ଭଞ୍ଜନଗର, ୧୬।୧୧ (ବାବୁଲା ପ୍ରଧାନ): ଗୋଟିଏ ପଟେ ବନ୍ୟାରେ ଫସଲ ନଷ୍ଟ, ଅନ୍ୟପଟେ ହାତୀପଲଙ୍କ ଉପଦ୍ରବ। ଏଭଳି ଦୁଇମୁହାଁ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଘୁମୁସର ଅଞ୍ଚଳର ଚାଷୀ। ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡରେ ସୋମବାର ସନ୍ଧ୍ୟା ସୁଦ୍ଧା ମୋଟ ୮୦ଟି ହାତୀ ରହିଥିବା ଜଣାପଡ଼ିଛି
ସମ୍ପ୍ରତି ବନ୍ୟା ଯୋଗୁ ଚାଷୀଙ୍କ ଅଧିକାଂଶ ଫସଲ ନଷ୍ଟ ହୋଇଥିବାବେଳେ ବଳକା ଫସଲକୁ ହାତୀପଲ ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ବର୍ତ୍ତମାନ ଧାନ ଅମଳ ଧୀରେ ଧୀରେ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ହେଲେ ହାତୀପଲ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। ସୂଚନା ଅନୁସାରେ, ଘୁମୁସର ଉତ୍ତର ବନଖଣ୍ଡର ବିଭିନ୍ନ ରେଞ୍ଜରେ ସୋମବାର ସନ୍ଧ୍ୟା ସୁଦ୍ଧା ୭୧ଟି ହାତୀ ରହିଥିବାବେଳେ ଘୁମୁସର ଦକ୍ଷିଣ ବନଖଣ୍ଡର ସୋରଡ଼ା ରେଞ୍ଜରେ ୯ଟି ହାତୀ ରହିଛନ୍ତି। ଏହିପରି ଉଭୟ ବନଖଣ୍ଡରେ ମୋଟ ୮୦ଟି ହାତୀ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ବନ୍ୟଜନ୍ତୁଙ୍କ ଆକ୍ରମଣ ଓ ଫସଲ କ୍ଷୟକ୍ଷତି ପାଇଁ ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛି। ସହକାରୀ ବନ ସଂରକ୍ଷକ (ଏସିଏଫ) ବିମଳ ପ୍ରଧାନଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ବନ୍ୟଜନ୍ତୁଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଓ ମାନବ ମୃତ୍ୟୁ ଘଟଣାରେ ମୋଟ ୨୪୯୪ ଜଣ କ୍ଷତିଗ୍ରସ୍ତଙ୍କୁ ୧ କୋଟି ୨୦ ଲକ୍ଷ ୯୯ ହଜାର ୯୬୫ ଟଙ୍କାର ସହାୟତା ପ୍ରଦାନ କରାଯାଇଛି।
ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ୬୦୫ ଜଣ କ୍ଷତିଗ୍ରସ୍ତଙ୍କୁ ୫୨ ଲକ୍ଷ ୧୧ ହଜାର ୭୬୫ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯାଇଛି। ଏଥିରେ ମାନବ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଆଂଶିକ ଅର୍ଥ ପ୍ରଦାନ କରାଯାଇଛି। ଏହି ଦୁଇ ଆର୍ଥିକ ବର୍ଷର ତଥ୍ୟକୁ ମିଶାଇଲେ ମୋଟ ୩୦୯୯ ଜଣଙ୍କୁ ୧ କୋଟି ୭୩ ଲକ୍ଷ ୧୧ ହଜାର ୭୩୦ ଟଙ୍କା ସହାୟତା ମିଳିଛି।
ଚଳିତ ବର୍ଷ ଏପର୍ଯ୍ୟନ୍ତ ଶତାଧିକ ଚାଷୀ ହାତୀଙ୍କ ଦ୍ୱାରା ଫସଲ କ୍ଷତି ନେଇ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି। ଏପରିକି ଗତବର୍ଷ କ୍ଷତିଗ୍ରସ୍ତ କେତେକ ଚାଷୀ ଏଯାଏ କ୍ଷତିପୂରଣ ପାଇନଥିବା ଅଭିଯୋଗ ହୋଇଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଜନବସତି ଓ ଚାଷଜମିରୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ କରୁଛି। ତେବେ ଅନେକ ସମୟରେ ଏହି ଉଦ୍ୟମ ସଫଳ ହୋଇପାରୁନାହିଁ। ବନ୍ୟାଜନିତ କ୍ଷତିରୁ ମୁକୁଳି ନଥିବା ଚାଷୀଙ୍କ ପାଇଁ ହାତୀଙ୍କ ଉପଦ୍ରବ ଏବେ ଆଉ ଏକ ବଡ଼ ସମସ୍ୟା ପାଲଟିଛି।