ଡାକ୍ତର ପଦବୀ ପୂରଣ ଉପରେ ଗୁରୁତ୍ୱ

ଲାଠୋର,୨୯ା୭ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି(ଆରକେଏସ୍‌)ର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। କମିଟି ଚେୟାରମ୍ୟାନ ଜିଲା ପରିଷଦ ସଭ୍ୟ ବିପ୍ର ବିଶିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଖପ୍ରାଖୋଲ ଏମଓଆଇସି ଡା. ସୂରଜ କୁମାର ଦୀପ, ଡାକ୍ତର ରାଜ୍ୟଶ୍ରୀ ସାହୁ, ଏମ୍‌ପି ଆରକେଏସ ନୋମିନି କାଶୀନାଥ ମେହେର, ଜିଲା ପରିଷଦ ନୋମିନି ସୁଶାନ୍ତ ବେହେରା, ଘନଶ୍ୟାମ ସରାପ, ସରପଞ୍ଚ ପ୍ରବୀଣ ଅଗ୍ରୱାଲ, କମିଟି ସଭ୍ୟ ଘାସିରାମ ଅଗ୍ରୱାଲ, ଶଙ୍କରଲାଲ ଅଗ୍ରୱାଲ, ବିମଳ ଅଗ୍ରୱାଲ, ଶେଷଦେବ ଭଇଁଷାଲ, ପଦ୍ମନାଭ ନାଏକ, ସତ୍ୟନାରାୟଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଏମବିବିଏସ ଡାକ୍ତର ପଦବୀ ଖାଲି ପଡିବା ସହ ଅନ୍ୟାନ୍ୟ ସମସ୍ୟା ଲାଗି ରହିଛି। ଏହାର ପ୍ରତିବାଦରେ ଗତ ଜୁଲାଇ ୧୭ତାରିଖରେ ଲାଠୋର ଡେଭଲପମେଣ୍ଟ ଆସୋସିଶସନ(ଏଲଡିଏ)ର ସଦସ୍ୟମାନେ ହସ୍ପିଟାଲର ସମସ୍ୟା ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ, ଚିଫ ସେକ୍ରେଟାରୀ, ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଅବଗତ କରିଥିଲେ। ଏହି କ୍ରମରେ ସୋମବାର ଆରକେଏସ ବୈଠକ ବସିଥିଲା। ବୈଠକରେ ଏମବିବିଏସ ଡାକ୍ତର ଏବଂ ଷ୍ଟାଫ୍‌ନର୍ସ ନିଯୁକ୍ତି, ଅସ୍ଥାୟୀ ଝାଡୁଦାରଙ୍କ ଦରମା ବୃଦ୍ଧି, ହସ୍ପିଟାଲ ଜମିର ଡିମାରକେଶନ କରିବା ଉପରେ ଆଲୋଚନା ହୋଇଥିଲା। ମଙ୍ଗଳବାର ଏହି ସବୁ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଏଲଡିଏର ଏକ ପ୍ରତିନିଧି ଦଳ ପାଟଣାଗଡ ବିଧାୟକ ସରୋଜ ମେହେର, ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି ସଂଗଠନର ଲବ ସୁନା କହିଛନ୍ତି।