Categories: ଖେଳ

ପିଲାଦିନୁ ମା’ବାପାଙ୍କୁ ହରାଇଥିଲେ, କ୍ରିକେଟ ହିଁ ପାଲଟିଥିଲା ବନ୍ଧୁ; ଆଇପିଏଲ୍‌ ନିଲାମି ପରେ ହେଲେ କୋଟିପତି…

ଶ୍ରୀନଗର,୨୪।୧୨: ଆଇପିଏଲ୍‌ ୨୦୨୩ ଲାଗି ଅନୁଷ୍ଠିତ ମିନି ଅକ୍ସନରେ ଜମ୍ମୁ-କଶ୍ମୀରର ବିବ୍ରାନ୍ତ ଶର୍ମାଙ୍କୁ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ଏହି ୨୩ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୨.୬ କୋଟି ଟଙ୍କାରେ କିଣାଯାଇଥିଲା। ତେବେ ବାମହାତୀ ଓପନର୍‌ ବିବ୍ରାନ୍ତ ଅକ୍ସନରେ ହିରୋ ପାଲଟିବା ପରଠାରୁ ଚର୍ଚ୍ଚାରେ ଥିବା ବେଳେ ତାଙ୍କ ଜୀବନକାହାଣୀ ଅନେକଙ୍କୁ ଭାବବିହ୍ବଳ କରୁଛି।

ପିଲାଦିନରୁ ମା’ବାପାଙ୍କୁ ହରାଇଥିଲେ ବିବ୍ରାନ୍ତ। ୨୦୦୫ରେ ମା’ଙ୍କ ମୃତ୍ୟୁ ହେବା ପରେ ଭାଇ ବିକ୍ରାନ୍ତ ଶର୍ମା(୧୦ ବର୍ଷ ବଡ) ତାଙ୍କର ଯତ୍ନ ନେଉଥିଲେ। ଘରର ଦାୟିତ୍ୱବୋଧ ଯୋଗୁ ସେ କ୍ରିକେଟରୁ ଦୂରେଇ ଯାଇଥିଲେ। ହେଲେ ଏହି ସମୟ ମଧ୍ୟରେ ସେ କ୍ରିକେଟ ପ୍ରେମରେ ପଡ଼ିଥିଲେ। ୬ ବର୍ଷ ବୟସରୁ ସେ ‘ବ୍ୟାଟ-ବଲ୍‌’ ସହ ବନ୍ଧୁତା ସ୍ଥାପନ କରିଥିଲେ। ୨୦୧୫ରେ ସେ ବାପାଙ୍କୁ ହରାଇଥିଲେ। ମାତ୍ର ଏହି କଠିନ ପରିସ୍ଥିତିରୁ ବାହାରି ସେ ଜମ୍ମୁ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ।

ବିବ୍ରାନ୍ତ ଭାଇ ବିକ୍ରାନ୍ତ ମଧ୍ୟ କ୍ରିକେଟରେ ରୁଚି ରଖିଥିଲେ। ବିବ୍ରାନ୍ତ ତାଙ୍କ ସହ ମଇଦାନକୁ ଯାଉଥିଲେ। ସେଠାରେ ସେ ତାଙ୍କୁ ବୋଲିଂ କରୁଥିଲେ। ଏକଦା କୋଚ୍‌ ରଣଧୀର(ରାଜନ୍‌ ସାର୍‌)ଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସେ ଉଭୟଙ୍କୁ କ୍ରିକେଟର କୌଶଳ ଶିଖାଇଥିଲେ। ସେଠାରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅବ୍‌ଦୁଲ ସମଦ ମଧ୍ୟ ଟ୍ରେନିଂ ନେବାକୁ ଆସୁଥିଲେ। ସେ ବିବ୍ରାନ୍ତଙ୍କ ଭିଡିଓ କରି ଦଳକୁ ଦେଖାଇଥିଲେ। ପରେ ବିବ୍ରାନ୍ତଙ୍କୁ ଡକାଯାଇଥିଲା ଏବଂ ନେଟ୍‌ବୋଲର୍‌ ଭାବେ ସାମିଲ କରାଯାଇଥିଲା। ସେଠାରେ ବିବ୍ରାନ୍ତ ଭଲ ପ୍ରଦର୍ଶନ କରିବା ପରେ ଚଳିତ ନିଲାମରେ ସେ ଦଳରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଥିଲା। ଶେଷରେ ତାହା ହିଁ ହୋଇଛି। କୋଲକାତା ଏବଂ ହାଇଦ୍ରାବାଦ ଟିମ୍‌ ତାଙ୍କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଶେଷରେ ହାଇଦ୍ରାବାଦ ଟିମ୍‌ ତାଙ୍କୁ ମୋଟା ଅଙ୍କର ଦାମ୍‌ ଦେଇ କିଣି ନେଇଥିଲା। ତେବେ ଏସବୁ ବିବ୍ରାନ୍ତଙ୍କ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି ବୋଲି ବିକ୍ରାନ୍ତ କହିଛନ୍ତି।

Share