‘ଶିକ୍ଷକଙ୍କୁ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ’

ଭୁବନ, ୪।୨(ଡି.ଏନ.ଏ.): କାରିଗର ମାଟି ପିଣ୍ଡୁଳାକୁ ଜୀବନ୍ତ ରୂପ ଦେଇଥାଏ। ଠିକ୍‌ ସେହିପରି ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିଥାଆନ୍ତି। ତେଣୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅଭିଭାବକ, ଶିକ୍ଷାର୍ଥୀ ଉପଯୁକ୍ତ ସମ୍ମାନ ଏବଂ ଗୁରୁତ୍ୱ ଦେଲେ ଶିକ୍ଷାର ମାନ ବଢ଼ିବ ବୋଲି କହିଛନ୍ତି ଭୁବନ ବ୍ଲକ ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲ। ନୂଆଭୁବନ ନୋଡାଲ ହାଇସ୍କୁଲର ୪୦ତମ ବାର୍ଷିକ ଉତ୍ସବ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଜାତୀୟ ଖ୍ୟାତିସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ ଦୀନେଶ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ, ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆଜିକାର ସମୟର ଆହ୍ବାନ। ବିଜ୍ଞାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ପଢ଼ିବାଠାରୁ ଅଧିକ ବୁଝିବା ଏବଂ ସମୀକ୍ଷା କଲେ ସୁଫଳ ମିଳିବ ବୋଲି ସେ କହିଥିଲେ।
ପରିଚାଳନା କମିଟିର ସଭାପତି ବିପିନ ବିହାରୀ ସେଠୀଙ୍କ ଅଧ୍ୟକ୍ଷତାରେ ବାଜି ରାଉତ କଲେଜର ଅଧ୍ୟକ୍ଷ ଅଜିତ ବେହେରା, ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ଦିଲୀପ ଦାସ, ମୋ’ ସ୍କୁଲ ଅଭିଯାନ ସଭାପତି ପ୍ରଭାସ ସାହୁ, ଏବିଇଓ ପୁଷ୍ପାଞ୍ଜଳି ମିଶ୍ର, କାଉନ୍‌ସିଲର କୃପାସିନ୍ଧୁ ବେହେରା, ଶିକ୍ଷାବିତ୍‌ ଜଗବନ୍ଧୁ ଜେନା, ଲକ୍ଷ୍ମୀନାରାୟଣ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଜୟ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରିଥିଲେ। ପ୍ରଧାନ ଶିକ୍ଷକ ଖଗେଶ୍ବର ବେହେରା, ଶିକ୍ଷକ ଗୁରୁପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ମୁଖ୍ୟବକ୍ତା ନାଟ୍ୟକାର ଅରୁଣ ନାୟକ, ସମ୍ମାନିତ ଅତିଥି ଉପନଗରପାଳ ମାନିନୀ ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ହାଜରା, ଅଭିନେତା ବୀରେନ ମିଶ୍ର, ହାସ୍ୟାଭିନେତା ବ୍ରଜ ସିଂ, ସିଆର୍‌ସିସି ରାଜଲକ୍ଷ୍ମୀ ଟୁଡୁ, ସ୍କୁଲ ପ୍ରତିଷ୍ଠାତା ହରିହର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶନ କରାଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ହରିହର ସାହୁ, ବିପିନ ବିହାରୀ ସେଠୀ, ରାଜକିଶୋର ପାତ୍ର, ଜ୍ୟୋତିଷ ସାହୁ, ସୁବାସ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ାରେ ଚାମ୍ପିୟନ ହୋଇଥିବା ଦୀପାଞ୍ଜଳି ପୋଥାଳ, ଜ୍ଞାନ ପ୍ରସାଦ ମିଶ୍ର, ଆଶାରାଣୀ ବେଜ, ଶୁଭମ୍‌ ବେହେରା ପୁରସ୍କୃତ ହୋଇଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍କୁଲ କଳା ଶିକ୍ଷକଙ୍କ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ପରିବେଶ ଥିମ୍‌କୁ ନେଇ ବାଲୁକା କଳା, ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରଙ୍ଗୋଲି ଚିତ୍ର, ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଗ୍ୟାଲେରି ପ୍ରଦର୍ଶିତ ହୋଇଥିଲା। ସ୍କୁଲ କମିଟି ସଦସ୍ୟଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।