ତ୍ୱରିତ ନ୍ୟାୟ ନାଁରେ ଏନ୍‌କାଉଣ୍ଟର

ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଅବସରପ୍ରାପ୍ତ ବିଚାରପତି ଭି.ଏସ୍‌. ଶ୍ରୀପୁରକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଶନ ୨୦୧୯ରେ ହାଇଦ୍ରାବାଦରେ ଘଟିଥିବା ଏକ ବହୁଚର୍ଚ୍ଚିତ ପୋଲିସ ଏନ୍‌କାଉଣ୍ଟର ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ସେଥିରେ ହାଇଦ୍ରାବାଦ ପୋଲିସ ଦ୍ୱାରା ସଙ୍ଗଠିତ ଉପରୋକ୍ତ ଏନ୍‌କାଉଣ୍ଟରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି। ରିପୋର୍ଟ ପାଇବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ସମ୍ପୃକ୍ତ ସମସ୍ତ ୧୦ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ମକଦ୍ଦମା ଦାଏର କରି ଧାରା ୩୦୨ ମୁତାବକ ସେମାନଙ୍କ ବିଚାର କରିବାକୁ ତେଲଙ୍ଗାନା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ହାଇଦ୍ରାବାଦ ଉପକଣ୍ଠରେ ଜଣେ ପ୍ରାଣୀ ଚିକିତ୍ସିକା ଦିଶାଙ୍କୁ ଗଣବଳତ୍କାର ଓ ନିଆଁରେ ପୋଡ଼ି ହତ୍ୟା ପରିପ୍ରେକ୍ଷୀରେ ଉପରୋକ୍ତ ମିଥ୍ୟା ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଥିଲା। ସେହି ବୀଭତ୍ସ ଘଟଣାକୁ ନେଇ ସେତେବେଳେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସେଭଳି ପରିସ୍ଥିତିରେ ତ୍ୱରିତ ନ୍ୟାୟ ଦେବା ନାଁରେ ହାଇଦ୍ରାବାଦ ପୋଲିସ କମିଶନର ଜନମତକୁ ଶାନ୍ତ କରିବାକୁ ତଥା ଅପାରଗତାକୁ ଲୁଚେଇବାକୁ ତରବରିଆ ଭାବେ ୩ ଜଣ ନାବାଳକଙ୍କ ସମେତ ୪ଜଣଙ୍କୁ ଏହି ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ତା’ପର ଦିନ ଅପରାଧ ଦୃଶ୍ୟର ପୁନଃସୃଜନ ନଁାରେ ପୋଲିସ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ହାତକଡ଼ା ପକାଇ ଘଟଣାସ୍ଥଳକୁ ନେଇ ସେମାନେ ପୋଲିସର ଅସ୍ତ୍ର ଛଡ଼ାଇ ହତ୍ୟା ଉଦ୍ୟମ କରିବାରୁ ଆତ୍ମରକ୍ଷା ପାଇଁ ଏନ୍‌କାଉଣ୍ଟର ସହ ହତ୍ୟା କରିଥିବା କଥା କହିଥିଲା। ଅବଶ୍ୟ ସେତେବେଳେ ଅନେକ ଲୋକ ଏହି ହତ୍ୟାକୁ ତ୍ୱରିତ ନ୍ୟାୟ ବୋଲି କହି ଏକଦମ୍‌ ସ୍ବାଗତ କରିବା ସହ ଏନ୍‌କାଉଣ୍ଟରରେ ସାମିଲ ପୋଲିସ ଅଧିକାରୀମାନଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ।
ତେବେ ଉପରୋକ୍ତ ଏନ୍‌କାଉଣ୍ଟର ନେଇ ପୋଲିସର କାହାଣୀ ଉପରେ ସନ୍ଦେହ କରି ବିଭିନ୍ନ ମାନବିକ ଅଧିକାର ସଙ୍ଗଠନ, ଆଇନଜୀବୀ ଏବଂ ମୃତ ବ୍ୟକ୍ତିମାନଙ୍କ ପରିବାର ଲୋକେ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ପରେ ଘଟଣାର ଗମ୍ଭୀରତାକୁ ଦେଖି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସ୍ବତଃ ସଜ୍ଞାନ ନେବା ସହ ଏହାର ନିରପେକ୍ଷ ତଦନ୍ତ ପାଇଁ ନିଜର ଜଣେ ପୂର୍ବତନ ବିଚାରପତି ଭି.ଏସ୍‌. ଶ୍ରୀପୁରକରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କମିଶନଙ୍କ ସଦ୍ୟ ପ୍ରକାଶିତ ତଦନ୍ତ ରିପୋର୍ଟ ଏହି ଘଟଣାରେ ହାଇଦ୍ରାବାଦ ପୋଲିସର ଆପରାଧିକ ଭୂମିକାକୁ ଉଜାଗର କରିବା ସହିତ ପୋଲିସ ଦ୍ୱାରା ଦେଶରେ ବାରମ୍ବାର ସଙ୍ଗଠିତ ଏନ୍‌କାଉଣ୍ଟର ନଁାରେ ହତ୍ୟାକୁ ନେଇ ରହିଥିବା ବିତର୍କକୁ ପୁଣିଥରେ ଉଜ୍ଜୀବିତ କରିଛି।
ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ଘଟଣାର ଦୁଇଟି ଦିଗ ସାମ୍ନାକୁ ଆସୁଛି। ପ୍ରଥମଟି ହେଲା, ତ୍ୱରିତ ନ୍ୟାୟ ପ୍ରଦାନ ନାଁରେ ବିଚାର ପ୍ରକ୍ରିୟାକୁ ନ ଆପଣେଇ ପୋଲିସ ଅଭିଯୁକ୍ତଙ୍କୁ ନିଜେ ଦଣ୍ଡବିଧାନ କରିବା। ଦ୍ୱିତୀୟଟି ହେଲା, ଏନ୍‌କାଉଣ୍ଟର ନାଁରେ ହତ୍ୟା କରିବା। ନିରପେକ୍ଷ ଭାବେ ଦେଖିଲେ, ଉପରୋକ୍ତ ଦୁଇଟିଯାକ କ୍ଷେତ୍ରରେ ପୋଲିସ ବିଫଳ ହୋଇଛି। କାରଣ ଦିଶା ଗଣବଳତ୍କାର ଓ ହତ୍ୟା ମାମଲାରେ ପୋଲିସ ଦ୍ୱାରା ଗିରଫ ହୋଇ ଶେଷରେ ହତ୍ୟାର ଶିକାର ହୋଇଥିବା ଉପରୋକ୍ତ ୪ ଜଣ କେବଳ ଅଭିଯୁକ୍ତ ମାତ୍ର ଥିଲେ। ଅପରାଧରେ ସେମାନଙ୍କର ସମ୍ପୃକ୍ତି ପ୍ରମାଣିତ ହୋଇ ନ ଥିଲା। ଏଠାରେ ପ୍ରଶ୍ନ ଉଠେ, ଯଦି ପୋଲିସ ପାଖରେ ସେମାନଙ୍କ ସମ୍ପୃକ୍ତିର ପ୍ରମାଣ ଥିଲା, ତା’ହେଲେ ସେମାନେ ତାକୁ କୋର୍ଟ ସମ୍ମୁଖରେ ରଖି ଆବଶ୍ୟକ ସ୍ଥଳେ ଫାଷ୍ଟଟ୍ରାକ୍‌ କୋର୍ଟ ଜରିଆରେ ଅଭିଯୁକ୍ତମାନଙ୍କ ବିଚାର କରାଇ ଦଣ୍ଡବିଧାନର ବ୍ୟବସ୍ଥା ବି କରିପାରିଥା’ନ୍ତେ। କିନ୍ତୁ ସେପରି ନ କରି ତ୍ୱରିତ ନ୍ୟାୟ ଦେବା ନଁାରେ ପୋଲିସ ନିଜେ ବିଚାରକ ଭୂମିକାରେ ଠିଆ ହୋଇ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ବିନା ସାକ୍ଷ୍ୟ, ପ୍ରମାଣ ଓ ବିଚାରରେ ଯେଉଁଭଳି ଭାବେ ହତ୍ୟା କଲା, ତାହା ଆଇନର ଭାଷାରେ ଏକ ଜଘନ୍ୟ ଆପରାଧିକ କୃତ୍ୟ, ଯାହାକୁ କୌଣସି ବି ସଭ୍ୟ ସମାଜ ଗ୍ରହଣ କରିପାରିବନି। ଯଦି କୌଣସି ସାକ୍ଷ୍ୟ, ପ୍ରମାଣ ଓ ବିଚାର ପ୍ରକ୍ରିୟା ବିନା ପୋଲିସ ହିଁ ଦଣ୍ଡଦେବ, ତା’ହେଲେ ଏ ଦେଶରେ କୋର୍ଟ କଚେରିର ଆବଶ୍ୟକତା ଆଉ କାହିଁକି? ଏଭଳି ପରିସ୍ଥିତି ଦେଶର ନ୍ୟାୟ ବ୍ୟବସ୍ଥାକୁ ଧୂଳିସାତ୍‌ କରିବା ସହିତ ନାଗରିକମାନଙ୍କ ସାମ୍ବିଧାନିକ ଅଧିକାରକୁ ସମାପ୍ତ କରିଦେବ।
ହାଇଦ୍ରାବାଦ ଘଟଣାର ଦ୍ୱିତୀୟ ଦିଗଟି ହେଉଛି, ପୋଲିସ ଦ୍ୱାରା ଏନ୍‌କାଉଣ୍ଟର ନାଁରେ ୪ ଅଭିଯୁକ୍ତଙ୍କୁ ହତ୍ୟା। ପୋଲିସର ଏହି ଏନ୍‌କାଉଣ୍ଟରଟି ସମ୍ପୂର୍ଣ୍ଣ ମିଥ୍ୟା ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ପୋଲିସ ଦ୍ୱାରା ଏଭଳି ବିଚାର ବହିର୍ଭୂତ ହତ୍ୟା ଅତ୍ୟନ୍ତ ଉଦ୍‌ବେଗର ବିଷୟ। ଏହା ସମ୍ବିଧାନ ପ୍ରଦତ୍ତ ନାଗରିକର ଜୀବନର ଅଧିକାର ଓ ଦେଶର ଆଇନ ବ୍ୟବସ୍ଥା ପ୍ରତି ସିଧାସଳଖ ଚ୍ୟାଲେଞ୍ଜ ବୋଲି କୁହାଯାଇପାରେ। ଦେଶରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ଦ୍ୱାରା ସଙ୍ଗଠିତ ଏନ୍‌କାଉଣ୍ଟରଗୁଡ଼ିକ ସାଧାରଣତଃ ବିବାଦ ଓ ସନ୍ଦେହ ଘେରରେ ରହିଆସିଛି। ଏନ୍‌କାଉଣ୍ଟରଗୁଡ଼ିକରେ ସମ୍ପୃକ୍ତ ପୋଲିସ ବା ସୁରକ୍ଷା ବାହିନୀର ସ୍ପଷ୍ଟୀକରଣଟି ପ୍ରାୟତଃ ଏକାଭଳି ହୋଇଥାଏ। ଏନ୍‌କାଉଣ୍ଟରର ଶିକାର ବ୍ୟକ୍ତି ପୋଲିସ ଉପରେ ଆକ୍ରମଣ କଲାବେଳେ ପୋଲିସ ନିଜ ପ୍ରାଣ ବଞ୍ଚାଇବା ପାଇଁ ଗୁଳିଚାଳନା କରିଛି ବୋଲି ଆନୁଷ୍ଠାନିକ ଭାବେ କୁହାଯାଉଥିଲେ ମଧ୍ୟ ଅଧିକାଂଶ ସମୟରେ ପୋଲିସର କୌଣସି କ୍ଷୟକ୍ଷତି ନ ହେବା ଏବଂ ଅଥଚ କେବଳ ଅପର ପଟ ବ୍ୟକ୍ତି ହିଁ ମୃତାହତ ହେବା ଏହାର ସତ୍ୟତାକୁ ଉଜାଗର କରିବା ଦେଖିବାକୁ ମିଳେ। ହାଇଦ୍ରାବାଦ ଘଟଣାରେ ମଧ୍ୟ ସେହି ଏକା କଥା ଦେଖିବାକୁ ମିଳିଛି।
ଆମ ଦେଶରେ ଏନ୍‌କାଉଣ୍ଟର ଆଦୌ ଆଇନ ଦ୍ୱାରା ସ୍ବୀକୃତ ନୁହେଁ। ଦେଶରେ ପ୍ରଚଳିତ ଭାରତୀୟ ଦଣ୍ଡ ସଂହିତା ଓ ଦଣ୍ଡ ପ୍ରକ୍ରିୟା ସଂହିତା, ଉଭୟରେ ଏନ୍‌କାଉଣ୍ଟର ଶବ୍ଦର କୌଣସି ଉଲ୍ଲେଖ ହିଁ ନାହିଁ। ଏନ୍‌କାଉଣ୍ଟରରେ ଯଦି ବ୍ୟକ୍ତିର ମୃତ୍ୟୁ ହୋଇଯାଏ, ତା’ହେଲେ ପୋଲିସ ତାକୁ ନିଜ ଜୀବନ ରକ୍ଷା ପାଇଁ ବା ଆତ୍ମରକ୍ଷାରେ ହତ୍ୟା କଲା କହି ତାକୁ ଆଇନସମ୍ମତ କରିବାକୁ ଚେଷ୍ଟା କରିଥାଏ। ବେଳେବେଳେ ହତ୍ୟାର ଶିକାର ବ୍ୟକ୍ତି ପରିବାରର ଲୋକେ ଅଥବା ମାନବିକ ଅଧିକାର ସଙ୍ଗଠନଗୁଡ଼ିକ ଏଭଳି ଏନ୍‌କାଉଣ୍ଟରର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଉଥିଲେ ମଧ୍ୟ ତାହା ସମାଜର ବ୍ୟାପକ ସମର୍ଥନ ନ ପାଇ ଶେଷରେ ଲୁଚି ଯାଇଥାଏ। ପୋଲିସ ନିଜ ଅପରାଧ ପାଇଁ ଆଇନ ଆଗରେ ଉତ୍ତରଦାୟୀ ହେବାରୁ ବଞ୍ଚତ୍ୟାଇ ପୁଣି ଏକ ଏନ୍‌କାଉଣ୍ଟର ପାଇଁ ପ୍ରସ୍ତୁତ ହୋଇଥାଏ।
ତେବେ ଦେଶରେ ଏନ୍‌କାଉଣ୍ଟର ନାଁରେ ପୋଲିସ ଦ୍ୱାରା ହତ୍ୟା ଘଟଣା ସବୁ ବଢ଼ିବା ପଛର ପ୍ରମୁଖ କାରଣ ହେଉଛି ଏନେଇ ସରକାର ଏବଂ ସର୍ବୋଚ୍ଚ ନ୍ୟାୟାଳୟର ସ୍ପଷ୍ଟ ନୀତିର ଅଭାବ। ପ୍ରକାଶ କଦମ୍‌ ବନାମ ରାମପ୍ରସାଦ ବିଶ୍ୱନାଥ ଗୁପ୍ତା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବେ କହିଥିଲେ ଯେ, ପୋଲିସ ଦ୍ୱାରା ସଂଗଠିତ ମିଥ୍ୟା ଏନ୍‌କାଉଣ୍ଟର ହେଉଛି ସୁନିୟୋଜିତ ହତ୍ୟା। ଯେଉଁମାନେ ଏହାକୁ କରୁଛନ୍ତି, ସେମାନଙ୍କ ଅପରାଧକୁ ବିରଳରୁ ବିରଳତମ ବୋଲି ଚିହ୍ନିତ କରି ମୃତ୍ୟୁଦଣ୍ଡ ଦେବା ଦରକାର। ଅତଏବ ଏକ ସଭ୍ୟ ତଥା ଗଣତାନ୍ତ୍ରିକ ସମାଜରେ ଏନ୍‌କାଉଣ୍ଟର ନାଁରେ ପୋଲିସ ଦ୍ୱାରା ଅମାନୁଷିକ ହତ୍ୟା ଆଦୌ ଗ୍ରହଣୀୟ ନୁହେଁ। ହାଇଦ୍ରାବାଦ ଘଟଣା ପରିପ୍ରେକ୍ଷୀରେ ଏଭଳି ଅପରାଧକୁ ସମାପ୍ତ କରିବା ଦିଗରେ ଚିନ୍ତା କରିବାର ସମୟ ଆସିଛି।

– ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri