Categories: ଜାତୀୟ

ଶୋପିଆନ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଜାରି ରହିଛି। ଏହିକ୍ରମରେ ଶନିବାର ଶୋପିୟାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହଁି ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ଜଣ ସୁରକ୍ଷାକର୍ମୀ ସହୀଦ ହୋଇଥିବା ସୂଚନା ରହିଛି। ଶୋପିଆନ୍‌ର ଜେନପୋରାର ଚେରମର୍ଗ ଗ୍ରାମରେ ଏହି ଏନ୍‌କାଉଣ୍ଟର ହୋଇଛି। ସୂଚନାଯୋଗ୍ୟ, ଶୋପିଆନ୍‌ର ଜେନପୋରାର ଚେରମର୍ଗ ଗ୍ରାମରେ କିଛି ଆତଙ୍କବାଦୀ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ, ସେନା ଓ ସିଆରପିଏଫ୍‌ର ମିଳିତ ସହଯୋଗରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପ୍ରତି ଆକ୍ରମଣ କରିଥିଲେ। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ଉଭୟ ପକ୍ଷରୁ ହୋଇଥିବା ଗୁଳି ବିନିମୟରେ ୨ଜଣ ସୁରକ୍ଷାକର୍ମୀ ସହୀଦ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଆତଙ୍କବାଦୀମାନେ କେଉଁ ସଂଗଠନ ସହ ଜଡିତ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

Share