ଗଣଜୀବନର ବିଶ୍ବକୋଷ

ଗଣନାଟ୍ୟ ଜଗତରେ ଗଣକବି ବୈଷ୍ଣବ ପାଣି ଥିଲେ ଆଦ୍ୟ ମୋସୁମୀର ଜଳକଣାସିକ୍ତ ଏକ ପ୍ରଚଣ୍ଡ ଝଡ଼, ଯାହାର ଆଘାତରେ ଆଜିସୁଦ୍ଧା ଶିହରିତ ହେଉଛି ଗଣଚେତନାର ରସକଦମ୍ବ। ଦରିଦ୍ରତା ପଙ୍କରେ ସାରା ଜୀବନ ଡହଳ ବିକଳ ହୋଇ ବୁଡ଼ି ରହିଥିଲେ ବି ପ୍ରଚଣ୍ଡ ପ୍ରତିଭା ବଳରେ ଓଡ଼ିଶାର ମାଟି-ମଟାଳକୁ, ପାଣି-ପବନକୁ ଓ ଜନ-ଜୀବନକୁ ସେ ଶୁଣେଇଛନ୍ତି ଏକ ନୂତନ କ୍ରାନ୍ତି ଓ ସଂକ୍ରାନ୍ତିର ଆବାହନୀ। ବିଶେଷକରି ଗୀତିନାଟ୍ୟରେ ବିଭିନ୍ନ ଚରିତ୍ରର ପ୍ରବର୍ତ୍ତନ କରାଇ ଏହାକୁ ଅଧିକ ନାଟକୀୟ କରିଥିଲେ, ଯାହା ଥିଲା ଓଡ଼ିଆ ଯାତ୍ରାରେ ଅଭିବ୍ୟକ୍ତିର ନୂତନ ମଙ୍ଗମୋଡ଼।
ଓଡ଼ିଶାରେ ଗଣନାଟ୍ୟ ଶୈଳୀର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ହେଉଛି ଯାତ୍ରା। ଏହା ଗଣନାଟକର ଭିନ୍ନ ଭିନ୍ନ ଶୈଳୀର ଏକ ଚମତ୍କାର ସମନ୍ବୟ। ଗଣ ଜୀବନର ହସ-କାନ୍ଦ, ଆଶା-ଆକାଂକ୍ଷା, ଅଭାବ-ଅନଟନ, ନ୍ୟାୟ -ଅନ୍ୟାୟ ଆଦି ଗଣନାଟକର ରସମୟ ରୂପ। ନଗର ଜୀବନ ନୁହେଁ, ପଲ୍ଲୀ ମାଟିର ଅଗଣିତ ଜନତା ହିଁ ଗଣ। ସେହିମାନଙ୍କ କଳା ବିନୋଦନ ଓ ଜୀବନଚର୍ଯ୍ୟା ହିଁ ଗଣନାଟ୍ୟର ପ୍ରାଣ। ପଲ୍ଲୀ ଜୀବନର ରସଚର୍ଯ୍ୟା ପାଇଁ ପାଣିକବି ଗଣନାଟ୍ୟକୁ ବାଛିନେଲେ ଏବଂ ନାଟ୍ୟ ବିନୋଦନ ମାଧ୍ୟମରେ ଗଣଜୀବନକୁ ଦେଲେ ଦିଗ୍‌ଦର୍ଶନ। ଆନୁଷ୍ଠାନିକ ପାଠପଢ଼ା ଥିଲା ପଞ୍ଚମ ଶ୍ରେଣୀ। କିନ୍ତୁ ଗଣବିଦ୍ୟାଳୟ ଥିଲା ତାଙ୍କର ଅସଲ ପଢ଼ାକ୍ଷେତ୍ର। ଗଣ ହିଁ ଥିଲେ ତାଙ୍କ ଶ୍ରୋତା, ଦର୍ଶକ ଓ ପ୍ରଶଂସକ। ଅଭିନୟ, ଓସ୍ତାତି, ଗୀତ ରଚନା, ନାଟ୍ୟ ରଚନା ଓ ସଙ୍ଗୀତ ସଂଯୋଜନା ଆଦି ନାଟ୍ୟକଳାର ପ୍ରତ୍ୟେକ କ୍ଷେତ୍ରରେ ଥିଲା ତାଙ୍କର ଅସାଧାରଣ ପାରଦର୍ଶିତା। ଏହି ସଫଳତା ସେ ପାଇଥିଲେ ଏକଲବ୍ୟ ପରି, ବିନା ଗୁରୁରେ ଜଣେ ମୌଳିକ ଯାତ୍ରାକାର ଭାବରେ।
ବୈଷ୍ଣବ ପାଣି ଥିଲେ ମୁଖ୍ୟତଃ କବି। କସରତିଆ କବି ନୁହନ୍ତି, ଆଶୁକବି। ପାଲା ଗାୟକ ଭାବରେ ସେ ଆରମ୍ଭ କରିଥିଲେ ତାଙ୍କ କଳାକାର ଜୀବନ। ତତ୍କାଳ ଗୀତ ସଂଯୋଜନା କରି ଗାଇବାକୁ ପଡୁଥିଲା ବରାଦ ଆସିବା ମାତ୍ରେ। ସେତେବେଳ ଓଡ଼ିଶାରେ ନୂଆ ନୂଆ ଚାଲିଥିଲା ରେଳଗାଡ଼ି। ବରାଦ ଆସିଲା (ଧାନମଣ୍ଡଳ ପାଖରେ) ରେଳଗାଡ଼ି ଉପରେ କବିତା ବୋଲିବା ପାଇଁ। କବି ଚାମର ବୁଲାଇ ତତ୍‌କ୍ଷଣାତ ଗାଇଲେ-”ଧନ୍ୟ ଧନ୍ୟ ଫିରିଙ୍ଗି ଯୋଡି ଶୂନ୍ୟେ ଚଳାଇଛି ରେଳଗାଡ଼ି, ପବନ ହୁଁ ଖରେ ଯାଉଛି ଉଡ଼ି“। ଏହାର ଭାଷା ଥିଲା ସରଳ ଓ ସାବଲୀଳ। ବିଶେଷକରି ଏଥିରେ ଅୟାସଲବ୍ଧ କବିତ୍ୱ ଅପେକ୍ଷା ଅନୁଭୂତି ଲବ୍ଧ ଆବେଗ ଓ ସ୍ପନ୍ଦନର ସ୍ପର୍ଶ ବେଶି, ଯାହା ଶୁଣି ମୁଗ୍ଧ ଓ ସ୍ତବ୍ଧ ହୋଇଥିଲେ ଶ୍ରୋତା ମଣ୍ଡଳୀ। ପାଲା ଗାୟକ ଭାବରେ ରାମାୟଣ, ମହାଭାରତ, ଭାଗବତ ଓ ନୃସିଂହ ପୁରାଣ ଆଦି ଗ୍ରନ୍ଥ ଅଧ୍ୟୟନ କରି ସେଥିରୁ ସେ ଅନେକ ଉପାଖ୍ୟାନ ଗ୍ରହଣ କରିଛନ୍ତି ଏବଂ ତା’ର ନାନ୍ଦନିକ ନିର୍ଯାସକୁ ପ୍ରୟୋଗ କରିଛନ୍ତି ନାଟକୀୟ କଳା ପାଟବତାରେ।
ରାଧାନାଥ ଯୁଗର ପ୍ରଚଣ୍ଡ ମଧ୍ୟାହ୍ନରେ ବୈଷ୍ଣବ ପାଣିଙ୍କର ଆବିର୍ଭାବ। ଓଡ଼ିଆ କାବ୍ୟ ଧାରାରେ ପରିବର୍ତ୍ତନ ଆଣିଥିବା ରାଧାନାଥୀ କାବ୍ୟର ବୋଦ୍ଧିକ ରସକଦମ୍ବ ଶିକ୍ଷିତ ସମାଜର କାବ୍ୟତୃଷ୍ଣା ନିବାରଣ କରିଥିଲା ସତ, କିନ୍ତୁ ସେଥିରେ ନ ଥିଲା ଗ୍ରାମ୍ୟ ଜୀବନବୋଧର ଚିତ୍ର ଓ ଚଟୁଳ ରସିକତା। ପାଣିକବି ଏହି ଅଭାବକୁ ପୂରଣ କରି ଜିଣିଲେ ଗଣହୃଦୟ। ଜଣେ ଓସ୍ତାତି ଅଭିନେତା ଭାବରେ ଗୋବର୍ଦ୍ଧନ ନାୟକଙ୍କ ଯାତ୍ରାଦଳ ସହିତ ବାଦିଯାତ୍ରାରେ ପରାଜୟର ଗ୍ଳାନି ହିଁ ତାଙ୍କ ଭିତରେ ଭରିଥିଲା ନାଟକ ଲେଖିବାର ଦୁର୍ବାର ପ୍ରେରଣା। ନିଜ ଜନ୍ମସ୍ଥାନ କୋଠପଦା (ମାହାଙ୍ଗା) ନିକଟସ୍ଥ କଅଁରପୁର ଗ୍ରାମର ପ୍ରତିଷ୍ଠିତ ଦେବତା ବିନୋଦବିହାରୀଙ୍କ ଆଶୀର୍ବାଦରୁ ୨୨ ବର୍ଷ ବୟସରେ ସେ ରଚନା କଲେ (୧୯୦୩) ଜୀବନର ପ୍ରଥମ ଗୀତାଭିନୟ ‘ମେଘନାଦ ବଧ’। ଏହାର କବିତ୍ୱରେ ରାଧାନାଥୀୟ ସାମ୍ଭ୍ରାନ୍ତ୍ୟ ନ ଥିଲା ସତ, ନାଟକୀୟ ଉତ୍କଣ୍ଠା ସାଙ୍ଗକୁ କାରୁଣ୍ୟର ମର୍ମସ୍ପର୍ଶୀ ସ୍ପନ୍ଦନ ତାଙ୍କ ଆଦ୍ୟ ସୃଷ୍ଟିକୁ ଦେଇଥିଲା ଏକ ଅବିଶ୍ୱସନୀୟ ସଫଳତା। ପରବର୍ତ୍ତୀ ରଚନା ଥିଲା ‘ରଙ୍ଗସଭା’ ଓ ‘ବ୍ରଜଲୀଳା’। ସେତେବେଳ ଏଇ ସାମାନ୍ୟ ପୁଞ୍ଜିରେ ଗ୍ରାମେଗ୍ରାମେ ବଚ୍ଛୁରିତ ହୋଇପଡିଲା କବିଙ୍କ ଯଶ ଓ ଲୋକପ୍ରିୟତା। ଅଗଣିତ ଗଣଜୀବନର ସମର୍ଥନକୁ ପାଥେୟ କରି ସେ ଲେଖିଚାଲିଲେ ରଙ୍ଗସଭା, ମହୀରାବଣ ବଧ, ନଳ ଦମୟନ୍ତୀ, ଖୁଲଣା ସୁନ୍ଦରୀ, କୀଚକ ବଧ, ଦକ୍ଷଯଜ୍ଞ, କପଟପାଶା, ଶ୍ରୀୟା ଚାଣ୍ଡାଳୁଣୀ, ଭକ୍ତ ସୁଦାମା ଓ ବସନ୍ତ ରାସ ଆଦି ଶତାଧିକ ଗୀତିନାଟ୍ୟ। କେବଳ ଓଡ଼ିଶା ନୁହେଁ, ତାଙ୍କ ନାଟ୍ୟ ପରିବେଷଣ କଳା କଲିକତା ଓ ତା’ର ଆଖପାଖ ଅଞ୍ଚଳରେ ସୃଷ୍ଟିକଲା ଅପୂର୍ବ ଆଲୋଡ଼ନ ଓ ଉନ୍ମାଦନା। ଜଣେ ଆଲୋଚକଙ୍କ ମତରେ କଲିକତାର ନାଟ୍ୟପ୍ରେମୀଙ୍କ ନିକଟରେ ବୈଷ୍ଣବ ପାଣି ଥିଲେ କିମ୍ବଦନ୍ତୀ ପୁରୁଷ। ଗଣକବିଙ୍କୁ ଜଣାଥିଲା ଓଡ଼ିଆ ଭାଷାର କଳାକୁଶଳତା ବ୍ୟବହାରିକ ଚମତ୍କାରିତା ବଳରେ ଜନଅରଣ୍ୟକୁ ସମ୍ମୋହିତ କରି ରଖିବାର କଳା। କବିତାର ମର୍ମ ବୁଝନ୍ତୁ କି ନାହିଁ, ବଙ୍ଗୀୟ ଦର୍ଶକମଣ୍ଡଳୀକୁ ବାନ୍ଧି ରଖୁଥିଲା ତାଙ୍କ ଯମକ ଓ ଅନୁପ୍ରାସ ପ୍ରୟୋଗର ଚମତ୍କାରିତା ବା ‘ଆଲୋ ବୁଲା ମା’ ! କୁଲାଟାକୁ ଛାଡିଲୁକି, ଝୁଲାମାଳି ଆଣୁଆଣୁ ହୁଡିଲୁକି’ ଭଳି କବିତାର ଯାଦୁକରୀ ଶକ୍ତି। ଅନ୍ୟପକ୍ଷରେ ସେତେବେଳେ ବଙ୍ଗଳା ଗୀତାଭିନୟ ଓ ଯାତ୍ରା ନାଟକକୁ ନକଲ କରି ସୁନାମ ଅର୍ଜନ କରିବାକୁ ପ୍ରୟାସ କରୁଥିଲେ କତିପୟ ଓଡ଼ିଆ ନାଟ୍ୟକାର। ଏଥିରେ ଭାଷାପ୍ରେମୀ ପାଣିକବି ଖୁବ୍‌ ମର୍ମାହତ ହୋଇଥିଲେ ଏବଂ ନକଲ ଓ ଅନୁକରଣ ପ୍ରିୟମାନଙ୍କୁ ବଙ୍ଗଳା ଅଇଣ୍ଠାଚଟା ବୋଲି ଆକ୍ଷେପ କରି ‘ବିଦ୍ୟାସୁନ୍ଦର’ ଗୀତିନାଟ୍ୟରେ ଅତି କ୍ଷୋଭର ସହିତ ଲେଖିଥିଲେ ”ଦେଶ ଦଶା ଦେଖି ଉଡ଼ି ଯାଉଅଛି ହଂସା,ଦିନକୁଦିନ ହୀନ ଭଜୁଛି ସାହିତ୍ୟ ଭାଷା“।
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ, ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ହରିଜନ ପଦଯାତ୍ରା ଓ ଭାରତଛାଡ଼ ଆନ୍ଦୋଳନ-ଏକ ବିରାଟ ବିଶାଳ ସଂଘର୍ଷ, ବିପ୍ଳବ ଓ ସାଧନାମୟ ଅର୍ଦ୍ଧଶତାବ୍ଦୀର ପୃଷ୍ଠଭୂମି ଉପରେ ପରିପୁଷ୍ଟ ହୋଇଛି ଗଣକବିଙ୍କ ଜାତୀୟବାଦୀ ଭାବନା। ସେ କେବଳ ନାଟ୍ୟକାର ନୁହନ୍ତି, ବରଂ ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ଅଗ୍ନିବର୍ଷୀ ବିପ୍ଳବୀ କବି। ଜଣେ ବୃହତ୍ତର କର୍ତ୍ତବ୍ୟବୋଧର ନିର୍ମାତା ତଥା ସାମାଜିକ ଦାୟବଦ୍ଧତାର ମାନ୍ତ୍ରିକ। ନିଶାସେବନ ଓ ଛୁଆଁ ଅଛୁଆଁ ଭଳି ସାମାଜିକ କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ଓଡ଼ିଆଙ୍କ କୁଲିଗିରି ଓ ଗରିବଙ୍କ ଅସହାୟତା ସମ୍ପର୍କରେ ଉପସ୍ଥାପନ କରି ତତ୍କାଳୀନ ଓଡ଼ିଶାରେ ଆଣିଥିଲେ ସାଂସ୍କୃତିକ ଜାଗରଣ। କେବଳ ସାହିତ୍ୟରେ ନୁହେଁ, ବ୍ୟକ୍ତିଗତ ଜୀବନରେ ଜାତିପ୍ରଥାକୁ ଅସ୍ବୀକାର କରି ରଜକିନୀ ହାରାମଣିକୁ ଦେଇଥିଲେ ପତ୍ନୀର ମର୍ଯ୍ୟାଦା।
ପରକୀୟା ନାରୀ କିପରି ଓ କାହିଁକି ଯେ ଶିଳ୍ପୀର ସୃଷ୍ଟି ଚେତନାକୁ ଅନୁପ୍ରେରିତ କରେ, ତାହା ଏକ ମନସ୍ତାତ୍ତ୍ୱିକ ଅନୁସନ୍ଧାନର ବିଷୟ। କିନ୍ତୁ ପରକୀୟା ଓ କବିତା, ଜୀବନ ଓ ଆବେଗ, ସ୍ପନ୍ଦନ ଓ ସଙ୍ଗୀତ – ଏହା ଥିଲା ପାଣିକବିଙ୍କ ଜୀବନର ଏକୀଭୂତ ସତ୍ତା। ପରକୀୟା ନାରୀ ସହିତ କବିର ସମ୍ପର୍କ ନୈତିକତା ମାପକାଠିରେ ଗ୍ରହଣୀୟ ନୁହେଁ ଏହା ସତ୍ୟ, ମାତ୍ର ରସ ସୃଷ୍ଟିରେ ସେ ସମ୍ପର୍କ ଯେପରି ନିଷ୍ପାପ, ସେପରି ବୈଚିତ୍ରମୟ। ଶାରଦା ବେଶ୍ୟା ହୋଇପାରେ, ନୀଳା ହୋଇପାରେ ରୂପଜୀବ୍ୟା, ମାତ୍ର ପାଣିକବିଙ୍କ ଦୃଷ୍ଟିରେ ସେମାନେ ଅନନ୍ତ ଯୁଗର ଚିରନ୍ତନୀ କାବ୍ୟନାୟିକା। ସେମାନଙ୍କ ପ୍ରେରଣାରେ କବିଙ୍କ ଲେଖନୀରେ ଫୁଟିଛି କବିତାର ଶତଦଳ। କବି କୋଣସି କଥା ଲୋକଚକ୍ଷୁ ଅନ୍ତରାଳରେ ଲୁଚାଇ ରଖିବାକୁ ଚାହିଁ ନାହାନ୍ତି, ଯାହା ଫଳରେ ତାଙ୍କର ଜୀବନ କାବ୍ୟଠାରୁ ଆହୁରି ଶୁଦ୍ଧ। ପଙ୍କରୁ ପଙ୍କଜର ଜନ୍ମ ପରି ଜୀବନର ପାପ ପଙ୍କ ଭିତରୁ ସେ ଫୁଟେଇଛନ୍ତି ସାହିତ୍ୟର ଲାବଣ୍ୟମୟ ଓ ବାସ୍ନାଯୁକ୍ତ ପଙ୍କଜ।
ଅଶ୍ଳୀଳତା ଦୋଷଦୃଷ୍ଟ ଯାତ୍ରା ସାହିତ୍ୟ ପ୍ରତି ବୈଷ୍ଣବ ପାଣିଙ୍କ ନାଟ୍ୟ ରଚନା ଏକ ତୀବ୍ର ପ୍ରତିବାଦ। ତାଙ୍କ ଗୀତିନାଟ୍ୟରେ ରହିଛି ଭାଷାରେ ତାରଲ୍ୟ,ସାରଲ୍ୟ ଓ ପ୍ରାସଙ୍ଗିକତା ମଧ୍ୟରେ ଶୃଙ୍ଗାର ରସର ମାର୍ଜିତ ଓ ମନୋଜ୍ଞ ପରିବେଷଣ। ସଙ୍ଗୀତ ମାଧ୍ୟମରେ ଚକୁଳ ହାସ୍ୟରସ ପରିବେଷଣ ହିଁ ତାଙ୍କ ସାହିତ୍ୟର ଚମତ୍କାରିତା। କଳାକୁ ଜୀବନ ସହିତ ମିଶାଇ ଦେଇଥିବା ପାଣିକବି ଅଜସ୍ର ଭଜନ ଜଣାଣ ରଚନା କରି ଜଗନ୍ନାଥଙ୍କ ନିକଟରେ ନିବେଦନ କରିଛନ୍ତି ଜୀବନର ବ୍ୟଥା ଓ ବେଦନା।
ପାଣି ସାହିତ୍ୟ ଗଣଜୀବନର ବିଶ୍ବକୋଷ। ସେ ନିଃସ୍ବ ହୋଇ ମଧ୍ୟ ବିଶ୍ବ ଜୀବନର ଶିଳ୍ପୀ। ଗଣ ହୃଦୟର ମୁକୁଟ ବିହୀନ ସମ୍ରାଟ। ତାଙ୍କର ମୃତ୍ୟୁକାଳ ଯେତିକି ଅତୀତ ହେଉଛି, ସେତିକି ଉଚ୍ଚକିତ ହେଉଛି ତାଙ୍କ ସାହିତ୍ୟର କାଳଜୟୀ କଳା-ମୂଲ୍ୟ।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁପଟ୍ଟନାୟକ ନଗର ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri