ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ କର୍ମଚାରୀ ହେଲେ ରିଆମାଳ ଥାନା ଧରମପୁର ଗାଁର ଟୁନା ସାହୁ(୩୮) ।
ସୂଚନା ଅନୁସାରେ, ଟିପିଡବ୍ଲୁଓଡିଏଲରେ ହେଲ୍ପର ଭାବେ କାମ କରୁଥିଲେ ଟୁନା । ଖୁଂଟ ଉପରେ ଚଢି ସଜାଡୁଥିବା ବେଳେ ବିଦ୍ୟୁତ ଝଟକାରେ ତଳେ ପଡିଯାଇଥିଲେ । ତେବେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବମ୍ପରଡା ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି । ଡାକ୍ତରଖାନାରେ ମୃତ ଘୋଷଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଏବଂ ସ୍ଥାନୀୟ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ଛାଡିନଥିଲେ । ପରେ ବିଭାଗୀୟ ଅଧିକାରୀ ବୁଝାସୁଝା କରି କ୍ଷତିପୂରଣ ପାଇଁ ରାଜି ହେବାରୁ ସନ୍ଧ୍ୟା ପ୍ରାୟ ୬ ଟାରେ ବ୍ୟବଚ୍ଛେଦ ପାଇଁ ଶବ ଛଡା ଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, କଲା ଗ୍ରାମର ଜଣେ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କଟି ଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ବିଦେଇ-ବଡକୁଦର ସେକ୍ସନରେ ଟିପିଡବ୍ଲୁଓଡିଏଲ ଅଧିନରେ ସହାୟକ (ହେଲପର) ଭାବେ କାମ କରୁଥିବା ଟୁନା ମରାମତି ପାଇଁ ସେଠାକୁ ଯାଇ ବିଦ୍ୟୁତ ଖୁଂଟରେ ଚଢିଥିଲେ । ମାତ୍ର ବିଦ୍ୟୁତ ସ୍ପର୍ଶରେ ଆସୁ ଖୁଂଟରୁ ତଳେ ପଡି ଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବମ୍ପରଡା ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ, ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁଙ୍କ ସମେତ ବହୁ ଜନସାଧାରଣ ଡାକ୍ତରଖାନାକୁ ଯାଇ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ । ଦାବି ପୂରଣ ନହେଲେ ବ୍ୟବଚ୍ଛେଦ ପାଇଁ ଶବ ଛଡାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ତେବେ ଟିପିଡବ୍ଲୁଓଡିଏଲର ଏସଡିଓ ଦିବ୍ୟଲୋଚନ ନାୟକ ଏବଂ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ଶୁନାନୀ ଲୋକଙ୍କୁ ବୁଝାସୁଝା କରିବା ସହିତ ବିଭାଗ ତରଫରୁ ଅଢ଼େଇ ଲକ୍ଷ ଟଙ୍କା ସହାୟତା, ପରିବାରର ଜଣକୁ ଚାକିରୀ ଏବଂ ବିଧବା ସ୍ତ୍ରୀଙ୍କୁ ପେନସନ ପ୍ରଦାନ ସମେତ ମୃତକଙ୍କ ଇନସ୍ୟୁରାନ୍ସରେ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇବା ନେଇ ପ୍ରତିଶୃତି ଦେଲା ପରେ ବ୍ୟବଚ୍ଛେଦ ପାଇଁ ଶବ ଛାଡିଥିଲେ । ଏନେଇ ବାରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।