Categories: ବାଣିଜ୍ୟ

ଯାତ୍ରୀ ସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୫।୪: ଓଡ଼ିଶା ପ୍ରଦେଶରେ ଭାରତୀୟ ରେଲଓ୍ବେର ବିଭିନ୍ନ ପ୍ରକଳ୍ପ ଓ ବିକାଶମୂଳ କାର୍ଯ୍ୟ ଜାରି ରହିଛି। ଏପରିକି ଉକ୍ତ କାର୍ଯ୍ୟର ଅଗ୍ରଗତି ଓ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅବଗତ ହେବା ପାଇଁ ରେଲଓ୍ବେ ବୋର୍ଡର ସଦସ୍ୟ (ଇନଫ୍ରାଷ୍ଟ୍ରକ୍‌ଚର ଡେଭଲପମେଣ୍ଟ-ଭିତ୍ତିଭୂମି ବିକାଶ) ରୂପ ନାରାୟଣ ସୁନକର ସମୀକ୍ଷା କରିଛନ୍ତି। ଏପରିକି ସୋମବାର ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହ ପୂର୍ବତଟ ରେଳପଥର ମୁଖ୍ୟାଳୟଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ତା’ର ବିକାଶକୁ ନେଇ ସୁନକର ବିସ୍ତୃତ ସମୀକ୍ଷା କରିଛନ୍ତି। ଅପରପକ୍ଷରେ ବିଶ୍ୱସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେଶନର ପୁନଃବିକାଶ ପାଇଁ ଜାରି ରହିଥିବା କାର୍ଯ୍ୟଗୁଡ଼ିକୁ ସୁନକର ବିସ୍ତୃତ ଭାବେ ସମୀକ୍ଷା କରିବା ସହ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ ଭାବେ ନିର୍ମାଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସାଧାରଣ ଜନତାଙ୍କ ସହିତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ଆରାମ ପାଇଁ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ ଷ୍ଟେଶନ ପରିସରରେ ଯାତ୍ରୀ ସୁବିଧା ପରି ସେବା ଯୋଗାଇଦେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସହିତ ସମ୍ପୃକ୍ତ ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବେଶ୍‌ ପ୍ରାଥମିକତା ଦେଉଛନ୍ତି। ଏପରିକି ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ମନ୍ତ୍ରୀ ଦୃଢ ନଜର ରଖିଛନ୍ତି, ତେଣୁ ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟର ସମାପ୍ତିକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ସୁନକର କହିଛନ୍ତି। ଉକ୍ତ ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସମେତ ରେଳପଥର ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share