Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଶିଷ୍ଟ ନାଗରିକ

ନୂଆଦିଲ୍ଲୀ,୬ା୯(ପି.ଟି.): ସନାତନ ଧର୍ମର ବିଲୋପ ଲାଗି ମନ୍ତବ୍ୟ ଦେଇଥିବା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ୨୬୨ ଜଣ ବିଶିଷ୍ଟ ନାଗରିକ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସ୍ବାକ୍ଷର କରିଥିବା ଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ବିଚାରପତି, ପ୍ରଶାସନିକ ଅଧିକାରୀ ପ୍ରମୁଖ ରହିଛନ୍ତି। ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌.ଏନ୍‌. ଧିଙ୍ଗ୍ରା କହିଛନ୍ତି, ଉଦୟନିଧି କେବଳ ଘୃଣିତ ମନ୍ତବ୍ୟ ଦେଇ ନାହାନ୍ତି, ଏଥିପାଇଁ ସେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ମନ୍ତବ୍ୟରେ ନିମ୍ନସ୍ବାକ୍ଷରକାରୀମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭାରତର ଏକ ବୃହତ୍‌ ଜନସଂଖ୍ୟା ବିରୋଧରେ ଏହା ନିଶ୍ଚିତ ଭାବେ ଘୃଣିତ ମନ୍ତବ୍ୟ ଏବଂ ଭାରତକୁ ଧର୍ମନିରପେକ୍ଷ ଭାବେ ପରିକଳ୍ପିତ କରିଥିବା ସମ୍ବିଧାନ ଉପରେ ଆକ୍ରମଣ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଦେଶର ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖିବାକୁ ହେଲେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ପତ୍ରରେ କୁହାଯାଇଛି। ଏହି ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗରେ ଯଦି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରନ୍ତି, ତେବେ ଏହାକୁ ଅଦାଲତ ଅବମାନନା ଭାବେ ଗ୍ରହଣ କରାଯାଇପାରିବ ବୋଲି ସ୍ବାକ୍ଷରକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ, କାର୍ଯ୍ୟାନୁଷ୍ଠାନ ନେବାକୁ ତାମିଲନାଡୁ ସରକାର ମନା କରିଦେଇଥିବାରୁ ଏହା କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଏବଂ ଆଇନର ଶାସନକୁ ପରିହାସ। ତେଣୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାକୁ ଅବମାନନା ନୋଟିସ ଭାବେ ଗ୍ରହଣ କରି ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିବା ସହ ଘୃଣା ମନ୍ତବ୍ୟ ରୋକିବା ସହ ସାର୍ବଜନିକ ବ୍ୟବସ୍ଥା ଓ ଶାନ୍ତି ରକ୍ଷା ଦିଗରେ ନିର୍ଣ୍ଣାୟକ ପଦକ୍ଷେପ ନିଅନ୍ତୁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ନିବେଦନ କରିଛନ୍ତି।

Share