ହାଇୱା ଧକ୍କାରେ ଚାଲିଗଲା ଠିକା କର୍ମଚାରୀଙ୍କ ଜୀବନ

ଝାରସୁଗୁଡ଼ା ଅଫିସ,୧୩।୧୦: ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ପ୍ରକଳ୍ପ ପରିସରରେ ଗୁରୁବାର ଏକ ହାଇୱା ଧକ୍କାରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସମ୍ବଲପୁର ଜିଲା ମହୁଲପାଲି ଥାନା କେଶେଇବାହାଲ ଗ୍ରାମର ରବୀନ୍ଦ୍ର ନାଥ ନାୟକ (୪୫)। ସେ ପାୱାରଟେକ ଠିକାସଂସ୍ଥା ଅଧୀନରେ କାମ କରୁଥିଲେ। ଏ ନେଇ ବଡମାଲ ଥାନା ପୋଲିସ ଏକ ମାମଲା (ନଂ.୨୨୩/୨୨) ରୁଜୁକରି ତଦନ୍ତ ଚଳାଇଛି। ଦୁର୍ଘଟଣା ଘଟାଇଥିବା ଓଡି୧୫ଟି-୯୭୯୯ନଂ ହାଇୱାକୁ ଜବତ କରିବା ସହ ଚାଳକ ରାମ ଯାଦବଙ୍କୁ ପୋଲିସ ଗିରଫ କରିଛି।

ଏହାକୁ ନେଇ ଠିକା କର୍ମଚାରୀମାନେ ପ୍ରକଳ୍ପ ଫାଟକ ସମ୍ମୁଖରେ ପହଞ୍ଚତ୍ କ୍ଷତିପୂରଣ ଦାବି କରିଛନ୍ତି। କର୍ମଚାରୀଙ୍କ ମୃତ୍ୟୁକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। କମ୍ପାନୀ ନିୟମ ଅନୁଯାୟୀ ସମ୍ପୃକ୍ତ ଠିକାସଂସ୍ଥା ତରଫରୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ପ୍ରକଳ୍ପର ଆଇପିପି ସାଇଡରେ ରବୀନ୍ଦ୍ର କାନରେ ଇଅର ଫୋନ ଦେଇ କଥା ହେଉଥିବା ବେଳେ ହାଇୱା ତାଙ୍କ ଉପରେ ଚଢିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାରେ ତାଙ୍କ ମୃତ୍ୟୁ ହୋଇଥିଲା।