ରାଜରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ହାତୀମାନେ କେତେବେଳେ ଗାଁଗଣ୍ଡାରେ ପ୍ରବେଶ କରୁଛନ୍ତି ତ ଆଉ କେତେବେଳେ ରାଜରାସ୍ତାରେ ଛିଡ଼ା ହେଉଛନ୍ତି। ଏହା ଦେଖି ସାଧାରଣ ଲୋକେ ଏବେ ଭୟ ଓ ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ଏହିଭଳି ଏକ ଦୃଶ୍ୟ ଶନିବାର ସନ୍ଧ୍ୟାରେ ଶରଣକୂଳରୁ ପୁରୀ ଯାଇଥିବା ନୂଆ ଜଗନ୍ନାଥ ସଡ଼କ ଉପରେ ଦେଖିବାକୁ ମିଳିଥିଲା। ଗୋଟିଏ ହାତୀ ଦୀର୍ଘ ସମୟ ଧରି ରାସ୍ତା ଉପରେ ଠିଆ ହୋଇ ରହିବାରୁ ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଥିଲା। ତେବେ ହାତୀଟି ଜଙ୍ଗଲ ଭିତରକୁ ପଶିଯିବା ପରେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା। ଖବର ପାଇ ଭୂଷଣ୍ଡପୁର ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ଫରେଷ୍ଟର ସିଧୁ ଚରଣ ସିଂଙ୍କୁ ପଚାରିବାରୁ ହାତୀଟି ଖଜୁରିଆ ମୁଣ୍ଡିଆକୁ ଚାଲିଯାଇଛି। ଏଥିପାଇଁ ବନକର୍ମଚାରୀ ସଜାଗ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।