ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ ଏଲନ ମସ୍କ ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ମସ୍କ କହିଛନ୍ତି, ଭାରତ ଏକ ସ୍ଥାୟୀ ଆସନ ପାଇବା ଉଚିତ୍‌ ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିୟମକୁ ସୁଦୃଢ଼ କରିବା ଉଚିତ୍‌।
ମସ୍କ ଏକ୍ସରେ ଲେଖିଛନ୍ତି, ୟୁଏନଏସସିରେ ଭାରତର ସ୍ଥାୟୀ ଆସନ ନାହିଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଆହୁରି ସଂସ୍କାର କରାଯିବା ଉଚିତ ଏବଂ ଭାରତକୁ ଏହାର ସ୍ଥାୟୀ ସଦସ୍ୟ କରାଯିବା ଉଚିତ୍‌।
ଏଥି ସହିତ, ଏହି ପ୍ରସଙ୍ଗରେ ଆମେରିକାର ବୈଦେଶିକ ବିଭାଗର ମୁଖ୍ୟ ଉପମୁଖପାତ୍ର ବେଦାନ୍ତ ପଟେଲ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦ ସମେତ ଜାତିସଂଘର  ସଂସ୍କାର ପାଇଁ ଆମେରିକା ସମର୍ଥନ ପ୍ରଦାନ କରିଛି। ଏଥିରୁ ବିଶ୍ୱାସ କରାଯାଏ ଯେ ଆମେରିକା ବର୍ତ୍ତମାନ ଭାରତକୁ ସ୍ଥାୟୀ ଆସନ ଦେବା ସପକ୍ଷରେ ଅଛି।
ବର୍ତ୍ତମାନ ଆମେରିକା, ବ୍ରିଟେନ, ଚାଇନା, ଫ୍ରାନ୍ସ ଏବଂ ରୁଷିଆ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟନ୍ତି। ସେମାନଙ୍କର ଭିଟୋ ଶକ୍ତି ଅଛି। ମିଳିତ ଜାତିସଂଘର ନୂତନ ସଦସ୍ୟ ନିଯୁକ୍ତ କରିବାର ମଧ୍ୟ ଅଧିକାର ରହିଛି। ଯଦି ଏଥିରେ ଉନ୍ନତି ଆସେ ତେବେ ଭାରତ ମଧ୍ୟ ଏହାର ସଦସ୍ୟ ହୋଇପାରିବ। ତେବେ ଦଶନ୍ଧି ଧରି ଭାରତ ଏଥିପାଇଁ କଠିନ ଚେଷ୍ଟା କରୁଛି।

Share