ପ୍ରକଳ୍ପ କାର୍ଯ୍ୟ ସମାପ୍ତି ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ,୨୮ା୯: ବଲାଙ୍ଗୀର ଜିଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହରେ ମଙ୍ଗଳବାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପଞ୍ଚାୟତିରାଜ, ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସଭାରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, ଜିଲା ପରିଷଦ ସଭାପତି ଦେବକୀ ସାହୁ, ଜିଲାପାଳ ଚଞ୍ଚଳ ରାଣା, ଡିଏଫ୍‌ଓ ନିତିଶ କୁମାର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ ଉପସ୍ଥିତ ଥିଲେ। ଜିଲାପାଳ ରାଣା ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାମର ଅଗ୍ରଗତି ଏବଂ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ପରିଷଦ ନିର୍ବାହୀ ଅଧିକାରୀ ସିଂ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରଥମେ ଏମଜିଏନ୍‌ଆରଇଜିଏ ଯୋଜନା ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରାଯାଇଥିଲା। ଏମଜିଏନ୍‌ଆଇଜିଏ ଯୋଜନାକୁ ନେଇ ଯେଉଁ ତଥ୍ୟ ପ୍ରଦାନ କରାଯାଇଥିଲା ତାକୁ ନେଇ ବିଧାୟକ ମିଶ୍ର ଓ ବିଧାୟକ ମହାଲିଙ୍ଗ ପ୍ରଶ୍ନ କରିଥିଲେ। ଏହି ଯୋଜନାରେ ଯେତିକି ଉପଲବ୍ଧତ୍ ହୋଇଛି ବୋଲି କୁହାଯାଉଛି ସେଥିରେ ଏମଜିଏନ୍‌ଆରଇଜିଏ ଗାଇଡଲାଇନ୍‌ ପାଳନ କରାଯାଇଛି କି ବୋଲି ବିଧାୟକ ମିଶ୍ର ପ୍ରଶ୍ନ କରିଥିଲେ। ବିଧାୟକ ମହାଲିଙ୍ଗ ନଅଗଁା (କ)ରେ ମୃତ ବ୍ୟକ୍ତିଙ୍କ ନଁାରେ ଟଙ୍କା ଉଠାଣ ଘଟଣାକୁ ଅଭିଯୋଗ କରାଗଲା ପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଚାରିଥିଲେ। ଜଣେ ଅଧିକାରୀ ୧ ଲକ୍ଷ ଟଙ୍କା ରିକୋଭରି କରାଯାଇଛି ବୋଲି କହିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର କରି ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏମଜିଏନ୍‌ଆରଇଜିଏ ଯୋଜନାରେ କରାଯାଇଥିବା ଚାରାରୋପଣ, ବନୀକରଣ ସକାଶେ ଗ୍ରହଣ କରାଯାଇଥିବା ଅଭିନବ ବୈଷୟିକ ଜ୍ଞାନକୌଶଳ, ଆମ ଜଙ୍ଗଲ ଯୋଜନା ଜରିଆରେ ବନ ସୁରକ୍ଷା ସମିତିର ଆୟ ସୃଷ୍ଟିକାରୀ ଯୋଜନା ଓ ଭିତ୍ତିଭୂମି ବିକାଶ, ଇକୋ-ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରାଯାଇଥିଲା। ଠିକଣା ସମୟରେ ଯୋଜନା କାର୍ଯ୍ୟକ୍ଷମ କରିବା, ପ୍ରକଳ୍ପ କାମ ସାରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ମନ୍ତ୍ରୀ ଅମାତ ବିଭିନ୍ନ କାମ ଓ ପ୍ରକଳ୍ପର ସମୀକ୍ଷା କରିଥିଲେ। ସଭାରେ କେତେକ ବିଡିଓଙ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ସଭାରେ ଓରମାସ, ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ଜରିଆରେ ଗଠିତ ଉପତ୍ାଦକ ଗୋଷ୍ଠୀ, ସ୍ବୟଂ ସହାୟକ ଗୋଷ୍ଠୀର କୃଷି ତଥା ଅଣକୃଷି ପ୍ରଦର୍ଶନୀ ଷ୍ଟଲକୁ ମନ୍ତ୍ରୀ ଅମାତ ପରିଦର୍ଶନ କରିଥିଲେ।