ଏଲନ୍‌ ମସ୍କଙ୍କ ତିନି ବର୍ଷୀୟା ସାବତ ଭଉଣୀ

ଓ୍ବାଶିଂଟନ୍‌, ୧୬ା୭: ଟେସ୍‌ଲା ଏବଂ ସ୍ପେସ୍‌ଏକ୍ସ ମାଲିକ ଏଲନ୍‌ ମସ୍କଙ୍କର ଜଣେ ୩ ବର୍ଷୀୟା ଭଉଣୀ ଅଛନ୍ତି। ଏଲନଙ୍କ ୭୬ ବର୍ଷୀୟ ବାପା ଏରୋଲ ମସ୍କଙ୍କ ଔରସରୁ ଜନ୍ମିତ ଉକ୍ତ ଶିଶୁକନ୍ୟାଙ୍କ ମା’ ହେଉଛନ୍ତି ବିଶ୍ୱର ଏହି ସବୁଠୁ ଧନୀବ୍ୟକ୍ତିଙ୍କ ସାବତ ଭଉଣୀ। ଜନା ବେଜୁଇଦେନହୁଟ୍‌ଙ୍କ ବୟସ ୩୫, ଯିଏ କି ଏରୋଲଙ୍କ ସାବତ ଝିଅ। ଜନା ତାଙ୍କ ସାବତ ପିତାଙ୍କଠାରୁ ୪୧ ବର୍ଷ ସାନ। ୨୦୧୯ରେ ନିଜ ସାବତ ଝିଅ ସହ ସମ୍ବନ୍ଧରୁ ଦ୍ୱିତୀୟ ଗୁପ୍ତ ସନ୍ତାନ ଜନ୍ମ ହୋଇଥିବା ବିଷୟ ପ୍ରଘଟ କରି ଏରୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି।
ଏଲନଙ୍କ ବାପା ଏରୋଲ ମସ୍କ ଦକ୍ଷିଣ ଆଫ୍ରିକାରେ ଜଣେ ଇଞ୍ଜିନିୟର। ବ୍ରିଟେନର ଏକ ପତ୍ରିକାକୁ ସାକ୍ଷାତ୍‌କାର ଦେଇ ଏରୋଲ କହିଛନ୍ତି, ‘ଆମେ ଏ ପୃଥିବୀରେ ବସବାସ କରୁଛୁ କେବଳ ପ୍ରଜନନ ପାଇଁ’। ଏରୋଲ ଏବଂ ଜନାଙ୍କ ପ୍ରଥମ ଶିଶୁପୁତ୍ର ଇଲିଅଟ୍‌ ରଶ୍‌ ୨୦୧୭ରେ ଜନ୍ମଗ୍ରହଣ କରିଥିଲେ। ୧୯୭୯ରେ ଏଲନ୍‌ଙ୍କ ମା’ ମାୟେ ହେଲ୍ଡମ୍ୟାନ୍‌ ମସ୍କଙ୍କୁ ଏରୋଲ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହେବା ପରେ ସେ ହିଡେ ବେଜୁଇଦେନହୁଟ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହିଡେ ଏବଂ ଏରୋଲଙ୍କ ସମ୍ପର୍କରୁ ୨ ସନ୍ତାନ ଜନ୍ମ ନେଇଥିଲେ। ହିଡେଙ୍କ ଏକ ଅନ୍ୟ ସମ୍ପର୍କରୁ ଜନାଙ୍କ ଜନ୍ମ। ୧୮ ବର୍ଷ ଧରି ଏକାଠି ରହିବା ପରେ ଏରୋଲ ଓ ହିଡେଙ୍କ ବିବାହ ବିଚ୍ଛେଦ ହୋଇଥିଲା। ତେବେ ଏରୋଲ ତାଙ୍କ ସାବତ ଝିଅ ଜନାଙ୍କ ଲାଳନପାଳନରେ ସାହାଯ୍ୟ କରିଥିଲେ। ୨୦୧୭ରେ ଜନା ପ୍ରଥମ ଗର୍ଭ ଧାରଣ କରିଥିବା ଖବର ଜଣାପଡ଼ିବା ପରେ ଏହାକୁ ନେଇ ଏଲନ ଏବଂ ଏରୋଲଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏଲନ ଏବଂ ତାଙ୍କ ପରିବାର ଏହାକୁ ପସନ୍ଦ କରୁ ନ ଥିଲେ ବୋଲି ଏରୋଲ କହିଛନ୍ତି।

Share