ଜରାଶ୍ରମ ସଭାପତିଙ୍କୁ ହତ୍ୟା କଲେ କର୍ମଚାରୀ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ଗଡ଼ସ୍ଥିତ ଏକ ଜରାଶ୍ରମରେ ଅଭାବନୀୟ କାଣ୍ଡ ଘଟିଛି। ଜରାଶ୍ରମର ସଭାପତିଙ୍କୁ ସେହି ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଥିବା ରତ୍ନମାଳୀ ଜେମା ଜରାଶ୍ରମର ସଭାପତି ସନ୍ତୋଷ ବେହେରାଙ୍କୁ ଉକ୍ତ ଜରାଶ୍ରମର କର୍ମଚାରୀ କୀର୍ତ୍ତନ ପରିଡ଼ା କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ତୋଷଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ କୀର୍ତ୍ତନ ନିଜେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।  ପରେ ତାଙ୍କୁ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପାରାଦୀପ ଏଏସ୍‌ପି ନିମାଇଁ ଚରଣ ସେଠୀ କହିଛନ୍ତି, କୀର୍ତ୍ତନ ଘରକୁ ଯିବା ପାଇଁ ସନ୍ତୋଷଙ୍କୁ ଟଙ୍କା ମାଗିଥିଲେ। ସନ୍ତୋଷ ତାଙ୍କୁ ନ ଦେବାରୁ କୀର୍ତ୍ତନଙ୍କ ରାଗ ପଞ୍ଚମ ହୋଇଉଠିଥିଲା। ଶନିବାର ମଧ୍ୟାହ୍ନରେ ସନ୍ତୋଷ ଶୋଇଥିବା ବେଳେ କୀର୍ତ୍ତନ ଏକ କଟୁରିରେ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ କୀର୍ତ୍ତନ କୀଟନାଶକ ସାର ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ପୋଲିସ ଏନେଇ କେସ୍‌ ନଂ ୩୬୮/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।