Categories: ଜାତୀୟ

ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଲେ ଫରୀଦ ଓରଫ ନୀଟୁ। ଉକ୍ତ ଅଞ୍ଚଳରେ ବେଶ୍‌ ଜଣାଶୁଣା ଅଭିଯୁକ୍ତ ଭାବେ ଫରୀଦର ନାଁ ରହିଛି। ଫରୀଦ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଗୁରୁବାର ଦିଲ୍ଲୀର ସ୍ପେଶାଲ ସେଲ୍‌ କୋଲକାତାରୁ ଫରୀଦଙ୍କୁ ଗିରଫ କରିଛି। ଫରୀଦ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ସେ ହିଂସା ଉସୁକାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସ୍ପେଶାଲ ସେଲ୍‌ର ସୂଚନା ଅନୁସାରେ, ଯେତେବେଳେ ପଥର ଫିଙ୍ଗିବା ଘଟଣା ଘଟିଥିଲା, ସେତେବେଳେ ହିଂସା ଘଟାଇବା ସହ ଗୁଜବ ପ୍ରଚାର କରିବା ଏବଂ ଉତ୍ତେଜନା ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଫରୀଦ। ଏହାପରେ ସେ କୋଲକାତାକୁ ଫେରାର ହୋଇଯାଇଥିଲେ। ଦିଲ୍ଲୀ ପୋଲିସ ଫରୀଦଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରିଥିଲା। ଘଟଣାର କିଛି ଦିନ ପରେ ଫରୀଦ ଜାହାଙ୍ଗୀରପୁରୀରୁ ଫେରାର ହେବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ। ତେବେ ସମସ୍ତ ଅଭିଯୁକ୍ତ କୋଲକାତା ନିକଟସ୍ଥ ଏକ ଗ୍ରାମାଞ୍ଚଳରେ ଲୁଚି ରହିଥିବା ଖବର ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ମିଳିଥିଲା। ଅନ୍ୟପଟେ ଏହି ହିଂସା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଆଉ ୨ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Share