ସୂର୍ଯ୍ୟ ଦେଓଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୨୨।୭(ବ୍ୟୁରୋ) : ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତଥା ଲେଖକ ସୂର୍ଯ୍ୟ ଦେଓ। ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ତାଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ଭାବେ ମନୋନୀତ ହୋଇଛି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ପ୍ରକାଶ ଯେ, ‘କାଲି ପାଇଁ କାଲିର ସିନେମା’ରେ ୧୯୪୮ରୁ ୧୯୮୬ ମଧ୍ୟରେ ରିଲିଜ ହୋଇଥିବା ୨୧ଟି ଚଳଚ୍ଚିତ୍ର ସମ୍ପର୍କରେ ତଥ୍ୟ ରହିଛି। ଉକ୍ତ ଚଳଚ୍ଚିତ୍ର ହେଲା ଲଳିତା, ଶ୍ରୀ ଜଗନ୍ନାଥ, କୃଷ୍ଣ ସୁଦାମା, ଭକ୍ତ ସାଲବେଗ, ନୂଆ ବୋହୁ, ସାଧନା, କାଁ, ଭାଇ ଭାଉଜ, ଘର ବାହୁଡ଼ା, ରକ୍ତ ଗୋଲାପ, ଶ୍ରୀ ଲୋକନାଥ, ଭାଇଭାଇ, ସଂସାର, ସୂର୍ଯ୍ୟମୂଖୀ, ଜୀବନସାଥୀ, କିଏ କାହାର, ସ୍ତ୍ରୀ, ସମୟ, ନାଗଫାଶ, ଚିଲିକା ତୀରେ ଓ ମାୟା ମିରୀଗ। ଏଥିସହ ୧୯୭୦ରୁ ୮୦ ମଧ୍ୟରେ ଚଳଚ୍ଚିତ୍ର ସହ ଜଡିତ ଅନେକ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାରକୁ ମଧ୍ୟ ସୂର୍ଯ୍ୟ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି। ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ହୋଇଥିଲା।

Share