Categories: ଜାତୀୟ

ଜୟଶଙ୍କରଙ୍କ ସମେତ ୧୧ ନେତା ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ

ନୂଆଦିଲ୍ଲୀ,୧୮ା୭: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ’ବ୍ରାଏନ୍‌ଙ୍କ ସମେତ ୧୧ ଜଣ ନେତା ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ଶାସକ ଭାଜପା ଗୋଟିଏ ଆସନ ଅଧିକ ପାଇବା ସହ ରାଜ୍ୟ ସଭାରେ ଏହାର ଆସନ ସଂଖ୍ୟା ୯୩ ହେବାକୁ ଯାଉଛି। ଜୁଲାଇ ୨୪ରେ ରାଜ୍ୟ ସଭା ଭୋଟ ଥିବାବେଳେ ପଶ୍ଚିମବଙ୍ଗର ୬ ଆସନ, ଗୁଜରାଟର ୩ ଏବଂ ଗୋଆର ଗୋଟିଏ ଆସନ ପାଇଁ ଭୋଟ ହେବ ନାହିଁ। କାରଣ ଏହିସବୁ ଆସନରେ କେହି ବିରୋଧୀ ପ୍ରାର୍ଥୀ ନାହାନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ତୃଣମୂଳ କଂଗ୍ରେସରୁ ୬ ଏବଂ ଭାଜପାରୁ ୫ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବାକୁ ଯାଉଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗର ଏକ ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ହେଉଥିବାବେଳେ ଉକ୍ତ ଆସନ ମଧ୍ୟ ତୃଣମୂଳ ପ୍ରାର୍ଥୀ ଜିତିବାକୁ ଯାଉଛନ୍ତି। ଜୟଶଙ୍କର ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭାକୁ ନିର୍ବାଚିତ ହେବେ। ତାଙ୍କ ବ୍ୟତୀତ ଗୁଜରାଟରୁ ଭାଜପାର ବାବୁଭାଇ ଦେଶାଇ, କେଶରିଦେବ ସିଂ ଝଲା, ପଶ୍ଚିମବଙ୍ଗରୁ ଅନନ୍ତ ମହାରାଜ ଏବଂ ଗୋଆରୁ ସଦାନନ୍ଦ ଶେଟ୍‌ ତାନାଭାଡେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ତୃଣମୂଳ କଂଗ୍ରେସରୁ ନିର୍ଦ୍ୱନ୍ଦ୍ୱରେ ଜିତୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଓ’ବ୍ରାଏନ, ସୁଖେନ୍ଦୁ ଶେଖର ରାୟ, ଡୋଲ ସେନ୍‌, ସାକେତ ଗୋଖଲେ, ସମିରୁଲ ଇସ୍‌ଲାମ ଏବଂ ପ୍ରକାଶ ବାରିକ।

Share