Categories: ଜାତୀୟ

ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେନି

ନୂଆଦିଲ୍ଲୀ, ୧୩।୯(ପି.ଟି.): ନିର୍ଦ୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ଚାପ ପକାଇପାରିବେ ନାହିଁ। ଆବଶ୍ୟକତାକୁ ବିଚାର କରି ନିଯୁକ୍ତିଦାତା କର୍ମଚାରୀଙ୍କୁ ଯେକୌଣସି ସ୍ଥାନକୁ ବଦଳି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏ ସମ୍ପର୍କିତ ୨୦୧୭ ଅକ୍ଟୋବରର ଏକ ରାୟକୁ ଜଣେ ଅଧ୍ୟାପିକା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। ଅଧ୍ୟାପିକା ଜଣକ ଆମ୍ରୋହାରୁ ଗୌତମ ବୁଦ୍ଧ ନଗରକୁ ବଦଳି ହେବାକୁ ଚାହୁଁଥିଲେ। କର୍ତ୍ତୃପକ୍ଷ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଲ୍ଲାହାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। କର୍ମଚାରୀ କୌଣସି ସ୍ଥାନକୁ ବଦଳି ହେବା ପାଇଁ କହିପାରିବେ ନାହିଁ। ବଦଳି କରିବା ନିଯୁକ୍ତିଦାତାଙ୍କ କାର୍ଯ୍ୟ। ସେ ଆବଶ୍ୟକତାକୁ ଚାହିଁ କର୍ମଚାରୀଙ୍କୁ ଯେକୌଣସି ସ୍ଥାନକୁ ବଦଳି କରିପାରିବେ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି।

Share