ସଙ୍କଟରେ ହାତୀ

ପୁରୀ ମହାରାଜାଙ୍କୁ ଗଜପତି ବୋଲି କୁହାଯାଏ; କାରଣ ଓଡ଼ିଶାରେ ଗଜ ଅର୍ଥାତ୍‌ ହସ୍ତୀଙ୍କ ସଂଖ୍ୟା ବହୁତ ଥିଲା। ବର୍ତ୍ତମାନ ଗଜପତିଙ୍କ ରାଜ୍ୟ ଓଡ଼ିଶା ଏବେ ଗଜଶୂନ୍ୟ ହେବାକୁ ବସିଛି। ଶିମିଳିପାଳ, ସାତକୋଶିଆ ଏବଂ କେନ୍ଦୁଝରଠାରୁ ଆରମ୍ଭ କରି ଚନ୍ଦକା ତଥା ରେଢ଼ାଖୋଲର ଘଞ୍ଚ ଜଙ୍ଗଲ ହିଁ ହାତୀଙ୍କ ସୁରକ୍ଷା ସ୍ଥଳୀ ଥିଲା। ମାତ୍ର ପରିତାପର ବିଷୟ ଯେ ଗତ ଦୁଇ ଦଶନ୍ଧିରେ ଜଙ୍ଗଲ କ୍ଷୟ, ଖାଦ୍ୟ ଅଭାବ ତଥା ହାତୀ ଶିକାର ଯୋଗୁ ହାତୀବଂଶ ଲୋପ ପାଇବାରେ ଲାଗିଛି। ଦିନ ଆସିବ ଓଡ଼ିଶା ହାତୀଶୂନ୍ୟ ହୋଇଯିବ!
କେବଳ ସେତିକି ନୁହେଁ, ଶିକାରୀ ଗୁଳି ମାଡ଼ରେ ହାତୀଙ୍କ ଜୀବନ ଯାଉଛି। କେହି କେହି ଅପରିଣାମଦର୍ଶୀ ଲୋକ କଦଳୀ ଗଛରେ ଏବଂ ପାଚିଲା ପଣସରେ ବିଷ ଦେଇ ହାତୀକୁ ମାରୁଛନ୍ତି। ଏହାର ଅସଲ ଉଦ୍ଦେଶ୍ୟ ହେଲା, ହାତୀ ଦାନ୍ତକୁ ନେଇ ବାହାରେ ବିକ୍ରି କରି ଲାଭବାନ ହେବା। ଏହା ଆମକୁ କାଳିଦାସଙ୍କର ଗଛରେ ଚଢ଼ି ସେହି ଗଛ ଡାଳକୁ ହାଣୁଥିବା ଗଳ୍ପର ଉପାଖ୍ୟାନ ଭଳି ମନେହୁଏ। ସେ ବିଷୟରେ ଏହା ବିଶେଷ ଆଲୋଚନାର ଆବଶ୍ୟକତା ରଖେ ନାହିଁ। ଏତଦ୍‌ବ୍ୟତୀତ ଟ୍ରେନ୍‌ ଧକ୍କା, ଗାଡ଼ି ଧକ୍କା ଓ ବିଦ୍ୟୁତ୍‌ ଆଘାତରେ ମଧ୍ୟ ହାତୀ ମରୁଛନ୍ତି। ବର୍ଷକୁ ବର୍ଷ ଏଭଳି ଧାରା ଜାରି ରହିଲେ ହାତୀ ବଂଶ ଅଚିରେ ଲୋପପାଇବ ତାହା ଏବେଠୁ ଜଳଜଳ ହୋଇ ଦେଖାଯାଉଛି। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ୍‌ମାନେ ମଧ୍ୟ ଚିନ୍ତାପ୍ରକଟ କଲେଣି।
ଆପଣମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆମର ଏ ଆଲେଖ୍ୟ। ବେଶି ଦୂରକୁ ଯିବା ନାହିଁ। ରାଜ୍ୟରେ ଗତ ଅଢ଼େଇ ବର୍ଷରେ ଅର୍ଥାତ୍‌ ୨୦୨୦ ମସିହା ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ୧୭୫ଟରୁ ଊର୍ଦ୍ଧ୍ୱ ହାତୀ ସରକାରୀ ହିସାବରେ ମୃତ୍ୟୁବରଣ କଲେଣି। ଏହାବାଦ୍‌ କିଛି ଜାଗାରେ ମଧ୍ୟ ଫରେଷ୍ଟ ଗାର୍ଡ ଇତ୍ୟାଦିଙ୍କ ଅବହେଳାରୁ ହାତୀ ଶିକାର ହେଉଥିବାର ଖବର ଆମ ପାଖକୁ ଆସୁଛି। ସେସବୁ ହାତୀକୁ ଦଣ୍ଡ ଭୟରେ ଜଙ୍ଗଲ କର୍ମଚାରୀମାନେ ବା ଶିକାରୀମାନେ ପୋତି ପକାଉଛନ୍ତି। ଯେଉଁ ମୃତ ହାତୀଙ୍କ କଥା ଉଲ୍ଲେଖ କଲି ତନ୍ମଧ୍ୟରୁ ୩୯ଟି ହାତୀଙ୍କୁ ଶିକାରୀମାନେ ଗୁଳିକରି ବିଭିନ୍ନ ଅସ୍ତ୍ର, ବିଷ କିମ୍ବା ବିଦ୍ୟୁତ୍‌ ଆଘାତ ଦେଇ ମାରିଛନ୍ତି। ହିସାବ ଅନୁସାରେ ବିଦ୍ୟୁତ୍‌ କରେଣ୍ଟ ଲାଗି ୫ ହାତୀଙ୍କ ଜୀବନ ଯାଇଥିବା ବେଳେ ଟ୍ରେନ୍‌ ଧକ୍କାରେ ୧୩ ହାତୀଙ୍କ ଜୀବନ ଯାଇଛି। ସେହିପରି ୭୦ ହାତୀ ବିଭିନ୍ନ ରୋଗ କିମ୍ବା ଅସାବଧାନତାବଶତଃ ଖାତରେ ପଡ଼ି ମରିଛନ୍ତି। ଏହି ମୃତ୍ୟୁ ସଂଖ୍ୟା ମଧ୍ୟରେ ୪୧ ହାତୀଙ୍କ ମୃତ୍ୟୁର ପ୍ରକୃତ ତଥ୍ୟ ସରକାରଙ୍କ ପାଖରେ ନାହିଁ। ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ମତରେ ଏହି ୪୧ ହାତୀଙ୍କ ମଧ୍ୟରୁ ଅଧିକାଂଶ ଶିକାରୀଙ୍କ ଶିକାର ଯୋଗୁ ମରିଛନ୍ତି।
ନିକଟ ଅତୀତରେ ଆଠଗଡ଼ ବନଖଣ୍ଡ ଅଧୀନ ବଡ଼ମ୍ବା ରେଞ୍ଜରେ ଗତ ଜୁନ୍‌ ୨ ଓ ୩ ତାରିଖରେ ଯଥାକ୍ରମେ ଖାରଡ଼ ଏବଂ ଜେନାପାଳ ଗ୍ରାମ ନିକଟରୁ ଦୁଇ ହାତୀଙ୍କର ଗଳିତ ମୃତଦେହକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ମାଟିତଳୁ ଉଦ୍ଧାର କରିଥିଲେ। ସେହିପରି ଗତ ଫେବୃୟାରୀ ୮ରେ ମଧ୍ୟ ଏସ୍‌ଟିଏଫ୍‌ ନରସିଂହପୁର ୱେଷ୍ଟ ରେଞ୍ଜ ବାଡ଼ିକିଆରି ସଂରକ୍ଷିତ ଜଙ୍ଗଲରୁ ଆଉ ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲେ। ଏହି ତିନୋଟି ହାତୀଙ୍କୁ ଶିକାରୀମାନେ ମାରି ତାଙ୍କ ଦାନ୍ତ କାଟି ନେଇଥିବା ଜଣାପଡ଼ିଛି। ଏଥିନେଇ ଆଠଗଡ଼ ଡିଏଫ୍‌ଓଙ୍କ ନିକଟରେ କୌଣସି ଖବର ନ ଥିଲା। ବନ କର୍ମଚାରୀମାନେ ବିନା ପୋଷ୍ଟମର୍ଟମରେ ଦଣ୍ଡ ଭୟରେ ଏହି ହାତୀମାନଙ୍କୁ ପୋତି ଦେଇଥିଲେ। ନିକଟ ଅତୀତରେ ସେହି ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ଶନରେ ଏକ ଗୁଳିବିଦ୍ଧ ଦନ୍ତାହାତୀ ପ୍ରାୟ ଦଶଦିନ ଛଟପଟ ହୋଇ ମୃତ୍ୟୁବରଣ କଲା। ସବୁଠୁ ଆଶ୍ଚର୍ଯ୍ୟକର କଥା, ଏସ୍‌ଟିଏଫ୍‌ ଗତ ଅଢ଼େଇ ବର୍ଷରେ ୨୪ଟି ହାତୀଦାନ୍ତ ଜବତ କଲେଣି। ତେଣୁ କେତେ ଦନ୍ତାହାତୀଙ୍କୁ ହତ୍ୟାକରି ଶିକାରୀମାନେ ଦାନ୍ତ ନେଇଯାଉଛନ୍ତି ତା’ର ସବିଶେଷ ତଥ୍ୟ ସରକାରଙ୍କ ନିକଟରେ ନାହିଁ। ହାତୀ ସୁରକ୍ଷା ପାଇଁ ବର୍ଷକୁ ପ୍ରାୟ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହେଉଛି। ପାଟ୍ରୋଲିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ସ୍ବତନ୍ତ୍ର ବନ କର୍ମଚାରୀ ନିୟୋଜିତ ଅଛନ୍ତି। ହାତୀ କରିଡର ଚିହ୍ନଟ ହୋଇଛି। ଏତେସବୁ ବ୍ୟବସ୍ଥା ଥାଇ ମଧ୍ୟ ବନ ବିଭାଗ ହାତୀ ମୃତ୍ୟୁ ରୋକିବାରେ ବିଫଳ ହେଉଛି ।
କହିବା କଥା ହେଲା, ଶିକାରୀମାନେ ଯେ ନିର୍ଭୟରେ ହାତୀ ଶିକାର କରୁଛନ୍ତି ତା’ ନୁହେଁ, ଅସାଧୁ ବନ କର୍ମଚାରୀ ଏବଂ ଶିକାରୀଙ୍କ ମଧୁଚନ୍ଦ୍ରିକାରେ ହାତୀ ଶିକାର ଚାଲିଛି। ଏହା ଯେକୌଣସି ସାଧାରଣ ଲୋକ ମଧ୍ୟ ବିନା ଅନୁସନ୍ଧାନରେ କହିବ। ଉଦ୍‌ବେଗଜନକ ତଥ୍ୟ ହେଲା ୨୦୦୮ରୁ ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ସରକାର ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ଗଠନ ପାଇଁ ଘୋଷଣା କରିଥିଲେ। ମାତ୍ର ଘୋଷଣା ହିଁ ଘୋଷଣାନାମାରେ ରହିଯାଇଛି। ଅମଲାତନ୍ତ୍ରର ନାଲିଫିତା ଯୋଗୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏଥିପାଇଁ କାହାକୁ କହିବା କପାଳରେ ସିନା କର ମାରିବା ହିଁ ସାର ମାତ୍ର।
ଅତ୍ୟନ୍ତ ଭାବାବେଗ ସହିତ ଆମେ ଏଠାରେ କହିବାକୁ ଚାହୁଁ ଯେ, ରାଜ୍ୟରେ ୫ ବର୍ଷ ହେଲା ହାତୀ ଗଣନା ହୋଇନାହିଁ। ଶେଷଥର ଲାଗି ୨୦୧୭ରେ ରାଜ୍ୟରେ ହାତୀ ଗଣନା କରାଯାଇଥିଲା। ସରକାରୀ ତଥ୍ୟ ଅନୁସାରେ ସେତେବେଳେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ଥିଲା। ବର୍ତ୍ତମାନ ହାତୀ ସଂଖ୍ୟା କେତେ ତାହାର ସବିଶେଷ ବିବରଣୀ ଆମ ସରକାର ଦେଇପାରିବେ କି ନାହିଁ ସନ୍ଦେହ। ୨୦୧୭ ଠାରୁ ଅଦ୍ୟାବଧି ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଖାଲି ସେତିକି ନୁହେଁ, ଖାଦ୍ୟ ଅନ୍ବେଷଣରେ ହାତୀ ପଡ଼ୋଶୀ ଛତିଶଗଡ଼ ଓ ପଶ୍ଚିମବଙ୍ଗର ଜଙ୍ଗଲକୁ ପଳାଇଯାଇଥିବାରୁ ରାଜ୍ୟରେ ହାତୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କ ମତରେ ଏସବୁ ଉପରୁ ପରଦା ହଟିଯିବା ଭୟରେ ରାଜ୍ୟ ସରକାରଙ୍କ ବନ ବିଭାଗ ହାତୀ ଗଣନା କରୁନାହାନ୍ତି।
ଜଙ୍ଗଲ କାଟି ସଫା କରିବା ଦ୍ୱାରା ହାତୀମାନେ ଖାଦ୍ୟ ଅନ୍ବେଷଣରେ ସହରମୁହଁା ବା ଗ୍ରାମମୁହଁା ହେଉଛନ୍ତି। ତେଣୁ ଫସଲକୁ ରକ୍ଷାକରିବା ପାଇଁ ହାତୀ ଶିକାର ହେଉଥିବା ମଧ୍ୟ ଅସ୍ବୀକାର କରିହେବ ନାହିଁ। ଅସଲ କଥା ହେଉଛି, ସରକାର ବନୀକରଣ ନାମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ମଧ୍ୟ ବେଶ୍‌ କିଛି ଅର୍ଥ ଶ୍ରାଦ୍ଧ କରୁଛନ୍ତି, କିନ୍ତୁ ଫଳ ଆଶାନୁରୂପ ହେଉନାହିଁ। କିନ୍ତୁ ଏପରି କାହିଁିକି ହେଉଛି? ହାତୀ ମଲେ କୌଣସି ଉଚ୍ଚ ପଦାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଦରକାର ପଡ଼ିଲେ କେବଳ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଉଛି ଏବଂ କିଛିଦିନ ପରେ ସେମାନେ ଚାକିରିରେ ପୁନଃ ଅବସ୍ଥାପିତ ହେଉଛନ୍ତି। ଅସଲ କଥା ହେଉଛି ଚାକିରି ଯିବା ଭୟରେ ତଳିଆ କର୍ମଚାରୀମାନେ ହାତୀମୃତ୍ୟୁକୁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି। ଯେଉଁଭଳି ମାତ୍ରାରେ ହାତୀ ମୃତ୍ୟୁ ବଢ଼ିଚାଲିଛି, ଆଉ କିଛି ବର୍ଷ ମଧ୍ୟରେ ଓଡ଼ିଶା ହାତୀଶୂନ୍ୟ ହୋଇଯିବ।

  • ଡ. ସିଦ୍ଧାର୍ଥ କାନୁନ୍‌ଗୋ
    ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର, ଚୈତନ୍ୟ ଧାମ, ଶବର ସାହି, ଭୁବନେଶ୍ୱର, ମୋ: ୯୪୩୮୦୭୨୮୫୦

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri