କାଷ୍ଟ୍ରୋ ଯୁଗର ଅବସାନ

ହାଭାନା, ୧୮।୪ : କ୍ୟୁବା କମ୍ୟୁନିଷ୍ଟ ପାର୍ଟି (ପିସିସି)ର ନେତା ପଦରୁ ଅବସର ଘୋଷଣା କରିଛନ୍ତି ରାଉଲ କାଷ୍ଟ୍ରୋ। ଏଥିସହିତ କ୍ୟୁବାରେ କାଷ୍ଟ୍ରୋ ଯୁଗର ଅବସାନ ଘଟିଛି। ଦୀର୍ଘ ୬୨ ବର୍ଷ ଧରି କାଷ୍ଟ୍ରୋ ଭ୍ରାତା କ୍ୟୁବାକୁ ଶାସନ କରିଆସୁଥିଲେ।
କ୍ୟୁବା ବିପ୍ଳବର ନେତୃତ୍ୱ ନେଉଥିବା ଫିଡେଲ କାଷ୍ଟ୍ରୋ ଓ ତାଙ୍କ ସହଯୋଗୀ ଗୋଷ୍ଠୀ ୧୯୫୯ ଜାନୁୟାରୀ ୧ରେ ଫୁଲଗେନସିଓ ବାଟିଷ୍ଟା ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ। ଏହା ପରେ ଫିଡେଲ ଦେଶର ପ୍ରଧାନମନ୍ତ୍ରୀ ଭାବେ ୧୯୫୯ରୁ ୧୯୭୬ ପର୍ଯ୍ୟନ୍ତ ରହିଥିଲେ। ସେ ମଧ୍ୟ ୧୯୬୧ରୁ ୨୦୧୧ ପର୍ଯ୍ୟନ୍ତ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ ରହିଥିଲେ, ଯାହା ସର୍ବୋଚ୍ଚ ପଦବୀ। ୧୯୭୬ରେ ଫିଡେଲ୍‌ କ୍ୟୁବାର ରାଷ୍ଟ୍ରପତି ହୋଇ ୨୦୦୮ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହା ପରେ ସେ ତାଙ୍କ ଭାଇ ରାଉଲ କାଷ୍ଟ୍ରୋଙ୍କୁ ରାଷ୍ଟ୍ରପତି ପଦବୀ ହସ୍ତାନ୍ତର କରିଥିଲେ ହେଁ ନିଜେ ୨୦୧୧ ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟିର ପ୍ରଥମ ସମ୍ପାଦକ ରହିଥିଲେ। ଫିଡେଲଙ୍କ ଶାସନ କାଳରେ କ୍ୟୁବାର ଅର୍ଥନୀତି, ରାଜନୀତି ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଥିଲା। ୨୦୧୬ରେ ଫିଡେଲଙ୍କର ପରଲୋକ ହୋଇଥିଲା।
୨୦୧୧ ଏପ୍ରିଲରେ ରାଉଲ୍‌ କ୍ୟୁବାର କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ହୋଇଥିଲେ। ସେ ୧୯୭୫ରୁ କମ୍ୟୁନିଷ୍ଟ ପାର୍ଟି ପଲିଟବ୍ୟୁରୋ ସଦସ୍ୟ ଥିଲେ ଏବଂ ୧୯୫୯ରୁ ୨୦୦୮ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଫିଡେଲ ଅସୁସ୍ଥ ହେବା କାରଣରୁ ୨୦୦୬ ଜୁଲାଇ ୩୧ରୁ ସେ କ୍ୟୁବାର କାର୍ଯ୍ୟକାରୀ ରାଷ୍ଟ୍ରପତି ହୋଇଥିଲେ। ୨୦୦୮ ଫେବୃୟାରୀ ୨୪ରେ ତାଙ୍କୁ ରାଷ୍ଟ୍ରପତି ଘୋଷଣା କରାଯାଇଥିଲା। ୨୦୧୩ରେ ସେ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୮ରେ ପୁନର୍ବାର ନିର୍ବାଚିତ ହେବାକୁ ରାଜି ନ ହୋଇ ସେହିବର୍ଷ ଏପ୍ରିଲ ୧୯ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ ପଦରେ ରହିଥିବା ରାଉଲ ଶୁକ୍ରବାର ଇସ୍ତଫା ଘୋଷଣା କରିଛନ୍ତି।
ତାଙ୍କର ମିଶନ ପୂରଣ ହୋଇଛି ଏବଂ ଦେଶର ଭବିଷ୍ୟତ ଉପରେ ସେ ସମ୍ପୂର୍ଣ୍ଣ ଆସ୍ଥାବାନ ଅଛନ୍ତି ବୋଲି ଶୁକ୍ରବାର ପିସିସି ଅଷ୍ଟମ କଂଗ୍ରେସର ପ୍ରଥମ ଦିନରେ ଉଦ୍‌ବୋଧନ ଦେଇ ରାଉଲ କହିଛନ୍ତି। ସେ ଆଉ ଅଧିକ ଦିନ ସର୍ବୋଚ୍ଚ ପଦବୀରେ ରହିବାକୁ ଚାହୁଁ ନ ଥିବା ୮୯ ବର୍ଷୀୟ ରାଉଲ ନିଜର ଇଚ୍ଛାବ୍ୟକ୍ତ କରିଥିଲେ। ତେବେ ବଞ୍ଚତ୍ଥିବା ପର୍ଯ୍ୟନ୍ତ ବିପ୍ଳବୀ ଯୋଦ୍ଧା ଭାବେ ଦେଶ ପାଇଁ ଲଢ଼େଇ କରିବାକୁ ସେ ପ୍ରସ୍ତୁତ ବୋଲି କହିଥିଲେ। ସେଠାରେ ଉପସ୍ଥିତ ପ୍ରତିନିଧିମାନେ ଛିଡ଼ାହୋଇ ରାଉଲଙ୍କୁ ସମ୍ମାନ ଜଣାଇଥିଲେ। ପିସିସି ଅଷ୍ଟମ କଂଗ୍ରେସର ଶେଷ ଦିନ ସୋମବାର ଦଳର ନୂଆ ନେତା ନିର୍ବାଚନ କରାଯିବ ବୋଲି ଜଣାପଡ଼ିଛି।

Share