ବିଶ୍ୱ ବ୍ୟବସାୟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ଏଲନ ମସ୍କ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…

ନୂଆଦିଲ୍ଲୀ/ଶିକାଗୋ,୧୩ା୬(ରଏଟର୍ସ):ବିଶ୍ୱ ବ୍ୟବସାୟ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗୀ ତଥା ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ ଟ୍ରିଲିୟନେୟାର (୧ ଟ୍ରିଲିୟନ ବା ଲକ୍ଷେ କୋଟି ଆମେରିକୀୟ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ) ହେବାର ଗୌରବ ହାସଲ କରିଛନ୍ତି। ଗୁରୁବାର ମସ୍କଙ୍କ ରକେଟ ଓ ସାଟେଲାଇଟ୍‌ ନିର୍ମାଣ କମ୍ପାନୀ ‘ସ୍ପେସ୍‌ଏକ୍ସ’ ତା’ର ଇନିସିଆଲ୍‌ ପବ୍ଲିକ ଅଫରିଂ (ଆଇପିଓ- ଜନସାଧାରଣଙ୍କ ପାଇଁ ପ୍ରାଥମିକ ଶେୟାର ବିକ୍ରି ପ୍ରକ୍ରିୟା) ଜରିଆରେ ବଜାରରୁ ୭୫ ବିଲିୟନ (୭,୫୦୦ କୋଟି) ଡଲାର ସଂଗ୍ରହ କରିବା ପରେ ଏହି ସଫଳତା ମିଳିଛି। ଶୁକ୍ରବାର ବଜାରରେ ଏହି ଶେୟାର କାରବାର ଆରମ୍ଭ ହେବା ମାତ୍ରେ ମସ୍କଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧.୧ ଟ୍ରିଲିୟନ ଡଲାର (ପ୍ରାୟ ୯୧ ଲକ୍ଷ କୋଟି ଭାରତୀୟ ଟଙ୍କା) ଅତିକ୍ରମ କରିଯାଇଛି।
‘ଫୋର୍ବସ ୱେଲ୍‌ଥ’ର ସୂଚନା ଅନୁଯାୟୀ, ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ‘ଆଲଫାବେଟ୍‌’ର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍‌ଙ୍କ ସମ୍ପତ୍ତି ପ୍ରାୟ ୩୦୦ ବିଲିୟନ ଡଲାର ରହିଛି, ଯାହା ମସ୍କଙ୍କ ମୋଟ ସମ୍ପତ୍ତିର ଏକତୃତୀୟାଂଶରୁ କମ୍‌। ବର୍ତ୍ତମାନ ମସ୍କଙ୍କ ସମ୍ପତ୍ତିର ସବୁଠାରୁ ବଡ଼ ଭାଗ ସ୍ପେସ୍‌ଏକ୍ସ କମ୍ପାନୀରୁ ଆସୁଛି, ଯେଉଁଠାରେ ତାଙ୍କ ଅଂଶଧନର ମୂଲ୍ୟ ପ୍ରାୟ ୮୬୬ ବିଲିୟନ ଡଲାର। ବଜାର ବିଶ୍ଳେଷକମାନେ ଏହାକୁ ‘ଏଲନ୍‌ ପ୍ରିମିୟମ’ ବୋଲି କହୁଛନ୍ତି, କାରଣ ନିବେଶକମାନେ କୌଣସି ପାରମ୍ପରିକ ଆର୍ଥିକ ହିସାବ ନ ଦେଖି କେବଳ ମସ୍କଙ୍କ ଦୂରଦୃଷ୍ଟି ଓ ବୈଷୟିକ ଜ୍ଞାନକୌଶଳ ଉପରେ ଭରସା କରି ବିପୁଳ ପୁଞ୍ଜି ନିବେଶ କରୁଛନ୍ତି।
୫୪ ବର୍ଷୀୟ ଏଲନ୍‌ ମସ୍କ ନିଜର ବ୍ୟବସାୟିକ ସାମ୍ରାଜ୍ୟକୁ କେବଳ ଗାଡ଼ି ନିର୍ମାଣ (ଟେସ୍‌ଲା) ମଧ୍ୟରେ ସୀମିତ ନ ରଖି ମହାକାଶ ବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ସୋସିଆଲ ମିଡିଆ (‘X’-ପୂର୍ବର ଟୁଇଟର) ପର୍ଯ୍ୟନ୍ତ ବିସ୍ତାର କରିଛନ୍ତି। ୨୦୨୨ରେ ୪୪ ବିଲିୟନ ଡଲାରରେ ଟୁଇଟରକୁ କିଣିବା ପରେ ସେ ସାରା ବିଶ୍ୱର ଜନମତ ଓ ରାଜନୀତିକୁ ପ୍ରଭାବିତ କରିବାର କ୍ଷମତା ହାସଲ କରିଛନ୍ତି। ଏହାବ୍ୟତୀତ ସେ ମସ୍ତିଷ୍କ ଚିପ୍‌ ନିର୍ମାଣ କରୁଥିବା ‘ନ୍ୟୁରାଲିଙ୍କ’ ଏବଂ ସୁଡଙ୍ଗ ନିର୍ମାଣ କରୁଥିବା ‘ଦି ବୋରିଂ କମ୍ପାନୀ’ ଭଳି ପ୍ରତିଷ୍ଠାନର ମଧ୍ୟ ସହ-ପ୍ରତିଷ୍ଠାତା।
ଅପାର ସଫଳତା ସତ୍ତ୍ୱେ ମସ୍କ ନିଜ ରୀତିନୀତି ଓ ସୋସିଆଲ ମିଡିଆରେ ‘ଖୋଲାଖୋଲି ବୟାନବାଜି’ ପାଇଁ ସର୍ବଦା ବିବାଦରେ ରହିଛନ୍ତି। ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ‘ସରକାରୀ ଦକ୍ଷତା ବିଭାଗ’ (ଡିଓଜିଇ) ରେ ସାମିଲ ହେବା ପରେ ତାଙ୍କର ରାଜନୈତିକ ହସ୍ତକ୍ଷେପ ବହୁମାତ୍ରାରେ ବୃଦ୍ଧି ପାଇଥିଲା। ଏହି କାରଣରୁ ୨୦୨୫ରେ ଅନ୍ତର୍ଜାତୀୟ ବଜାରରେ ଗ୍ରାହକଙ୍କ ବର୍ଜନ ଯୋଗୁ ଟେସ୍‌ଲା ଗାଡ଼ିର ବିକ୍ରି ହ୍ରାସ ପାଇଥିଲା। ଏହାବ୍ୟତୀତ ଟେସ୍‌ଲାର କର୍ପୋରେଟ ଗଭର୍ନାନ୍ସ ଏବଂ ମସ୍କଙ୍କ ୫୬ ବିଲିୟନ ଡଲାରର ବାର୍ଷିକ ଦରମା ପ୍ୟାକେଜ୍‌କୁ ନେଇ ଶେୟାରଧାରୀମାନେ ଅନେକ ଆଇନଗତ ଚ୍ୟାଳେଞ୍ଜର ସାମ୍ନା କରିଛନ୍ତି।
ଅନ୍ୟପକ୍ଷରେ କିଛି ସମୟ ପୂର୍ବରୁ ମସ୍କଙ୍କ ସହ ଦୀର୍ଘ ଆଇନଗତ ଲଢ଼େଇ ଚଳାଇଥିବା ବିଶ୍ୱର ସବୁଠାରୁ ବଡ଼ ବ୍ୟାଙ୍କ ‘ଜେପି ମୋର୍ଗାନ୍‌ ଚେଜ୍‌’ର ସିଇଓ ଜେମି ଡାଇମନ୍‌ ଏବେ ମସ୍କଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ପୁରୁଣା ବିବାଦକୁ ଭୁଲି ମସ୍କଙ୍କୁ ଆଲିଙ୍ଗନ କରିବା ସହ ଡାଇମନ ଗଣମାଧ୍ୟମକୁ କହିଛନ୍ତି, ‘ଏଲନ୍‌ ହେଉଛନ୍ତି ଆମ ସମୟର ଥୋମାସ ଏଡିଶନ ଏବଂ ଆମ ପିଢ଼ିର ଆଇନଷ୍ଟାଇନ।’ ଅପରପକ୍ଷରେ, ଜେନେରାଲ ମୋଟର୍ସର ପୂର୍ବତନ ଉପାଧ୍ୟକ୍ଷ ବବ୍‌ ଲୁଟ୍‌ଜ କହିଛନ୍ତି, ଅଟୋମୋବାଇଲ ଇଞ୍ଜିନିୟରିଂ କ୍ଷେତ୍ରରେ ମସ୍କ ଆମେରିକାର ଗୌରବ ଓ ସମ୍ମାନକୁ ବିଶ୍ୱ ଦରବାରରେ ପୁନଃ ପ୍ରତିଷ୍ଠିତ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share