Categories: ଜାତୀୟ

ୟୁପିରୁ ୧୧, ଛତିଶଗଡ଼ରୁ ୨ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ/ରାୟପୁର,୪।୬: ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ୧୧ ଜଣ ଏବଂ ଛତିଶଗଡ଼ରୁ ୨ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ନିର୍ବାଚିତ ହୋଇଥିବା ୮ ଭାଜପା ପ୍ରାର୍ଥୀ ହେଲେ ଲକ୍ଷ୍ମୀକାନ୍ତ ବାଜପେୟୀ, ଡ. ରାଧାମୋହନ ଦାସ ଅଗ୍ରଓ୍ବାଲ, ସୁରେନ୍ଦ୍ର ନାଗର, ଡ. କେ. ଲକ୍ଷ୍ମଣ, ମିଥିଳେଶ କୁମାର, ବାବୁରାମ ନିଶାଦ, ସଙ୍ଗୀତା ଯାଦବ ଏବଂ ଦର୍ଶନା ସିଂ। କପିଲ ସିବଲ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବାବେଳେ ରାଷ୍ଟ୍ରୀୟ ଲୋକଦଳ ଅଧ୍ୟକ୍ଷ ଜୟନ୍ତ ଚୌଧରୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭା ଯାଇଛନ୍ତି। ଉଭୟ ସମାଜବାଦୀ ପାର୍ଟି ସମର୍ଥନରେ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜାଭେଦ ଅଲି ମଧ୍ୟ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ରିଟର୍ନିଂ ଅଫିସର ନିର୍ବାଚିତ ସଦସ୍ୟଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି।
ଛତିଶଗଡ଼ରୁ କଂଗ୍ରେସ ପ୍ରାର୍ଥୀ ରାଜୀବ ଶୁକ୍ଳା ଏବଂ ରଞ୍ଜିତ ରଞ୍ଜନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟ ସଭାକୁ ଯାଇଛନ୍ତି। ସାମ୍ବାଦିକରୁ ରାଜନେତା ହୋଇଥିବା ୬୧ ବର୍ଷୀୟ ଶୁକ୍ଳା ପୂର୍ବରୁ ୩ ଥର ରାଜ୍ୟ ସଭା ସଦସ୍ୟ ରହିଥିଲେ। ସେହିପରି ରଞ୍ଜିତ ବିହାରରୁ ପୂର୍ବତନ ଲୋକ ସଭା ସଦସ୍ୟ ଥିଲେ।

Share