ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ୨ଟି ହାତୀ ଗାଁ ନିକଟକୁ ଚାଲିଆସି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀଙ୍କୁ ଦେଖି ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ନିୟମଗିରିର କୃଷମୁଇଁ ଗାଁ ନିକଟରେ ଏକ ହାତୀପଲ ବିଚରଣ କରୁଥିଲେ। ତେବେ ସେହି ପଲରୁ ୨ଟି ହାତୀ ଅଲଗା ହୋଇ କେଶବ ନାୟକଗୁଡ଼ା ନୂଆ ସାହି ଓ ଘାଗୁଡ଼ିମାଳର ଲହରା ସାହି ଆଡ଼କୁ ଚାଲିଆସିଥିଲେ। ହଠାତ୍‌ ଗାଁ ନିକଟରେ ହାତୀଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ।

ନୂଆସାହିରେ ଚାଷୀଙ୍କ ଦ୍ୱାରା ଲଗାଯାଇଥିବା କପା ଓ ଚଣା ଗଛକୁ ହାତୀ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ସେହିପରି ଘାଗୁଡ଼ିମାଳ (ଲହରା ସାହି)ରେ ନୂଆ କରି ରୋପଣ କରାଯାଇଥିବା ଧାନ କ୍ଷେତକୁ ମାଡ଼ି ନଷ୍ଟ କରିଦେଇଛନ୍ତି। ଗୁରୁବାର ସକାଳୁ ଖବରପାଇ ଫରେଷ୍ଟର ଭଗବାନ ସାରାକା ଏବଂ ତାଙ୍କ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। କ୍ଷତିଗ୍ରସ୍ତ ଚାଷୀ ସେମାନଙ୍କ ଆବଶ୍ୟକୀୟ ନ ଥିପତ୍ର ପ୍ରଦାନ କଲେ, ତାହା ସରକାରଙ୍କ ନିକଟକୁ ପଠାଯାଇ ନିୟମାନୁସାରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଘଟଣା ପରେ ଘାଗୁଡ଼ିମାଳ ସମେତ ଆଖପାଖ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଏବଂ ହାତୀଙ୍କର କୌଣସି ବିଚରଣ ଦେଖିଲେ ଅବିଳମ୍ବେ ବନ ବିଭାଗକୁ ଖବର ଦେବା ପାଇଁ କୁହାଯାଇଛି।