁ ଆସିଥାଏ। କିନ୍ତୁ ଶେଷ ଭିଡିଓରେ ତାଙ୍କ ମୁହଁରେ ପୂର୍ବର ଖୁସି ନ ଥିଲା। ମହିଳାଙ୍କ ଅଧିକାର ତାଲିବାନ୍‌ ଛଡ଼ାଇ ନେବ ବୋଲି ସେ ନିଶ୍ଚିତ ଥିବାରୁ ଦେଶ ଛାଡ଼ିବାକୁ ପହଞ୍ଚିଥିଲେ ବିମାନବନ୍ଦର ନିକଟରେ। ହେଲେ ତାଲିବାନ୍‌ ମାରିବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ସେ ପ୍ରାଣ ହରାଇଛନ୍ତି।

ସେହି ତାଲିବାନ୍‌

ସେହି ୨୦ ବର୍ଷ ତଳର ତାଲିବାନ୍‌, ସେଇ ଆତଙ୍କର ସୌଦାଗର। ନା ବଦଳିଛି ନା କେବେ ବଦଳିବ ରକ୍ତପିପାସୁ ରାକ୍ଷସ। କଥା କଥାକେ ମୁଣ୍ଡକାଟ୍‌, ଏକେ-୪୭ ମୁନରେ ଶାସନ। କିଏ ବିଶ୍ୱାସ କରିବ ଏମାନେ ସର୍ବକ୍ଷମା ଦେବେ। ସବୁ ଯନ୍ତ୍ରଣାକୁ ଭୁଲିଯାଇଛୁ, ପ୍ରତିଶୋଧ ନିଆଯିବ ନାହିଁ ବୋଲି ଦୁନିଆ ଆଗରେ ଯେତେ ସଫେଇ ଦେଲେ ବି ଆଚରଣରେ ଫରକ୍‌ ଧରାପକାଇ ଦେଉଛି ଷ୍ଟୁଡେଣ୍ଟ ଅଫ୍‌ ଇସ୍‌ଲାମ୍‌କୁ। ଗଣମାଧ୍ୟମ ଷ୍ଟୁଡିଓରେ ମୁଖିଆଙ୍କ ନିର୍ଭୟ ପ୍ରତିଶ୍ରୁତି ଓ ରାସ୍ତାରେ ସଶସ୍ତ୍ର ବନ୍ଧୁକଧାରୀଙ୍କ ଆଚରଣ କହିଦେଉଛି ଆଗକୁ କ’ଣ ହେବାକୁ ଯାଉଛି ୩.୮ କୋଟି ଆଫଗାନ୍‌ଙ୍କ ସହ।

 

ଅସହାୟ ଆଫଗାନ୍‌

ସ୍ବାଧୀନତା ଆଶାରେ ଜୀବନକୁ ବାଜି ଲଗାଇ ଧାଇଁଥିଲୁ କାବୁଲ ଏୟାରପୋର୍ଟକୁ। ଗୁଳି ଫୁଟିଲା, ରକେଟ ଉଡ଼ିଲା। ହଜିଗଲା ଯାତ୍ରା ଦସ୍ତାବିଜ। କିଏ ବିଦେଶ ଗଲା ତ ଆଉ କିଏ ଆରପାରିକୁ। ଆମ ପାଇଁ ନା ଆସିଲା ପାଳି, ନା ମିଳିଲା ପଳାୟନର ସୁଯୋଗ। ବାଇଡେନ୍‌ ପ୍ରଶାସନ କହିଛି, ତୁମ କଥା ଏବେ ତୁମେ ବୁଝ। ଭାଗ୍ୟକୁ ଆଦରି ବସିବୁ କି ଲଢ଼େଇ କରିବୁ। ଆଫଗାନିସ୍ତାନ ନ ପାଲଟୁ ଆଉ ଏକ ଇରାକ୍‌ କି ସିରିଆ। ଆଲ୍ଲାଙ୍କ ନିକଟରେ ଏତିକି ପ୍ରାର୍ଥନା ବୋଲି ଛଳଛଳ ଆଖିରେ କହିଛନ୍ତି ଜଣେ ଆଫଗାନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri