ଦୁଗ୍ଧ ସମବାୟକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ କୃଷିଭିତ୍ତିକ ସଂସ୍ଥା ତଥା ନ୍ୟାଶନାଲ ଡେଏରି ଡେଭଲପମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ମୁଖ୍ୟାଳୟ ପରିଦର୍ଶନରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଯାଇ ଭାରତୀୟ ଦୁଗ୍ଧ କ୍ଷେତ୍ରରେ ଏନ୍‌ଡିଡିବିର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏପରିକି ଦୁଗ୍ଧ ସମବାୟକୁ ଆହୁରି ମଜଭୁତ କରିବାକୁ ଶାହା ବୋର୍ଡକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ବିଶେଷକରି ଦୁଗ୍ଧ ଉତ୍ପାଦନ ପାଇଁ ସମ୍ଭାବନା ଥିବା ଆବିଷ୍କୃତ ପଞ୍ଚାୟତ ଓ ଗ୍ରାମଗୁଡ଼ିକରେ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବା ସହ କାର୍ଯ୍ୟକ୍ଷମ ଦୁଗ୍ଧ ସମବାୟ ସମିତିଗୁଡ଼ିକର ବିକାଶ କରାଇଲେ ତାହା ଦେଶର ବିକାଶ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ମନ୍ତ୍ରୀ ସମବାୟ ସମିତିର ଆବଶ୍ୟକତା, ଉତ୍ପାଦ ରପ୍ତାନି ପାଇଁ ସାଧାରଣ ବ୍ରାଣ୍ଡ୍‌ , ଜୈବ ଉତ୍ପାଦର ପ୍ରୋତ୍ସାହନ ଆଦି ସମବାୟ ସମିତିର ସହଯୋଗରେ କରାଇବା ପାଇଁ ସେ ବୋର୍ଡକୁ ପରାମର୍ଶ ଦେଇଛନ୍ତି। ଏପରିକି ଦୁଗ୍ଧ ପ୍ରକ୍ରିୟାକରଣ ସୁବିଧାଗୁଡ଼ିକରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର, ଦୁଗ୍ଧ ଯନ୍ତ୍ରପାତି ଉତ୍ପାଦନ ଆଦିରେ ଆତ୍ମନିର୍ଭରଶୀଳତା ବଢ଼ାଇବା ଓ ଦୁଗ୍ଧକ୍ଷେତ୍ର ଉପରେ ବୋର୍ଡ ଆବଶ୍ୟକ କାର୍ଯ୍ୟକ୍ରମ ଓ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଉପରେ ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଏନ୍‌ଡିଡିବିର ଅଧ୍ୟକ୍ଷ ମୀନେଷ ଶାହା, ସମବାୟ ସଚିବ ଜୟନେଶ କୁମାର, ଯୁଗ୍ମ ସଚିବ ପଙ୍କଜ କୁମାର ବଂଶଲ ଏବଂ ଏନ୍‌ଡିଡିବି ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବର୍ଷା ଜୋଷୀ, ପଶୁପାଳନ ତଥା ଡେଏରି ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ସଚିବ ଶାମଲଭାଇ ବାଲାଭାଇ ପଟେଲଙ୍କ ସମେତ ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ ଲିମିଟେଡ୍‌ର ଅଧ୍ୟକ୍ଷ ନିହାଲ ଚାନ୍ଦ ଶର୍ମା ଏବଂ ହିମାଚଳ ପ୍ରଦେଶ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ ଲିମିଟେଡ୍‌ ଏବଂ କାମଧେନୁ ବିଶ୍ୱବିଦ୍ୟାଳୟର କୁଳପତି ଡ.ଏନ୍‌.ଏଚ୍‌. କେଲାୱାଲା ପ୍ରମୁଖଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ସେହିପରି ଏନ୍‌ଡିଡିବିର ଅଧ୍ୟକ୍ଷ ମନ୍ତ୍ରୀଙ୍କୁ ଭାରତର ଦୁଗ୍ଧ କ୍ଷେତ୍ର, ସହଯୋଗୀ ରଣନୀତି, କୃଷକମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବୈଜ୍ଞାନିକ ଦୁଗ୍ଧଚାଷ ପ୍ରଣାଳୀ, ଦୁଗ୍ଧ ସମବାୟ ସମିତିକୁ ମଜଭୁତ କରିବା ତଥା ଏନ୍‌ଡିଡିବିର ସହାୟକ କମ୍ପାନୀଗୁଡ଼ିକର କୋଟି କୋଟି କୃଷକ ଏବଂ ଏନ୍‌ଡିଡିବିର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଉଦ୍ୟମ ବିଷୟରେ ବିସ୍ତୃତ ଆଲୋକପାତ କରାଇବା ସହ ଆବଶ୍ୟକ ସୂଚନା ସେ ମନ୍ତ୍ରୀଙ୍କୁ ଦେଇଛନ୍ତି। ସେହିଭଳି ଏନ୍‌ଡିଡିବିର ଚେୟାରମ୍ୟାନ୍‌ ତଥା ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମନ୍ତ୍ରୀଙ୍କୁ ତାଙ୍କ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇବା ସହ ଦୁଗ୍ଧ କ୍ଷେତ୍ରର ବିକାଶ ଦିଗରେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ନିଶ୍ଚିତ ମଧ୍ୟ କରିଛନ୍ତି।

Share