ବେତନଟୀରେ ହାତୀ ଉତ୍ପାତ

ବେତନଟୀ,୨୮ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ତଥା ଆଖପାଖ ଗ୍ରାମରେ ୪ ଦିନ ହେଲା ହାତୀପଲ ଉତ୍ପାତ ଚଳାଇଛନ୍ତି। ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସପ୍ତାହକ ପୂର୍ବରୁ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ଓଡ଼ିଶା ଭିତରକୁ ପଶି ଆସିଥିଲେ। ୬୨ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଧୀନ ନଡ଼ପୁର ଜଙ୍ଗଲ ଓ ଫୁଲଝରି ଜଙ୍ଗଲରେ ରହି ବ୍ୟାପକ ଉପଦ୍ରବ କରୁଛନ୍ତି। ବିଳମ୍ବିତ ରାତିରେ ବାହାରି ମୁଖ୍ୟ ରାସ୍ତା ସମେତ ଗାଁ ରାସ୍ତାରେ ଘୁରି ବୁଲୁଛନ୍ତି। ଏଥିସହ ଲୋକଙ୍କ ଧାନକ୍ଷେତରେ ପଶି ଦଳି ଚକଟି ନଷ୍ଟ କରିଦେଉଛନ୍ତି। ବେତନଟୀ ରେଞ୍ଜର ଘନଶ୍ୟାମ ସିଂ, ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ପ୍ରମୁଖ ବିଭାଗୀୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ହାତୀ ପଲ ଗତିବିଧି ଉପରେ ନଜର ରଖିଥିବା ବେଳେ ଗାଁ ସୁରକ୍ଷା ଓ ଫସଲ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା କଥା କହିଛନ୍ତି।