ସକାଳୁ ସକାଳୁ ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ୍‌କୁ ଦେଖି ପ୍ରଥମେ ଗୁଳି….

ଝାରସୁଗୁଡ଼ା/ବ୍ରଜରାଜନଗର,୧୯ା୧୦(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍‌କାଉଣ୍ଟର । ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ସୋମବାର ପ୍ରତ୍ୟୁଷରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ମଧ୍ୟରେ ମୁହାଁମୁହିଁ ଗୁଳିବିନିମୟ ଘଟିଛି। ତେବେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ, ମିଳିଥିବା ସୂଚନା ମୁତାବକ, ଓରିଏଣ୍ଟ ଥାନା କେସ୍ ନଂ ୨୪୯/୨୦୨୬ (ଦଫା ୩୦୮(୫) ବିଏନଏସ ଏବଂ ୨୫(୧-ବି)/୨୭(୧) ଆର୍ମସ ଆକ୍ଟ) ମାମଲାରେ ପୋଲିସ ବଣ୍ଟିକୁ ଧରିବା ପାଇଁ ଖୋଜୁଥିଲା। ଆଜି ପ୍ରାତଃ ପ୍ରାୟ ୬ଟା ସମୟରେ ବଣ୍ଟି ଆମଦରହ ଜଙ୍ଗଲ ନିକଟରେ ଲୁଚି ରହିଥିବା ସୂଚନା ପାଇ ଓରିଏଣ୍ଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା। ପୋଲିସ ଘେରାବନ୍ଦୀ କରୁଥିବା ଦେଖି ଧରାପଡ଼ିବା ଭୟରେ ବଣ୍ଟି ପୁଲିସ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲା। ପୋଲିସ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତିଯିବା ସହ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ତଳେ ଖସିପଡ଼ିଥିଲା ଏବଂ ପୋଲିସ ତାକୁ କାବୁ କରିନେଇଥିଲା। ଅଭିଯୁକ୍ତଙ୍କ ଘର ହନୁମାନ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ । ଚଢ଼ାଉ ବେଳେ ପୋଲିସ୍‌କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ବଣ୍ଟି । ବଣ୍ଟି ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି ।

ଘଟଣା ପରେ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଜିଲାରେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମର ମୁଖ୍ୟ ପ୍ରାଥମିକତା। ଅପରାଧୀ ବଣ୍ଟି ପ୍ରସାଦ ପୋଲିସ ଟିମ୍ ଉପରକୁ ସିଧାସଳଖ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରୁଥିଲା। ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୋଲିସ ବାଧ୍ୟ ହୋଇ ନିୟନ୍ତ୍ରିତ ପାଲଟା ଗୁଳିଚାଳନା କରିଛି। ଝାରସୁଗୁଡ଼ାରେ ସଙ୍ଗଠିତ ଅପରାଧ ଏବଂ ବେଆଇନ ମାରଣାସ୍ତ୍ର କାରବାର ବିରୋଧରେ ଆମର ଜିରୋ ଟଲରାନ୍ସ ନୀତି ରହିଛି। ଆଇନକୁ ହାତକୁ ନେଉଥିବା ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।
ଏଥିସହ ଏସପି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଓ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସମଗ୍ର ନେଟୱାର୍କର ଚେର ଖୋଜାଯିବ।

Dharitri – Odisha’s No.1 Odia Daily

Share