ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଗୃହ

କୃଷ୍ଣପ୍ରସାଦ,୩୧ା୧୨(ଡି.ଏନ୍‌.ଏ.): ଫାଇଲିନ୍‌ ବାତ୍ୟାରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ବହୁ ପରିବାର ବାସଗୃହ ହରାଇଥିଲେ। ପକ୍କାଘର ନ ଥିବା ପରିବାରଙ୍କୁ ବାତ୍ୟା ନିରୋଧକ ବାସଗୃହ ଯୋଗାଇଦେବା ପାଇଁ ବିଶ୍ୱବ୍ୟାଙ୍କ ଅନୁମତି ପ୍ରଦାନ କରିଥିଲା। ଏନେଇ ହିତାଧିକାରୀ ଚୟନ ମଧ୍ୟ ସରିଥିଲା। ତେବେ କେତେଜଣ ଏହି ସହାୟତା ପାଇଥିବା ବେଳେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍‌ ପଡ଼ିଥିଲେ। ବାସଗୃହ ଯୋଗାଣ ମଞ୍ଚ ମାଧ୍ୟମରେ ଆବାହକ ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ହିତାଧିକାରୀମାନେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ହିତାଧିକାରୀଙ୍କୁ ତୁରନ୍ତ ଗୃହ ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଗୃହ ପାଇଁ ସହାୟତା ମିଳିନାହିଁ। ଏହାର ପ୍ରତିବାଦରେ ଗୁରୁବାର ମଞ୍ଚ ଆବାହକ ସୁବାସ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କାର୍ତ୍ତିକ ଦଳେଇ, ନାଗେଶ୍ୱର ଦାସ, ପ୍ରଫୁଲ ଚନ୍ଦ୍ର ଜଗଦ୍ଦେବ, ନାରାୟଣ ମହାପାତ୍ର, ଖଗେଶ୍ୱର ପ୍ରଧାନ ପ୍ରମୁଖ ବ୍ଲକ ଅଫିସ ଆଗରେ ଅନଶନରେ ବସିଛନ୍ତି। ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ନ ମିଳିବା ଯାଏ ଅନଶନ ଚାଲୁରହିବ।