ଲେକ୍‌ ଜୋନ୍‌-୧ ବିକାଶରେ ଜବରଦଖଲ ବାଧକ

ଭୁବନେଶ୍ୱର, ୬।୪ (ବ୍ୟୁରୋ): ଭୁବନେଶ୍ବର ଦେଇ ବହି ଯାଇଥିବା ପ୍ରାକୃତିକ ନାଳ ବା ମୁଖ୍ୟ ନାଳଗୁଡ଼ିକର ରୂପନ୍ତରଣ କରାଯିବ। ଏହି ପରିପ୍ରେକ୍ଷୀରେ ଲେକ୍‌ ଜୋନ୍‌-୧ରେ ବିକାଶମୂଳକ କାର୍ଯ୍ୟ ପାଇଁ ମୁକ୍ତା ଯୋଜନାରେ ପ୍ରକ୍ରିୟା ଜାରି ରହିଛି। ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି। ନିକୋପାର୍କ ଦେଇ ଯାଇଥିବା ୧୦ ନମ୍ବର ମୁଖ୍ୟ ନାଳ ଅଧୀନରେ ଲେକ୍‌ ଜୋନ୍‌ ପ୍ରକଳ୍ପ ୧ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ୧ କୋଟି ୮୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି କାମ କିପରି ହେବ ସେ ନେଇ ବିଏମ୍‌ସିର ବରିଷ୍ଠ ପଦାଧିକାରୀ ବୈଠକ କରିବା ସହ ଏସଏଚ୍‌ଜି ମହିଳାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ମାତ୍ର ଏତେ ପରେ ବି ଜବରଦଖଲ ହଟି ପାରୁ ନ ଥିବାରୁ ଲେକ୍‌ ଜୋନ-୧ର ବିକାଶ କାର୍ଯ୍ୟ ଧିମା ପଡି ଯାଇଛି। ସହରବାସୀଙ୍କୁ ସୁରମ୍ୟ ହ୍ରଦ ଓ ଅନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେବାକୁ ଯେଉଁ ଯୋଜନା ହୋଇଥିଲା ସେଥିରେ ଜବରଦଖଲ ବାଧକ ସାଜିଛି। ଜବରଦଖଲକାରୀଙ୍କୁ ଉଠାଇବା ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ମୁଖ୍ୟ ଯନ୍ତ୍ରୀ ମିଳିତ ଉଚ୍ଛେଦକାରୀ ଦଳ ‘ଟିମ ପ୍ରାଇଡ୍‌’କୁ ଚିଠି ଲେଖି ଏନେଇ ଅବଗତ କରାଇଥିଲେ। ମାତ୍ର ଉଚ୍ଛେଦ ଲାଗି ପୋଲିସ ଫୋର୍ସ ମିଳିପାରୁ ନ ଥିବାରୁ ଜବରଦଖଲ ହଟାଇବା କାଠିକର ପାଠ ହୋଇଛି। ଫଳରେ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବେ ବିଏମ୍‌ସି ଲାଗି ବଡ଼ ଚ୍ୟାଲେଞ୍ଜ ହୋଇଛି।
ବିଏମସି ମୁଖ୍ୟଯନ୍ତ୍ରୀଙ୍କ ଚିଠି ଅନୁଯାୟୀ, ଫେବୃୟାରୀରେ ନିକୋ ପାର୍କ ଅଞ୍ଚଳରେ ଥରେ ଟିମ୍‌ ପ୍ରାଇଡ୍‌ ଉଚ୍ଛେଦ କରିଥିଲା। ମାତ୍ର ସମୟ ଅଭାବରୁ ସମସ୍ତ ଜବରଦଖଲ ଉଚ୍ଛେଦ ହୋଇପାରି ନ ଥିଲା। ପରେ ଫେବୃୟାରୀ ୧୦ରେ ମୁଖ୍ୟଯନ୍ତ୍ରୀ ଓ ୧୭ ତାରିଖରେ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ଜୋନାଲ ଡେପୁଟି କମିଶନର ଉକ୍ତ ଜମିରୁ ଉଚ୍ଛେଦ ଲାଗି ଚିଠି କରିଥିଲେ। ଏହାପରେ ବିଡିଏ ପକ୍ଷରୁ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦିନ ଉଚ୍ଛେଦ କରିବାକୁ ଯୋଜନା କରାଯାଇଥିଲା। ହେଲେ ଉଚ୍ଛେଦ ସମୟରେ ବହୁ ବିରୋଧ ଓ ପ୍ରତିବାଦ ହେଉ ଥିବାରୁ ଟିମ୍‌ ପ୍ରାଇଡ୍‌ ପୋଲିସ ଫୋର୍ସ ବିନା ଉଚ୍ଛେଦ କରିବାକୁ ମନା କରି ଦେଇଛି। କିନ୍ତୁ ବିଧାନସଭା ପାଇଁ ଆବଶ୍ୟକ ସଂଖ୍ୟକ ରିଜର୍ଭ ପୋଲିସ ଫୋର୍ସ ମିଳୁ ନ ଥିବାରୁ ଉଚ୍ଛେଦକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଇତି ମଧ୍ୟରେ ବିଧାନସଭା ସରିଯାଇଥିଲେ ବି ରିଜର୍ଭ ପୋଲିସ ଫୋର୍ସ ସହ ମହିଳା ପୋଲିସ ଫୋର୍ସ ମିଳୁ ନ ଥିବାରୁ ପୁଣି ଥରେ ଉଚ୍ଛେଦକୁ ଘୁଞ୍ଚାଯାଇଛି। ବିଡିଏ ଏନ୍‌ଫୋର୍ସମେଣ୍ଟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଧାନସଭା ପାଇଁ ପୋଲିସ ଫୋର୍ସ ମିଳି ନ ଥିବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଛି। ସେହିପରି ଜବରଦଖଲ ହୋଇଥିବା ସ୍ଥାନରେ ଜେସିବି ଗାଡ଼ି ପଶି ପାରୁନି। ସେଠାରେ ଜେସିବି କୋକ୍‌ଲେନ୍‌ ଗାଡ଼ି ଆବଶ୍ୟକ। ଏ ନେଇ ଏଜେନ୍ସିକୁ ଗାଡ଼ି ଦେବାକୁ ଚିଠି କରାଯାଇଛି। ଖୁବ୍‌ଶୀଘ୍ର ପୁନର୍ବାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।