ଭାବାବେଗ ପଲିଟିକ୍ସ ଗଣତନ୍ତ୍ରକୁ ନଷ୍ଟ କରେ

କମ୍ପାସନ ବା ଅନୁକମ୍ପା ଭାବ ଆମକୁ ଅନ୍ୟର ଦୁଃଖ ଦରଦ ବୁଝିବାରେ ସାହାଯ୍ୟକରେ, କିନ୍ତୁ ସାମୂହିକ ଆବଶ୍ୟକତା ବୁଝେ ନାହିଁ। ସାମୂହିକ କଲ୍ୟାଣ ବା ବିକାଶ ଚିନ୍ତା ହିଁ ଗଣତନ୍ତ୍ରର ମୂଳମନ୍ତ୍ର। ସାମୂହିକ କଲ୍ୟାଣ ଯୋଜନା ଏକ ଅଖଣ୍ଡ ପ୍ରବାହ, ସମଗ୍ର ସମାଜରେ ମନୁଷ୍ୟତ୍ୱର ବିକାଶକରେ। ଅନୁକମ୍ପା ଗୋଟିଏ ଗାଡ଼ିଆ, ତତ୍‌କ୍ଷଣାତ୍‌ ଅଭାବକୁ ପୂରଣକରେ। ନିୟମିତ ବ୍ୟବଧାନରେ ନିର୍ବାଚନ ରାଜନେତାମାନଙ୍କ ଦୃଷ୍ଟିକୋଣକୁ ସଂକୀର୍ଣ୍ଣ କରେ, ୫ ବର୍ଷରେ ସୀମିତ ରଖେ; ସାମଗ୍ରିକ ଓ ମାନବିକ ବିକାଶ ମୂଳମନ୍ତ୍ର ନ ହୋଇ ନିର୍ବାଚନ ସମୟରେ ସମର୍ଥନ-ସଂଗ୍ରହ କରିବାର ମାଧ୍ୟମ ହୋଇଯାଏ। ଦୁଃଖକଷ୍ଟ ଦୂରକରିବାର ସବୁଦିନିଆ ଉପାୟ ନ ଖୋଜି ରାଜନେତାମାନେ ଖୋଜନ୍ତି ଅଳ୍ପରେ ସନ୍ତୁଷ୍ଟ କରିବାର ଉପାୟ। ଏପରି ଭାବାବେଗ ଭିକ ରାଜନୀତି ଗଣତନ୍ତ୍ର ପ୍ରତି ବିପଦ, ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀଙ୍କ ଭାଷାରେ ଇମୋସନ ବେସ୍‌ଡ ପଲିଟିକ୍ସ ଇଜ୍‌ ଏ ଡେଞ୍ଜର ଟୁ ଡିମୋକ୍ରାସି। ଏହାର ଏକ ସମାନ୍ତରାଳ ଉଦାହରଣ ମିଳେ ଭଗବଦ୍‌ଗୀତାରେ। ଯୁଦ୍ଧକ୍ଷେତ୍ରରେ ପରିଚିତ ଲୋକଙ୍କୁ ଦେଖି ଅର୍ଜୁନ ଭାବବିହ୍ବଳ ହୋଇଗଲେ। କହିଲେ, ଯୁଦ୍ଧରେ ଲୋକେ ନିହତ ଓ ଲହୁଲୁହାଣ ହେବା ଉଚିତ ନୁହେଁ। ଏପରି କହି ସେ ଅସ୍ତ୍ରତ୍ୟାଗ କରନ୍ତେ ଶ୍ରୀକୃଷ୍ଣ କହିଲେ, ”ଏ ତୁମର ଭାବାବେଗ। ନ୍ୟାୟ ପ୍ରଦର୍ଶନରେ ବାଧକ। ଯୁଦ୍ଧ ନ କଲେ ଅଧର୍ମୀ କୌରବଙ୍କ ଶାସନ ଚାଲୁ ରହିବ, ଲୋକେ ସବୁଦିନେ ନିର୍ଯାତିତ ଓ ଲହୁଲୁହାଣ ହେଉଥିବେ; ତା’ ତୁଳନାରେ ଏ ଯୁଦ୍ଧର ଲହୁଲୁହାଣ ସାମୟିକ; ତେଣୁ ତୁମର କର୍ତ୍ତବ୍ୟ, ତୁମର ଧର୍ମ।“
ଗଣତନ୍ତ୍ର ହେଉଛି ‘ଲୋକଙ୍କ ପାଇଁ ଲୋକଙ୍କ ଶାସନ’ ପ୍ରତିନିଧିଙ୍କ ଭାବାବେଗ ଅନୁଯାୟୀ ଶାସନ ନୁହେଁ। ଦାରିଦ୍ର୍ୟ, ଅନଗ୍ରସତା, ପୁଷ୍ଟିହୀନତା, ଅସୁସ୍ଥତା ଓ ଅଶିକ୍ଷା ଦୂର କରିବାର ଦୀର୍ଘକାଳୀନ ବ୍ୟବସ୍ଥା କରିବା ଗଣତନ୍ତ୍ରର ଲକ୍ଷ୍ୟ। ଲୋକେ ଯେଉଁଥିରେ ସାଙ୍ଗେ ସାଙ୍ଗେ ଖୁସିହେବେ ତା’ କରିବା ହେଉଛି ଭାବାବେଗ ପଲିଟିକ୍ସ। ଫ୍ରିବି (ସାମୟିକ ମାଗଣା ଅନୁଦାନ) ଏହାର ଗୋଟିଏ ଉଦାହରଣ – ଭୋଟରଙ୍କୁ ଭୋଟଦାନ ଆଗରୁ ବକ୍‌ସିସ୍‌ ଦେବା। ଏଭଳି ତାତ୍କାଳୀକ ଅନୁଦାନ ଅଭାବୀ ଲୋକକୁ ନେତାର ଗୋଡ଼ାଣିଆ କରିଦିଏ, ତା’ ମନରୁ ପରିବାରର ଓ ଦେଶର ଭବିଷ୍ୟତ ଚିନ୍ତା ପୋଛିଦିଏ। ଏହାର ଦୀର୍ଘକାଳୀନ ପ୍ରଭାବ ନାଗରିକର ଅଧିକାର ଉପରେ ଆଘାତ କରେ। ଫ୍ରିଡମ୍‌ ଅଫ୍‌ ଏକ୍ସପ୍ରେସନ (ବାକ୍‌ ସ୍ବାଧୀନତା) ଆମର ସବୁଦିନିଆ (ସାମ୍ବିଧାନିକ) ଅଧିକାର; ଖବର ପରିବେଷଣର ଭିିତ୍ତି; କିନ୍ତୁ ରାଜନେତାମାନେ ଚାହାନ୍ତି ତାଙ୍କ ଉପରେ ଚରିତ୍ରହାନି ସୂଚକ ଖବର ନ ବାହାରୁ, ତାଙ୍କ ପତିଆରାକୁ ହ୍ରାସ କରିବା ଭଳି କିଛି ପ୍ରକାଶ ନ ହେଉ, ଭୋଟରେ ହାରିବାର ଆଶଙ୍କା ବଢ଼ାଉଥିବା ଖବର ନ ବାହାରୁ। ତେଣୁ ଅବାଧ ମତ ପ୍ରକାଶକୁ ରୋକୁଥିବା ସେନ୍‌ସର ଉଠାଇ ଦିଆଯାଉ ବୋଲି ଲୋକେ ଆନ୍ଦୋଳନ କଲେ ରାଜନେତାଏ ଚୁପ୍‌ ରହନ୍ତି। ପରିବେଶ କଥା ଆଉ ଗୋଟିଏ ଉଦାହରଣ। ଦିଲ୍ଲୀର ପ୍ରଦୂଷଣ ସମସ୍ୟା ସାରା ଦେଶ ପାଇଁ କ୍ଲାଇମେଟ୍‌ ଚେଞ୍ଜଜନିତ ସମସ୍ୟାର ଅଙ୍ଗ; ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଯୋଗୁ ପିଲାଏ କାନ୍ଦୁଛନ୍ତି କହିଲେ ସରକାର କିଛି ବ୍ୟବସ୍ଥା କରିବେ ନାହିଁ। ପବନରେ ଗୁଡ଼ିଏ ବିଷାକ୍ତ ବାଷ୍ପ ମିଶୁଥିବାରୁ ପିଲାର ଆଖି ପୋଡ଼େ, ନାଲିଆ ହୋଇଯାଏ, ଅଧିକ କଷ୍ଟ ହେଲେ ସେ କାନ୍ଦେ – ଏପରି କହିଲେ ସମସ୍ତେ ବ୍ୟସ୍ତ ହୁଅନ୍ତି, ରାଜନେତାଏ ବି। ସରକାର ସପ୍ତାହରେ ୨/୩ ଦିନ ଗାଡ଼ି ଚଳାଚଳ ବନ୍ଦ ପ୍ରସ୍ତାବ ଆଣନ୍ତି ତ ଲୋକେ କହନ୍ତି, ପିଲାମାନଙ୍କୁ ସ୍କୁଲ ନେବୁ କିପରି, ରୋଗୀକୁ ମେଡିକାଲ ନେବୁ କିପରି? ରାଜନେତାମାନେ ମନେକରନ୍ତି- ମହିଳାମାନେ ଏବଂ ସ୍କୁଲପିଲା ଓ ରୋଗୀଙ୍କ ପରିବାର ବିମୁଖ ହେବେ, ସେମାନଙ୍କ ଭୋଟ ବିରୋଧୀଙ୍କୁ ଚାଲିଯିବ ।
ବିକଳ୍ପ ରୂପେ ନେତାଏ ଯେତେବେଳେ ପ୍ରସ୍ତାବ ଦିଅନ୍ତି, ଯୋଡ଼ ବେଯୋଡ଼ ସଂଖ୍ୟାର ଗାଡ଼ି ଦିନେ ଛଡ଼ା ଦିନେ ଚାଲିବ, କେତେକ ଲୋକ ଚାହାନ୍ତି ସ୍କୁଲପିଲା ଓ ରୋଗୀ ନେଉଥିବା ଗାଡ଼ି ତଥା ମହିଳା ଚଳାଉଥିବା ଗାଡ଼ିକୁ ଛାଡ଼ କରାଯାଉ। ସଙ୍ଗେ ସଙ୍ଗେ ଆଉ କେତେଜଣ ଲୋକ ପ୍ରଶ୍ନ କରନ୍ତି – କ’ଣ ଦୁଇଚକିଆ ଗାଡ଼ି ବା ମହିଳା ଚଳାଉଥିବା ଗାଡ଼ି କମ୍‌ ପ୍ରଦୂଷଣ କରେ? କ’ଣ କେବଳ ୪ଚକିଆ ଗାଡ଼ି ପ୍ରଦୂଷଣ କରେ? କାହାର ଭାବନାକୁ ଉପେକ୍ଷା କରିବ ଏ ଚିନ୍ତାରେ ଦିଲ୍ଲୀ ସରକାର ଚଳାଉଥିବା ନେତାଏ ଭାବନ୍ତି ଚୁପ୍‌ଚାପ୍‌ ରହିଯିବା ଭଲ। ଫଳରେ ଗାଡ଼ି ଚଳାଚଳରେ କିଛି କଣ୍ଟ୍ରୋଲ ରହିଲେ ଯାହା କିଛି ପ୍ରଦୂଷଣ କମିଥାଆନ୍ତା ତାହା ବି ହୁଏ ନାହିଁ। ଭାବାବେଗ ପଲିଟିକ୍ସ ନେତାମାନଙ୍କ ହାତ ବାନ୍ଧି ଦେଉଛି, ନିର୍ବାଚନ ଇସ୍ତାହାର ବି ରଦ୍ଦି କାଗଜ ହୋଇଯାଉଛି – ଇମୋସନ ବେସ୍‌ଡ୍‌ ପଲିଟିକ୍ସ ଲିଡ୍‌ସ ଟୁ ଇନାକ୍ସନ।
ରାସ୍ତାର କୌଣସି ଜାଗାରେ ଦୁର୍ଘଟଣା ଘଟିଲେ ଯଦି ଜୀବନହାନି ଘଟେ ସରକାର ବ୍ୟସ୍ତ ହୋଇପଡ଼ନ୍ତି, ଜନ ଅସନ୍ତୋଷକୁ କମାଇବା ଲାଗି ପୀଡ଼ିତ ପରିବାରକୁ କେଇଲକ୍ଷ ଟଙ୍କା ସହାୟତା ଘୋଷଣା କରିପକାନ୍ତି। କ୍ଷତିଗ୍ରସ୍ତ ପରିବାର ପାଉଛି କି ନାହିଁ ତା’ ଆଉ ଏକ ବିଷୟ। ଦୁର୍ଘଟଣାପ୍ରବଣ ସ୍ଥାନ ବା ରାସ୍ତାରେ ଆଉ ଯେପରି ଦୁର୍ଘଟଣା ନ ଘଟେ ତା’ ପାଇଁ କ’ଣ କ’ଣ କରିବା କଥା ସେ ବିଷୟ ବିଚାରକୁ ନିଆଯାଏ ନାହିଁ। ଯଦି ସେଠାରେ ପୋଲିସ ଚୌକି ବସାଇ ଗାଡ଼ି ନିୟନ୍ତ୍ରଣ କରାଯାଏ ସେଥିରେ ଗାଡ଼ିବାଲା ବହୁତ ଲୋକ ଓ ବ୍ୟବସାୟୀମାନେ ବିରକ୍ତ ହେବେ। କାରଣ ସେମାନେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାରେ ବିଳମ୍ବ ହେବ । ଯଦି ୨/୩ ଥାକିଆ ରାସ୍ତା କରିବା ପାଇଁ ରାସ୍ତା ଉପରେ ପୋଲ ଓ ପୋଲ ଉପରେ ପୋଲ କରାଯାଏ ଲୋକେ ପାଟି କରିବେ ଯେ ଏଥିରେ ଯେତେ ଖର୍ଚ୍ଚ ହେଉଛି ସେହି ଖର୍ଚ୍ଚରେ ଦୁର୍ଘଟଣା-ଚିକିତ୍ସା-ଜନିତ ହସ୍ପିଟାଲ ତିଆରି କରିହେବ । ଏଭଳି ଭାବନା ସରକାର ଚଳାଉଥିବା ନେତାଙ୍କୁ ନିଷ୍କ୍ରିୟ କରିଦିଏ, ଦୁର୍ଘଟଣା-ପ୍ରବଣତା ରହିଯାଏ। ଯଦି ନେତାମାନେ ପରିସଂଖ୍ୟାନ ଦେଖାନ୍ତେ – ବର୍ଷ ବର୍ଷ ଧରି କେତେ ଜୀବନ ନଷ୍ଟ ହେଉଛି ତାହାର ମୂଲ୍ୟ ତୁଳନାରେ ନିରାପତ୍ତା ଖର୍ଚ୍ଚ କେତେ କମ୍‌ – ଏକ ବିଚାରବନ୍ତ ନିଷ୍ପତ୍ତି ନେଇହୁଅନ୍ତା। ମନ୍ଦିର, ମସ୍‌ଜିଦ୍‌ ଆଦି ଭବ୍ୟ ପୁନରୁଦ୍ଧାର କଲେ ଦଳାଚକଟା, ସଡ଼କଯାତ୍ରା ଓ ପୋଲ ଭୁଶୁଡ଼ିବା ଆଦି ମୃତ୍ୟୁର କାରଣ ତ ଉଭେଇଯିବ ନାହିଁ, ମନ୍ଦିର ବେଢ଼ା ସୁନ୍ଦର ଓ ପ୍ରଶସ୍ତ କରିଦେଲେ ମନ୍ଦିର ତୀର୍ଥସ୍ଥାନ ଯେତେ ହୁଏ ନାହିଁ ତା’ଠାରୁ ବେଶି ପର୍ଯ୍ୟଟନ-ସ୍ଥଳୀ ହୋଇଯାଏ। ଅର୍ଥାତ୍‌ ସରକାରୀ ଉଦ୍ୟମରେ ମନ୍ଦିର ପୁନରୁଦ୍ଧାର କରିବା ଏକ ଭାବାବେଗ ପଲିଟିକ୍ସ, ମାର୍କ୍ସଙ୍କ ଭାଷାରେ ରାଜନେତାଏ ଧର୍ମକୁ ଅଫିମ ଭାବେ ବ୍ୟବହାର କରୁଛନ୍ତି। ଦେବତ୍ୱ ମଣିଷର ମନରେ ନ ରହି ଚାରିକାନ୍ଥ ଭିତରେ ରହିଯାଏ। ମଦ୍ୟପାନ ଯୋଗୁ ଯେତେ ପରିବାର ଛିନ୍‌ଛତ୍ର ହୁଏ ଏବଂ ସମାଜ ଯେତେ ବିଶୃଙ୍ଖଳ ଓ କ୍ଷତିଗ୍ରସ୍ତ ହୁଏ ତା’ର ଉପଶମରେ ସରକାର ଯେତେ ଖର୍ଚ୍ଚ କରୁଛନ୍ତି ତା’ ତୁଳନାରେ ଏକ୍ସାଇଜ୍‌ ଇନ୍‌କମ୍‌ ଖୁବ୍‌ କମ୍‌ ହେଲେ ବି ନିଶା ନିବାରଣ ପବ୍ଲିକ୍‌ ପଲିସି ହୋଇପାରୁନାହିଁ, କାରଣ ଭୋଟରକୁ ଆପ୍ୟାୟିତ କରିବାରେ ମଦ କାରବାର ବେଶ୍‌ କାମ କରେ।
ଟଙ୍କାକିଆ ଚାଉଳ ଯୋଗାଇବା ଏକ ଭାବାବେଗ-ଭିିକ ପଲିଟିକ୍ସ। ଯାହା ପାଖରେ ପଇସା ନାହିଁ ସେ ଟଙ୍କାକିଆ ଚାଉଳ ବି କିଣିପାରିବ ନାହିଁ। କେତେକ ଥିଲାବାଲା ଲୋକ ଟଙ୍କିକିଆ ଚାଉଳ ନେଇ ବ୍ୟବସାୟ କରୁଛନ୍ତି – ଏ କାରବାରରେ ସମାଜରେ ଯେତେ ଅନୀତି ଓ ଭ୍ରଷ୍ଟାଚାର ବଢୁଛି ଓ ଯେତେ ସଂଖ୍ୟାରେ ଲୋକେ କର୍ମବିମୁଖ ହେଉଛନ୍ତି ତଥା ସେମାନଙ୍କ ପିଲାମାନେ ରାହାଜାନି, ଛିନ୍‌ତାଇ ଓ ଅପହରଣ ଭଳି ଅପରାଧରେ ଲିପ୍ତ ରହୁଛନ୍ତି ବା ଦାଦନ ଯାଇ ପ୍ରାଣ ହରାଉଛନ୍ତି ତାହା ବିରଳ ହୋଇଯାନ୍ତା ଯଦି ପବ୍ଲିକ୍‌ ପଲିସି ଭାବେ ତଥାକଥିତ ମାଗଣା ଚାଉଳ ଉପରେ ସରକାର ଯେତେ ଖର୍ଚ୍ଚ କରୁଛନ୍ତି ତାହା ଚିହ୍ନଟ ଲୋକମାନଙ୍କୁ ନିଶ୍ଚିତ ଆୟ (ରୋଜଗାର) ରୂପରେ ଦିଆଯାଆନ୍ତା ଓ ସେମାନେ ବଜାରରୁ ଚାଉଳ ଆଦି କିଣନ୍ତେ ା

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri