ଅମାବାସ୍ୟା ରାତିରେ ଖୋଳୁଥିଲେ ଗୁପ୍ତଧନ: ଧରାପଡ଼ିଲେ ଗୁଣିଆ ସମେତ ୧୧

ବିଷମକଟକ,୯ା୯(ଡି.ଏନ୍‌.ଏ.): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅମାବାସ୍ୟା ରାତିରେ ଗୁପ୍ତଧନ ଖୋଳିବାକୁ ଯାଇଥିଲେ। ଗ୍ରାମବାସୀ ୧୧ ଜଣଙ୍କୁ କାବୁକରି ୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକ ରଖିଥିବା ଜଣାପଡ଼ିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଡୁକୁମ ପଞ୍ଚାୟତର ଡେଡିପଡ଼ା ଗ୍ରାମରୁ ଆସିଛି ଏଭଳି ଖବର।
ସୂଚନା ଅନୁଯାୟୀ, ଡେଡ଼ିପଡ଼ା ଗ୍ରାମର କାଣିମାଣି ଠାକୁରାଣୀ ଝାଙ୍କିରି ମାଁଙ୍କ ପୀଠରେ ମଙ୍ଗଳବାର ରାତିରେ ଗୁଣିଆ ସମେତ ୧୧ ଜଣ ବ୍ୟକ୍ତି ଏକାଠି ହୋଇ ପୂଜାପାଠ କରିବା ସହ ସେଠାରେ ଥିବା ଏକ ଶିମିଳି ଗଛ ତଳେ ଗୁପ୍ତଧନ ଥିବା ଆଶାରେ ଖୋଳୁଥିଲେ। ଏହା ଜାଣିପାରି ଗ୍ରାମବାସୀ ସେମାନଙ୍କୁ କାବୁକରି ଗାଁ ଗୋଷ୍ଠୀ କେନ୍ଦ୍ରରେ ଅଟକ ରଖିଥିବା ଜଣାପଡ଼ିଛି। ସେହିପରି ସମ୍ପୃକ୍ତ ବ୍ୟକ୍ତିମାନେ ଆସିଥିବା ଏକ କାର୍‌(ଓଆର୍‌ ୦୨ ଏଡବ୍ଲ୍ୟୁ ୧୫୫୫) ଏବଂ ୩ ବାଇକ୍‌ ମଧ୍ୟ ଅଟକ ରଖାଯାଇଛି। ଅଟକ ରଖାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କଳାହାଣ୍ଡି ଜିଲା ଭବାନିପାଟଣାର ୩ ଜଣ, ବିଶ୍ୱନାଥପୁରର ୩, ରାୟଗଡ଼ା ଜିଲା ବିଷମକଟକ ଥାନା ଅଞ୍ଚଳର ୪ ଏବଂ ପଦ୍ମପୁର ବ୍ଲକ ଅଞ୍ଚଳର ଜଣେ ରହିଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରୁ ସେମାନଙ୍କୁ ଅଟକ ରଖି ମାଡ ମାରିବା ସହ କଙ୍ଗାରୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଏମିତିକି ସେମାନଙ୍କ ଠାରୁ ଗ୍ରାମବାସୀ ଟଙ୍କା ମଧ୍ୟ ମାଗିଥିବା ଜଣାପଡ଼ିଛି। ଗ୍ରାମରେ ଏକ ବୈଠକରେ ନିଷ୍ପତ୍ତି ପରେ ସମସ୍ତଙ୍କୁ ଛଡ଼ାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ରାତିରୁ ସେମାନଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ବିଷମକଟକ ପୋଲିସ ବୁଧବାର ରାତିରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ ମଧ୍ୟ ସଫଳ ନ ହୋଇ ଫେରିଆସିଥିବା ଜଣାପଡ଼ିଛି।